ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୩ବର୍ଷ ଜେଲଦଣ୍ଡ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜନୈକ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଶୁକ୍ରବାର ସ୍ୱତନ୍ତ୍ର କୋର୍ଟ ସଂପୃକ୍ତ ଅଭିଯୁକ୍ତକୁ ୩ବର୍ଷ ଜେଲଦଣ୍ଡାଦେଶ ସହିତ ୫ହଜାର ଟଙ୍କା ଜୋରିିମାନାରେ ଦଣ୍ଡିତ କରିଥିବା ସରକାରି ଓକିଲ ସଞ୍ଜୟ କୁମାର ଜେନାଙ୍କ ଠାରୁ ସୂଚନା ମିଳିିଛି । ଘଟଣାରୁ ପ୍ରକାଶ ଯେ ଗତ ୨୦୧୮ ମସିହା ମଇମାସ ୨୬ତାରିଖ ଅପରାହ୍ନ ସାଢେ ଗୋଟାଏ ସମୟରେ ୧୧ବର୍ଷର ଏକ ନାବାଳିକା କଦଳି କିଣି ଘରକୁ ଫେରୁଥିବା ବେଳେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜାଗୁଳେଇପଡା(ଶ୍ୟାମଗୁଡିଆ)ଗ୍ରାମର ଗିରିଧାରି ମୁଦୁଲିଙ୍କ ପୁଅ ହେମନ୍ତ ମୁଦୁଲି(୩୫)ପଛପଟୁ ସେହି ନାବାଳିକାକୁ ଏକ ବାଇକରେ ଧକ୍କା ଦେବାରୁ ସେ ତଳେ ପଡିଯାଇଥିଲା । ଏହି ସମୟରେ ଅଭିଯୁକ୍ତ ହେମନ୍ତ ସେହି ନାବାଳିକାଟିକୁ ଟେକିନେଇ ଦୁଷ୍କର୍ମ କରିଥିବା ସଦର ଥାନାରେ ଅଭିଯୋଗ ହୋଇଥିଲା । ସଦର ଥାନା ପକ୍ଷରୁ ସେହି ଘଟନାରେ ଏକ ମାମଲା ରୁଜୁ କରାଯାଇଥିଲା । ଆଜି ସେହି ମାମଲା ଜି.ଆର.୬୬୧/୨୦୧୮ରେ ଆଇ.ପି.ସି.ର ଦଫା ୩୫୪,୩୫୪(କ),୩୫୪(ଘ)ଓ ୮ ପୋକ୍ସୋ ଆକ୍ଟରେ କେନ୍ଦ୍ରାପଡା ସ୍ୱତନ୍ତ୍ର କୋର୍ଟ ଜଜ ଅଭିଯୁକ୍ତ ହେମନ୍ତକୁ ୩ବର୍ଷ ଜେଲଦଣ୍ଡ ସହିତ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅର୍ଥ ଅନାଦେୟ ହେଲେ ଅଧିକ ୩ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟଙ୍କ ନିର୍ଦେଶରେ ଉଲ୍ଲେଖ ରହିଛି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ଓକିଲ ମନୋଜ କୁମାର ସାହୁ ମକଦ୍ଦମା ପରିଚାଳନା କରୁଥିଲେ ।