‘ଟିପିଏନଓଡିଏଲ’ ଓ ସାଧନା ଫାଉଣ୍ଡେସନ ପକ୍ଷରୁ ଉର୍ଜା ମହୋତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):ଟାଟା ପାୱାର ନର୍ଦ୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏନଓଡିଏଲ) ପକ୍ଷରୁ ବାଲେଶ୍ୱରର ସାଧନା ଫାଉଣ୍ଡେସନ ସହଯୋଗରେ ଜିଲ୍ଲାସ୍ତରୀୟ ଉର୍ଜା ମହୋତ୍ସବ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ପରିସରରେ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଶକ୍ତି ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ସମ୍ପର୍କିତ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଟିପିଏନଓଡିଏଲ ପକ୍ଷରୁ ଆୟୋଜିତ ଏହି ‘କ୍ଲବ ଏନର୍ଜି’ କାର୍ଯ୍ୟକ୍ରମ ପ୍ରଶଂସନୀୟ ବୋଲି ସେ ମତପ୍ରକାଶ କରିଥିଲେ । ଦେଶର ସୀମିତ ପ୍ରାକୃତିକ ସମ୍ପଦକୁ ପରବର୍ତୀ ପିଢ଼ିି ପାଇଁ ସଂରକ୍ଷିତ ରଖିବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ଅଟେ । ଏଥିପାଇଁ ବିଦ୍ୟୁତ ଅପଚୟ ରୋକିବା, ଆବଶ୍ୟକ ସ୍ଥଳେ ବିଦ୍ୟୁତ ବ୍ୟବହାରକୁ ସୀମିତ କରିବା, ପ୍ରାକୃତିକ ଶକ୍ତି ବ୍ୟବହାର ବୃଦ୍ଧି କରିବା ଏକାନ୍ତ ଆବଶ୍ୟକ ବୋଲି ଜିଲ୍ଲାପାଳ ଶ୍ରୀ ଶିନ୍ଦେ କହିଥିଲେ । ଜିଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାର ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶକ୍ତି ସଂରକ୍ଷଣ ପାଇଁ ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶକ୍ତି ସଂଚୟ ବାବଦରେ ସଚେତନ ସୃଷ୍ଟିର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଟିପିଏନଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କର ସରକାର, ଚିଫ କମର୍ସିଆଲ୍ ଅଫିସର ଦୁଷ୍ୟନ୍ତ ତ୍ୟାଗୀ, ଟିପିଏନଓଡିଏଲର ସିଏସଆର ବିଭାଗ ମୁଖ୍ୟ ଦିଲ୍ଲୀପ କୁମାର ସାହୁ ଓ ଅଧୀକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରାୟ ଏଥିରେ ଅନ୍ୟତମ ଅତିଥିଭାବେ ଯୋଗଦେଇ ଦାୟିତ୍ୱ ସମ୍ପନ୍ନ ବିଦ୍ୟୁତ ଯୋଗାଣକାରୀ କମ୍ପାନୀ ଭାବେ ଶକ୍ତି ସଂରକ୍ଷଣ ପାଇଁ ଟାଟା ପାୱାର ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଟିପିଏନଓଡିଏଲର କାର୍ଯକ୍ଷେତ୍ର ପରିସରରେ ଥିବା ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟରେ ଏନର୍ଜି କ୍ଲବ ସ୍ଥାପନ ସହ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଉଥିବା ସେମାନେ କହଥିଲେ । ଉର୍ଜା ମହୋତ୍ସବ ଅବସରରେ ସକାଳୁ ଗାନ୍ଧୀ ସ୍ମୃତି ଭବନ ପରିସରରେ ଜିଲ୍ଲାର ବିଭିନ୍ନ ସ୍କୁଲର ଏନଜି କ୍ଲବ ପକ୍ଷରୁ ଶକ୍ତି ସଂରକ୍ଷଣ ସମ୍ପର୍କିତ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ।ଏଥି ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ ଶୀର୍ଷକ ବକ୍ତୃତା, ଚିତ୍ରାଙ୍କନ, କୁଇଜ ପ୍ରଭୃତି ପ୍ରତିଯୋଗିତା କରାଯାଇଥିଲା । ଏହି ଅବସରରେ ଅତିଥିମାନେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ସାଧନା ଫାଉଣ୍ଡେସନର ସଭାନେତ୍ରୀ ସୁଜାତାରାଣୀ ପଣ୍ଡା ଏଥିରେ ସ୍ୱାଗତ ଭାଷଣ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।