ଜିଲ୍ଲା ପୋଲିସ ମୂଖ୍ୟାଳୟରେ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ପୋଲିସ ମୂଖ୍ୟାଳୟର ରିଜର୍ଭ ପଡିଆରେ ଗୁରୁବାର ୫୭ତମ ରାଜ୍ୟ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତି ଶେଖର ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସମ୍ମିଳିତ ପ୍ୟାରେଡର ନେତୃତ୍ୱ ନେଇଥିଲେ ଗୃହରକ୍ଷୀ ନାରାୟଣ ଜେନା । ପ୍ରଥମେ ୧୯୪୨ ମସିହାରେ ବମ୍ବେ ଠାରେ ସାମ୍ପ୍ରଦାୟୀକ ଦଙ୍ଗାକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପୋଲିସ ବାହିନୀ ନଥିବାରୁ ସେତେବେଳେ ପୋଲିସ ସଂସ୍ଥାକୁ ସାହାଯ୍ୟ କରିବାକୁ ଗୃହରକ୍ଷୀ ବାହିନୀ ଗଠନ କରାଯାଇଥିବା ବେଳେ ପୁନଶ୍ଚ ୧୯୬୨ ମସିହା ଡିସେମ୍ବର ୬ତାରିଖରେ ଚୀନ ଭାରତ ଉପରେ ଆକ୍ରମଣ କରିବା ସମୟରେ ଗୃହରକ୍ଷୀ ସଂସ୍ଥାକୁ ସାରାଦେଶରେ ମାନ୍ୟତା ମିଳିବା ସହିତ ପୋଲିସ ପଛକୁ ନିଷ୍କାମ ସେବାରେ ମହାନ ବ୍ରତ ନେଇ ଏକ ସହାୟକ ସଂସ୍ଥା ଭାବରେ ସାମିଲ କରାଯାଇଥିଲା ବୋଲି ଏସ.ପି. ଶ୍ରୀ ଶେଖର ବକ୍ତବ୍ୟ ରଖିଥିଲେ । ତେଣୁ ସେହିଦିନ ଠାରୁ ସାରା ଭାରତବର୍ଷରେ ଡିସେମ୍ବର ୬ ତାରିଖକୁ ଗୃହରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି । ଗ୍ୃହରକ୍ଷୀମାନେ ନିଷ୍ଠାର ସହିତ ସେବା ମନୋଭାବ ନେଇ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶେଖର କହିଥିଲେ । ଏହି ଉତ୍ସବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୀତା ପଟ୍ଟନାୟକ, ବ୍ରହ୍ମନନ୍ଦ ଗାଗାରିନ ମହାନ୍ତି, କେନ୍ଦ୍ରାପଡା ଏସ.ଡି.ପି.ଓ.ରାଜୀବଲୋଚନ ପଣ୍ଡା, ଉପ ଆରକ୍ଷୀ ଅଧିକ୍ଷକ କାର୍ତ୍ତିକ କୁମାର ମଲ୍ଲିକ,ଅମୀତ ସିହ୍ନା,ସହକାରୀ କମାଣ୍ଡାଂଟ ସୁରେନ୍ଦ୍ର ନାଥ ନାୟକ, ରିଜର୍ଭ ଇନିସପେକ୍ଟର ହେମନ୍ତ କୁମାର ଦାସଙ୍କ ସମେତ ବିଭିନ୍ନ ଥାନାର ଇନିସପେକ୍ଟର ଓ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।


