ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତଳା ନାରାୟଣପୁର ଗ୍ରାମରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଭାରତର ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ଗ୍ରାମ ମଧ୍ୟସ୍ଥ ମଞ୍ଚ କାର୍ଯ୍ୟାଳୟ ସମ୍ମୁଖରେ ମଞ୍ଚର ସଭାପତି ନରହରି ପ୍ରଧାନ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ମିଳିତ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଉପସ୍ଥିତ ସଦସ୍ୟମାନେ ସମୂହ ଭାବେ ଜାତୀୟ ସଙ୍ଗୀତ ଓ “ବନ୍ଦେ ମାତରମ୍” ଗାନ କରିଥିଲେ। ପରବର୍ତ୍ତୀ ସମୟରେ ଆୟୋଜିତ ଆଲୋଚନା ଚକ୍ରରେ ଭାରତର ସ୍ୱାଧୀନତାର ସୁରକ୍ଷା ଏବଂ ସମାଜ ଗଠନରେ ବରିଷ୍ଠ ନାଗରିକମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ମତବିନିମୟ କରାଯାଇଥିଲା। ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା କହିଥିଲେ ଯେ, ବରିଷ୍ଠମାନେ ନିଜ ସନ୍ତାନମାନଙ୍କୁ ନିଶା ସେବନରୁ ଦୂରେଇ ରଖିବା, ପରିବେଶ ସୁରକ୍ଷାରେ ସହଯୋଗ କରିବା ଏବଂ ସାମାଜିକ ସମ୍ପ୍ରୀତି ଓ ଭାଇଚାରା ବୃଦ୍ଧିରେ ଅଗ୍ରଣୀ ଭୂମିକା ନେବା ଆବଶ୍ୟକ। ଆଲୋଚନାରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସନ୍ତୋଷ କୁମାର ମହାରଣା, ସତ୍ୟବାଦୀ ସାହୁ ଓ ଜୁରିଆ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସେହିପରି ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁନିଲ କୁମାର ଶତପଥୀଙ୍କ ସଭାପତିତ୍ୱରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ସମିତି ସଭ୍ୟାଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା, ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା, ଅମରେଶ୍ୱର ସାହୁ ଓ ପଙ୍କଜ ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସ୍ୱାଧୀନତା ସଂଗ୍ରାମର ଗୌରବମୟ ଇତିହାସ ଓ ଦେଶପ୍ରେମର ବାର୍ତ୍ତା ପ୍ରଦାନ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ