ବେଲଗୁଣ୍ଠାରେ ପ୍ରତିଷ୍ଠା ହେଲା ମାଁ ମହାଲକ୍ଷ୍ମୀଙ୍କ ଭବ୍ୟ ମନ୍ଦିର
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗଞ୍ଜାମ ଜିଲ୍ଲାର ଅନ୍ୟତମ ସଂସ୍କୃତି ସମ୍ପନ୍ନ ସହର ବେଲଗୁଣ୍ଠା ।କଳା, କାରୁକାର୍ଯ୍ୟ ଓ ପରମ୍ପରାରେ ସହର ରୁପେ ପରିଚିତ ଏହି ସହରକୁ ମନ୍ଦିର ମାଳିନୀ ସହର ରୁପେ ମଧ୍ଯ ଅବିହିତ । କାହିଁ କେତେ ବର୍ଷ ପୁର୍ବରୁ ରହିଛି ଏଠି ଅନେକ ମନ୍ଦିର ।ଏହି ସହରର ମନ୍ଦିର ତାଲିକାକୁ ଆହୁରି ଋଦ୍ଧିମନ୍ତ କରିବା ପାଇଁ ପ୍ରତିଷ୍ଠା ହୋଇଯାଇଅଛି ଜଗତଜନନୀ ମାଁ ମହାଲକ୍ଷ୍ମୀଙ୍କ କ ଭବ୍ୟ ମନ୍ଦିର ।ପୁରୋହିତଙ୍କ ବେଦପାଠ, ମନ୍ତ୍ରଧ୍ୱନୀ, ଶଙ୍ଖ ଓ ହୁଳହୁଳି ନାଦରେ ବେଲଗୁଣ୍ଠା ସହର ହୋଇ ଉଠିଛି ଉତ୍ସବମୁଖର ।ତା ସଙ୍ଗେ ଚବିଶି ପ୍ରହର ଅଖଣ୍ଡ ନାମ ସଂକୀର୍ତ୍ତନ ସାଙ୍ଗକୁ ଆନନ୍ଦ ବଜାରର ପ୍ରସାଦ ସେବନର ସ୍ୱାଦ ଉତ୍ସବକୁ ଆହୁରି ଆଧ୍ୟାତ୍ମିକମୟ ଗଢିତୋଳିଛି ।ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ଆଜି ହେଉଛି ପଞ୍ଚମ ଦିବସ ।ପ୍ରଥମ ଦିନରେ ଦୀକ୍ଷାଗ୍ରହଣ, ବନଯୋଗ, ମଣ୍ଡଳ କରଣ, ଜଳଯାତ୍ରା ଓ ଅଙ୍କୁରାରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।କଳସ ଯାତ୍ରାରେ ୧୦୮ ଶ୍ରଦ୍ଧାଳୁ ଯୋଗ ଦେଇ ଶୋଭାଯାତ୍ରା ବାହାରିଥିଲେ । ସେହିପରି ମନ୍ଦିର ବେଢ଼ାରେ ବିଶିଷ୍ଟ ପଣ୍ଡିତ ମାନଙ୍କ ଦ୍ଵାରା ବୈଚିତ୍ର୍ୟ ଭରା ମଣ୍ଡଳ ବେଢ଼ା ପରିସର ଓ ଯଜ୍ଞ ମଣ୍ଡପର ସୌନ୍ଦର୍ଯ୍ୟ ବୃଦ୍ଧି କରିଥିଲା । ଦ୍ଵିତୀୟ ଦିନରେ କର୍ମାରମ୍ଭ, ସୁର୍ଯ୍ୟ ପୂଜା,ଶାଲା ସଂସ୍କାର, ସହସ୍ରଜନ ପୂଜା,ରତ୍ନ ଗର୍ଭ ମୁଦ,ଓ ୨୪ ପ୍ରହର ଅଖଣ୍ଡ ନାମ ଯଜ୍ଞର ଅଧିବାସ ଶୁଭାରମ୍ଭ ହୋଇଥିଲା । ତୃତୀୟ ଦିନରେ ପ୍ରତିଷ୍ଠା କର୍ମାରମ୍ଭ, ମହାସ୍ନାନ, ଅଗ୍ନି ସଂସ୍କାର, ଯଜ୍ଞାରମ୍ଭ ଓ ୨୪ ପ୍ରହର ଅଖଣ୍ଡ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଚତୁର୍ଥ ଦିନରେ ଗୀତା ଯଜ୍ଞ, ମହାସ୍ନାନ ହେବା ସହିତ ଦେବୀଙ୍କ ପ୍ରାଣ ପ୍ରତିଷ୍ଠା ରାତ୍ରୀର ନିର୍ଜନ ପ୍ରହରରେ ଅନୁଷ୍ଠିତ ହୋଇଥିଲା । ଆଜି ଏହି ଉତ୍ସବର ପଞ୍ଚମ ଦିନରେ ମୃଣ୍ମୟୀ ଦେବୀଙ୍କ ନଗର ପରିକ୍ରମା ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ମାଁ ଲକ୍ଷ୍ମୀ ନିଜର ଶହ ଶହ ଆଶ୍ରିତ ଙ୍କ ସହିତ ବେଲଗୁଣ୍ଠା ନଗର ପରିକ୍ରମା କରି ନଗର ବାସୀଙ୍କୁ ମାତୃକୃପା ପ୍ରଦାନ କରିଥିଲେ । ସହରବାସୀ ନିଜ ଗୃହର ମୁଖ୍ୟ ଦ୍ୱାରରେ ପୁର୍ଣ୍ଣ କୁମ୍ଭ ରଖି ମାଁ ଙ ଭବ୍ୟ ସ୍ଵାଗତ କରିଥିଲେ ।ପଣ୍ଡିତ ରାମକୃଷ୍ଣ ପତିଙ୍କ ଦ୍ୱାରା ଲିଖିତ ବୈଭବ ଦାୟିନୀ ଐଶ୍ୱର୍ଯ୍ୟ ପ୍ରଦାୟିନୀ ମାଁ ମହାଲକ୍ଷ୍ମୀ ନାମକ ଏକ ପୁସ୍ତକକୁ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ଉନ୍ମୋଚନ କରିଥିଲେ ।ଏଥି ସହିତ ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ଥିଲେ ବିଶିଷ୍ଟ ଜଗନ୍ନାଥ ଗବେଷକ ତଥା ଜଗନ୍ନାଥ ସଂସ୍କୃତି ପ୍ରଚାରକ ସୁର୍ଯ୍ୟ ନାରାୟଣ ରଥଶର୍ମା ।ସେ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ସ୍ୱତନ୍ତ୍ର ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ବୈଶିଷ୍ଟ୍ୟତାକୁ ଦ୍ୱିଗୁଣିତ କରିଥିଲେ ।ଏହି ଅବସରରେ ଦେବୀ ସିଂହାସନ ବିଜେ କରିଥିଲେ ।ବେଲଗୁଣ୍ଠା ସହର ସତରେ ବଡ଼ ସୁନ୍ଦର ଓ ଏହାରି ଆତିଥ୍ୟସେବା ଅତି ଚମତ୍କାର ବୋଲି କହିବା ସହିତ ସହର ବାସୀଙ୍କ ପାଇଁ ଜଗନ୍ନାଥ ନିକଟରେ ମଙ୍ଗଳ କାମନା କରିଥିଲେ ଶ୍ରୀ ରଥଶର୍ମା । ଆଜି ପ୍ରତିଷ୍ଠା ଉତ୍ସବର ପୁର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଥିବା ବେଳେ ଆସନ୍ତା କାଲି ଚବିଶି ପ୍ରହର ଅଖଣ୍ଡ ନାମ ସଂକୀର୍ତ୍ତନ ସମାପନ,ଦଧିଭାଣ୍ଡ ଭଞ୍ଜନ ଓ ଯମୁନା ସ୍ନାନ କାର୍ଯ୍ୟକ୍ରମ ରହିଛି । ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ବେଲଗୁଣ୍ଠା ସହର ଲୋକାରଣ୍ୟ ହୋଇଥିବା ବେଳେ ଦୈନିକ ହଜାର ହଜାର ସଂଖ୍ୟାରେ ଭକ୍ତ ଆନନ୍ଦ ବଜାରରେ ପ୍ରସାଦ ସେବନ କରିବା ଲକ୍ଷ୍ୟ କରାଯାଇଥିଲା ।ଆଜିର ଉତ୍ସବରେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ମାଁ ଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ । ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପୁର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର ଓ ତାଙ୍କ ସହ ଧର୍ମିଣୀ ମୁଖ୍ୟ କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିବା ବେଳେ ସହସ୍ରାଜନ ପୂଜାର କର୍ତ୍ତା ଭାବେ ଚିନଂ ଶିବ ପ୍ରସାଦ ସୁବୁଦ୍ଧି ସପତ୍ନୀକ କାର୍ଯ୍ୟ ସମାପନ କରିଥିବା ବେଳେ ଏକର ବେଦ ହୋମ କୁଣ୍ଡ ର ଯଜ୍ଞ କର୍ତ୍ତା ଭାବେ ଟି.ନାଗେଶ୍ୱର ପାତ୍ର ଓ ତାଙ୍କ ସହଧର୍ମିଣୀ ଦାୟିତ୍ଵ ନିର୍ବାହ କରିଥିଲେ । ସେହିପରି ଯଜୁର୍ବେଦ ହୋମର କର୍ତ୍ତା ଭାବେ ସୁବ୍ରତ କୁମାର ପାତ୍ର ଓ ତାଙ୍କ ସହଧର୍ମିଣୀ ଯୋଗ ଦେଇଥିବା ବେଳେ ସାମ୍ ବେଦ ହୋମର କର୍ତ୍ତା ଭାବେ ସିଏଚ୍ ଲବ କୁମାର ସୁବୁଦ୍ଧି ଓ ତାଙ୍କ ସହଧର୍ମିଣୀ ଓ ଅଥର୍ବ ବେଦ ହୋମ କୁଣ୍ଡର ଯଜ୍ଞ କର୍ତ୍ତା ଚିନଂ ବଦ୍ରିନାରାୟଣ ପାତ୍ର ଓ ତାଙ୍କ ସହଧର୍ମିଣୀ ଦାୟିତ୍ଵ ସମ୍ପନ୍ନ କରିଥିଲେ । ଯଜ୍ଞ ପରିଚାଳନା କରିଥିଲେ ପଣ୍ଡିତ ଶ୍ରୀ ଶ୍ୟାମ ସୁନ୍ଦର ପଣ୍ଡା, ରାମକୃଷ୍ଣ ପତି ଓ ରବୀନ୍ଦ୍ରନାଥ ରଥ । ମହୋତ୍ସବ ରେ ପୌରହିତ୍ୟ କରିଥିଲେ ଦୁର୍ଗା ପ୍ରସାଦ ପତି, ରାଧାକାନ୍ତ ପତି,ଦିଗାମ୍ବର ଷଡ଼ଙ୍ଗୀ, ପବିତ୍ର ମୋହନ କର,ପଞ୍ଚାନନ ଶତପଥୀ,ଅରୁଣ ରଥ, ତ୍ରିଲୋଚନ ତ୍ରିପାଠୀ, ମନୋଜ ଶତପଥୀ, ଆଦିତ୍ୟ ତ୍ରିପାଠୀ, ସରୋଜ କୁମାର ଦାସ,ବ୍ରଜେନ୍ଦ୍ର ନାଥ ପତି ଓ ଗୌରୀ ଶଙ୍କର ପତି ।ଏହି ବୃହତ ମହୋତ୍ସବ କୁ ବେଲଗୁଣ୍ଠା ସହରର ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ଫିରୋଜ କୁମାର ସେଠୀ, ମାଁ ମହାଲକ୍ଷ୍ମୀ ମନ୍ଦିର ଟ୍ରଷ୍ଟି ଚିଦାନନ୍ଦ ପାତ୍ର,ସମ୍ପାଦକ ରାଧାମୋହନ ଦାଶ, ସମସ୍ତ କାଉନସିଲର , ପ୍ରେସ୍ କ୍ଳବ ସଦସ୍ୟ, ମାଁ ଦଣ୍ଡ କାଳୀ ପରିଚାଳନା କମିଟି,ଗଜ ଲକ୍ଷ୍ମୀ ପୂଜା କମିଟି,ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସଫଳ ପରିଚାଳନା କରିଥିଲେ ।


