ପ୍ରସ୍ତାବିତ ଠିପି ଖୋଲା ମଦଦୋକାନ ନିଷ୍ପତିକୁ ବିରୋଧ, ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଛେନାପଦିଛକରେ ପ୍ରସ୍ତାବିତ ଠିପି ଖୋଲା ମଦଦୋକାନ ନିଷ୍ପତିକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଏନେଇ ସ୍ଥାନୀୟ ଲୋକମାନେ କେନ୍ଦୁଝର ଜିଲ୍ଲାପାଳ, ଅବକାରୀ ସଚିବ ଭୁବନେଶ୍ୱର, ଅବକାରୀ କମିସନର ଭୁବନେଶ୍ୱର, କେନ୍ଦୁଝର ଅବକାରୀ ଅଧିକ୍ଷକ, ଆନନ୍ଦପୁର ଅବକାରୀ ନିରୀକ୍ଷକ ପ୍ରମୁଖଙ୍କୁ ଜଣାଇ ଏହି ପ୍ରସ୍ତାବିତ ଠିପି ଖୋଲା ମଦଦୋକାନ ନିଷ୍ପତିକୁ ବିରୋଧ କରିଛନ୍ତି । ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଯେ ଏହି ପଞ୍ଚାୟତଟି ଆର୍ଥିକ ଅନଗ୍ରସର ପଞ୍ଚାୟତ ଭାବେ ଜଣାଶୁଣା । ଏଠାକାର ଲୋକମାନେ ବିଶେଷତଃ ଚାଷ ଓ ଛେନାପଦିଛକ ବଜାର ଉପରେ ଛୋଟକାଟର ବେପାର ବଣିଜ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଏଠାରେ ପୁର୍ବରୁ ସରକାରୀ ସ୍ୱିକୃତିପ୍ରାପ୍ତ ଏକ ବିଦେଶୀ ମଦଦୋକାନ ଓ ଦେଶୀମଦ ଦୋକାନ ଅଛି । ପୁନର୍ବାର ଆନନ୍ଦପୁର-ଭଦ୍ରକ ରାଜ୍ୟରାଜପଥ କଡର ଶାସଙ୍ଗ ଛକ ନିକଟରେ ଅନ୍ୟଏକ ଠିପି ଖୋଲା ମଦଦୋକାନ ଖୋଲିବାକୁ ସରକାର ନିଷ୍ପତି ନେଇଥିବାରୁ ଏହାର ପ୍ରଭାବ ନିଶ୍ଚିତ ଭାବେ ସ୍ଥାନୀୟ ଲୋକମାନଙ୍କ ଉପରେ ପଡିବ । ଏହି ରାସ୍ତାଦେଇ ନିକଟରେ ଥିବା ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନେ ଯାତାୟତ କରୁଥିବାରୁ ଛାତ୍ରଛାତ୍ରୀ ମାନଙ୍କ ଉପରେ ତାର କୁପ୍ରଭାବ ପଡିବାର ଆଶଙ୍କା ଅଛି । ସେହିପରି ପ୍ରସ୍ତାବିତ ମଦଦୋକାନ ଠାରୁ ମାତ୍ର ୧୦୦ମିଟର ଦୁରରେ ଶିବ ମନ୍ଦିର, ୪୦୦ମିଟର ଦୁରରେ ହାଇସ୍କୁଲ ଥିବାରୁ ଠିପିଖୋଲା ମଦଦୋକାନ ଖୋଲାଗଲେ ଏଠାରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହିତ ସେଠାରେ ଅପ୍ରିତିକର ପରିବେଶ ସୃଷ୍ଟି ହେବ । ମୁଖ୍ୟ ରାସ୍ତାଠାରୁ ମାତ୍ର ୨୦ଫୁଟ ଦୁରରେ ଏହି ମଦଦୋକାନ ଖୋଲାଯିବାକୁ ଥିବାରୁ ଅନେକ ସମୟରେ ଦୁର୍ଘଟଣାମାନ ଘଟି ଧନଜୀବନ ହାନୀ ହେବାର ମଧ୍ୟ ଆଶଙ୍କା ରହିଛି । ଏହି ବଜାରଟି ଉପରେ ଶାସଙ୍ଗ ପଞ୍ଚାୟତ ସମେତ ବଞ୍ଚୋ, ଅକରୁଆ, ସୁଲଣ ପ୍ରଭୃତି ପଞ୍ଚାୟତର ଲୋକମାନେ ନିର୍ଭର କରୁଥିବାବେଳେ ଏହି ରାସ୍ତାଦେଇ ନିୟମିତ ଡାକ୍ତରଖାନା, ତହସିଲ, ବ୍ଲକ କାର୍ଯ୍ୟାଳୟକୁ ଯିବାଆସିବା କରିଥାନ୍ତି । ଏଠାରେ ଠିପିଖୋଲା ମଦଦୋକାନ ହେଲେ ଏହାର ପ୍ରଭାବ ନିଶ୍ଚିତ ଭାବେ ଏହିସବୁ ପଞ୍ଚାୟତବାସୀଙ୍କ ଉପରେ ପଡିବ । ଏଣୁ ଏହି ଠିପିଖୋଲା ମଦଦୋକାନ ନିଷ୍ପତିରୁ ସରକାର ଓହରି ଯାଆନ୍ତୁ ବୋଲି ସ୍ଥାନୀୟ ଅଧିବାସୀମାନେ ଦାବି କରିଛନ୍ତି ।