ଚିକିତ୍ସା ପାଇଁ ଯାଇ ନିଖୋଜ ବ୍ୟକ୍ତିଙ୍କ ମର ଶରୀର ଚିହ୍ନଟ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ପଞ୍ଚାୟତ ଚିରିକିପଡା ଗ୍ରାମର ୫୭ ବର୍ଷ ବୟସ୍କ ସୁବାଷ ନାହାକ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ଯାଇ ନିଖୋଜ ହୋଇଥିବା ବେଳେ ତାଙ୍କର ମର ଶରୀର ବ୍ରହ୍ମପୁର ବଡ ମେଡ଼ିକାଲ ଶବ ଗୃହରେ ପରିବାର ଲୋକେ ଚିହ୍ନଟ କରି ଗ୍ରାମକୁ ଆଣିଥିବା ଜଣାପଡିଛି। ସୁବାଷ ଡିସେମ୍ବର ୧୫ ତାରିଖ ଦିନ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ହସପିଟାଲକୁ ନିଜର ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ଚିକିତ୍ସା ପାଇଁ ଧର୍ମପତ୍ନୀ ନୟନା ନାହାକଙ୍କ ସାଥିରେ ଯାଇଥିଲେ। ନୟନା ବହିଃ ବିଭାଗ ଟିକେଟ କାଉଣ୍ଟରରେ ଧାଡିରେ ଛିଡା ହୋଇଥିବା ବେଳେ ସେଠାରୁ ସୁବାଷ କେଉଁ ଆଡେ ଚାଲିଯାଇଥିଲେ। ସୁବାଷଙ୍କ ଧର୍ମପତ୍ନୀ ନୟନା ବହୁ ଖୋଜାଖୋଜି କରିବା ପରେ ନିଜ ଗ୍ରାମ ଚିରିକିପଡାକୁ ଫେରି ଆସି ପୁଅ ବଳରାମକୁ କହିଥିଲେ। ବଳରାମ ତିନି ଦିନ ଖୋଜାଖୋଜି କରିବା ପରେ ବ୍ରହ୍ମପୁର ବୈଦ୍ୟନାଥ ପୁର ଥାନାରେ ବାପାଙ୍କ ନିଖୋଜ ବିଷୟରେ ଡିସେମ୍ବର ୧୮ ତାରିଖରେ ଅଭିଯୋଗ ଦେଇଥିଲେ। ଏହା ସହ ଡିସେମ୍ବର ୨୨ ତାରିଖରେ ବୁଗୁଡା ଥାନାରେ ମଧ୍ୟ ବଳରାମ ଅଭିଯୋଗ ଦେଇଥିଲେ। ନିଖୋଜ ସୁବାଷ ବ୍ରହ୍ମପୁରର ପାୟଲ ସିନେମା ହଲ ଡ୍ରେନ୍ ନିକଟରେ ପଡିଥିବା ଦେଖି ଜଣେ ସମାଜସେବୀ ସେଠାରୁ ତାଙ୍କୁ ଉଧାର କରି ଏକ ଆଶ୍ରୟ ସ୍ଥଳରେ ରଖିଥିଲେ। ସୁବାଷ ନାହାକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେଉଥିବା ଦେଖି ବ୍ରହ୍ମପୁର ମେଡ଼ିକାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୨୬ ତାରିଖ ଦିନ ସୁବାଷଙ୍କ ମୃତ୍ୟୁ ଘଟିବା ପରେ ବୈଦ୍ୟନାଥ ପୁର ପୋଲିସ ବୁଗୁଡା ପୋଲିସକୁ ଜଣାଇ ଏକ ଫୋଟ ପଠାଇଥିଲେ। ଫୋଟରୁ ନିଖୋଜ ଥିବା ବ୍ୟକ୍ତି ଗୋଲିଆ ପଞ୍ଚାୟତ ଚିରିକିପଡା ଗ୍ରାମର ନିଖୋଜ ଥିବା ସୁବାଷ ବୋଲି ଜଣା ପଡିବା ପରେ ପରିବାର ଲୋକେ ଓ ଗ୍ରାମର କିଛି ବ୍ୟକ୍ତି ବ୍ରହ୍ମପୁର ବଡ଼ ମେଡ଼ିକାଲ ଯାଇ ସୁବାଷଙ୍କ ମର ଶରୀରକୁ ଚିହ୍ନଟ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଡିସେମ୍ବର ୨୭ ତାରିଖ ଅପରାହ୍ନ ୪ ଟା ସମୟରେ ଗ୍ରାମରେ ପହଞ୍ଚିବା ପରେ ଶବ ସଂସ୍କାର ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ