ମଧୁସାଗର ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆସ୍ଥିତ ବୀଣାପାଣୀ ସଂଗୀତ ସଦନ ଗୃହରେ ମଧୁସାଗର ମହୋତ୍ସବ -୨୦୨୩ ପାଳନ ପାଇଁ ତୃତୀୟ ପ୍ରସ୍ତୁତି ବୈଠକ ସଭାପତି ଡା. ବିଶ୍ୱପ୍ରକାଶ କାନୁନଗୋଙ୍କ ଅନୁପସ୍ଥିତି ଯୋଗୁଁ କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳର ଉତ୍ସାହୀ ଯୁବ ସହଯୋଗୀଙ୍କ ସମେତ ମଧୁସାଗର ପରିବ୍ୟାପ୍ତ ଅଞ୍ଚଳର ଜନପ୍ରତିନିଧି ଚକ୍ରୋଡା, ରତାଦିଆ ଖଣ୍ଡସାହି, ଦାନପୁର, ଚାନ୍ଦୋଳ, ଖମୋଳ ଓ କାଉପଡା ଗ୍ରାମପଞ୍ଚାୟତର ସରପଞ୍ଚବୃନ୍ଦ ଏହି ବୈଠକରେ ଯୋଗଦେଇ ଉତ୍ସବ ପାଳନରେ ସହଯୋଗ ସହ ସମସ୍ତ ବିଷୟରେ ଆଲୋଚନା କରିଥିଲେ । ପୂର୍ବ ବୈଠକରେ ଜମଧର ଓ ଭାଗବତପୁର ଗ୍ରାମପଞ୍ଚାୟତର ସରପଞ୍ଚ ଦ୍ୱୟ ଯୋଗଦେଇ ମହୋତ୍ସବ ପାଳନ ପାଇଁ ସମସ୍ତ ସହଯୋଗ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ । ବଳଦେବ ସାଂସ୍କୃତିକ ପରିଷଦ, ବାଲିଆ , ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ଓ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ୨୦୧୮ରୁ ହୋଇ ଆସୁଥିବା ମଧୁସାଗର ମହୋତ୍ସବ ସମାରୋହ ପ୍ରସଂଶନୀୟ ଭୂମୀକାରେ ଅନେକ ଗୁରୁତ୍ୱ ବହନ କରି ଆସୁଛି । ଆସନ୍ତା ମାର୍ଚ୍ଚମାସ ୧୩ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବ ପାଇଁ ସ୍ମରଣୀକା ପ୍ରସ୍ତୁତି, ବ୍ୟାପକ ପ୍ରଚାର ପ୍ରସାର ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କେନ୍ଦ୍ରାପଡାର ଐତିହ୍ୟ, ସିଦ୍ଧ ବଳଦେବ ସଂସ୍କୃତି, ଶିକ୍ଷଣୀୟ ଓ ଗ୍ରହଣୀୟ ବୈାଦ୍ଧିକ ଆଲୋଚନା, ପୂଜ୍ୟପୂଜାକୁ ସମ୍ମାନ ପ୍ରଦର୍ଶନ, ଲୁକ୍କାୟୀତ କୁନି ପ୍ରତିଭାମାନଙ୍କୁ ନୃତ୍ୟାଭିନୟ ପରିବେଷଣ ମଞ୍ଚସୃଷ୍ଟି ଓ ମନୋରଞ୍ଜନ ଧର୍ମୀ ଶାସ୍ତ୍ରୀୟ ଓ ଆଧୁନିକ ନୃତ୍ୟାଭିନୟ ପରିବେଷଣ ପୂର୍ବକ ଉତ୍ସବଟିକୁ ସମୃଦ୍ଧ କରିବାର ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଚଳିତବର୍ଷ ମହୋତ୍ସବର ଖସଡା ପ୍ରସ୍ତୁତି ପାଇଁ ୮ଟି ସଂଚାଳନ କମିଟି ଗଠନ କରାଯାଇଥିବା ସହ ସମ୍ପାଦକ ମଦନମୋହନ ବେହେରା ଜଣାଇଛନ୍ତି । ଏହି ବୈଠକରେ ଉପସ୍ଥିତ ନାରାୟଣ ସ୍ୱାଇଁ ସମସ୍ତଙ୍କ ସହଯୋଗ କାମନା କରିଥିବା ବେଳେ ରମେଶ ଚନ୍ଦ୍ର ପତି ଧନ୍ୟବାଦ ଅର୍ପଣ କରିଥିଲେ ।