ମନ୍ତ୍ରୀଙ୍କ ଦୃଢ଼ ସମର୍ଥକ ସୁଶାନ୍ତ କୁମାର ବେହରାଙ୍କ ଦେହାନ୍ତ
ବୁଗୁଡ଼ା, (ଅନୀଲ କୁମାର ମହାରଣା): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମର ସୁଶାନ୍ତ କୁମାର ବେହେରାଙ୍କ ଭୁବନେଶ୍ୱର ସମ୍ ହସପିଟାଲରେ ୧୭/୮/୨୬ ତାରିଖ ଦିନ ଅପରାହ୍ନ ତିନି ଘଣ୍ଟା ସମୟରେ ଦେହାନ୍ତ ହୋଇଯାଇଛି। ମାଣିତରା ହାଇ ସ୍କୁଲରେ ଉଭୟଙ୍କ ଅଧ୍ୟୟନ ସମୟରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ସୁଶାନ୍ତ କୁମାର ବେହରାଙ୍କ ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିବା ବେଳେ ସ୍ବର୍ଗତ ବେହେରା ମନ୍ତ୍ରୀ ଗୋକୁଳାନନ୍ଦଙ୍କ ଦୃଢ଼ ସମର୍ଥକ ଥିଲେ। ସ୍ବର୍ଗତ ବେହେରା ଦର୍ଜୀ କାର୍ଯ୍ୟକରି ଜୀବିକା ପ୍ରତିପୋଷଣ କରୁଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅବିବାହିତ ଥିବା ବେଳେ ଧର୍ମପତ୍ନୀ ଅଙ୍ଗାନାୱାଡି କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରାୟ ଚାରିମାସ ହେଲା ସ୍ୱାସ୍ଥ୍ୟ ସମସ୍ୟା ଲାଗିରହିଥିବା ବେଳେ ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ହେବା ଯୋଗୁଁ ଭୁବନେଶ୍ୱର ସମ୍ ହସପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ମନ୍ତ୍ରୀ ଶ୍ରୀ ମଲ୍ଲିକ ଭୁବନେଶ୍ବର ବାହାରେ ଥିବାବେଳେ ଶ୍ରୀ ବେହେରାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ଶୁଣିବା ପରେ ତାଙ୍କର ପିଏ ଙ୍କୁ ହସପିଟାଲ ପଠାଇ ଉତ୍ତମ ଚିକିତ୍ସା ବ୍ୟବସ୍ଥା କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସୁଶାନ୍ତ କୁମାର ବେହେରାଙ୍କ ଦେହାନ୍ତ ହୋଇଯାଇଛି। ଏହି ଖବର ପ୍ରକାଶ ପରେ ମାଣିତରାରେ ଶୋକର ଛାୟା ଖେଳି ଯାଇଛି।


