୨୭ରେ ଇପିଏଫ ପେନସନର୍ସ ଆସୋସିଏସନର ଆନ୍ଦୋଳନ
ବାଲେଶ୍ୱର, (ସରୋଜ ପଣ୍ଡା):ଭବିଷ୍ୟନିଧି ପାଣ୍ଠିରୁ ମାସିକ ପେନସନ୍ ପାଉଥିବା ଅବସରପ୍ରାପ୍ତ କର୍ମଚାରୀମାନେ ଆସନ୍ତା ୨୭ ତାରିଖ ସୋମବାର ବାଲେଶ୍ୱର ସ୍ଥିତ ସହକାରୀ ଭବିଷ୍ୟନିଧି କମିଶନର ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନିଆଯାଇଛି । ଇଂ. ଅନାଦି ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଉଠାଜଳସେଚନ କର୍ମଚାରୀ ସଂଘର ସଭାଗୃହରେ ଆୟୋଜିତ ବୈଠକରେ ଜିଲ୍ଲା ସଂପାଦକ ବିଷ୍ଣୁ ପ୍ରସାଦ ମହାନ୍ତି ଓ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଶ୍ୟାମସୁନ୍ଦର ଜେନା, ଜଳଧର ପଣ୍ଡା, ଭୂପତି ଭୂଷଣ ଦାସ, ଶରତ ଚନ୍ଦ୍ର ଦଳାଇ, ଶରତ ଚନ୍ଦ୍ର ନାୟକ, ଇଂ. କହ୍ନେଇଲାଲ୍ ଚୌଧୁରୀ, ପରମେଶ୍ୱର ପାତ୍ର, ମାୟାଧର ନାୟକ ଓ ମନ୍ମଥ ପରିଡ଼ା ପ୍ରମୁଖ ଯୋଗଦେଇ ଇପିଏଫ ପେନସନଧାରୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ । ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ ଓ କେନ୍ଦ୍ରୀୟ ଆସୋସିଏସନ୍ ଆହ୍ୱାନରେ ଆସନ୍ତା ୨୭ ତାରିଖରେ ଦେଶବ୍ୟାପୀ ହେଉଥିବା ଆନ୍ଦୋଳନକୁ ବାଲେଶ୍ୱରରେ ସଫଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆ ଦରବୃଦ୍ଧି ରୋକିବାରେ ସରକାର ବିଫଳ ହୋଇଥିବା ବେଳେ ମାତ୍ର ହଜାରେ ଟଙ୍କାରେ ବରିଷ୍ଠ ନାଗରିକମାନେ କେମିତି ଚଳିବେ ସେଥିପ୍ରତି ସରକାର ଗୁରୁତ୍ୱ ନଦେବା ବାସ୍ତବିକ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଥିଲେ । ମାସିକ ପେନସନ୍ ୯ ହଜାର ଟଙ୍କାକୁ ବୃଦ୍ଧି କରିବା, ଅଧିକ ବେତନ ପାଇ ଅବସର ନେଇଥିବା କର୍ମଚାରୀଙ୍କୁ ଉଚ୍ଚ ହାରରେ ମାସିକ ପେନସନ୍ ପ୍ରଦାନ କରିବା, ସମସ୍ତ ପେନସନ୍ଭୋଗୀଙ୍କୁ ମହଙ୍ଗା ଭତ୍ତା ଏବଂ ସରକାରୀ ସ୍ୱାସ୍ଥ୍ୟବୀମା ଦାବିରେ ଆସନ୍ତା ୨୭ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ ପାଇଁ ଆହ୍ୱାନ ଦିଆଯାଇଛି । ଏହିଦିନ ଭବିଷ୍ୟନିଧି ପାଣ୍ଠି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ଗଣଧାରଣା, ସାଧାରଣ ସଭା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଂଜ ଜିଲ୍ଲାର ପେନସନ୍ଭୋଗୀମାନେ ବାଲେଶ୍ୱର ସ୍ଥିତ ଭବିଷ୍ୟନିଧି ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ଓ କେନ୍ଦ୍ର କମିଟିର ଆହ୍ୱାନ ଏବଂ ବିଭିନ୍ନ ଅଦାଲତର ଆଦେଶ ଉପରେ ଉପସ୍ଥିତ ସଦସ୍ୟଙ୍କୁ ଅବଗତ କରାଇଥିଲେ । ସନ୍ନ୍ୟାସୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।