ଜିଲ୍ଲା ସ୍ତରୀୟ ଆଇନ୍ ସଚେତନତା ଶିବିର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ପରିଷଦ ଗ୍ରାମ୍ୟ ଉନ୍ନୟନ ଋଷିକୂଲ୍ୟା ସମ୍ମିଳନୀ ପ୍ରକୋଷ୍ଠ ଠାରେ ଜିଲ୍ଲା ସ୍ତରୀୟ ଆଇନ୍ ସଚେତନତା ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଓଡିଶା ରାଜ୍ୟ ମହିଳା କମିଶନର ଡଃ ମିନତୀ ବେହେରା ସଚେତନତା କର୍ମଶାଳାରେ ଯୋଗ ଦେଇ ନିଜ ବକ୍ତବ୍ୟରେ ଅବଗତ କରାଇଥିଲେଯେ, ପ୍ରତ୍ୟେକ କ୍ଷେତ୍ରରେ ଆଇନ୍ ରହିଛି, ଏହାର ସଠିକ୍ ବ୍ୟବହାର ନିମନ୍ତେ ସଚେତନତା ଏକାନ୍ତ ଜରୁରୀ । ମହିଳା ଓ କନ୍ୟାରତ୍ନ ସୁରକ୍ଷା ଦିଗରେ ଆଇନ୍ ରହିଛି, ଏହାର ସୁ ବିନିଯୋଗ ହୋଇ ଏହି ନିୟମର କଡାକଡି ପାଳନ ହେଲେ ସମାଜରେ ଦେଖା ଦେଇଥିବା କୁ ସଂସ୍କାରର ମୂଳପୋଛ ହୋଇପାରିବ ଏବଂ ସମାଜରେ ଶାନ୍ତି ଫେରି ଆସିବ । ଗଞ୍ଜାମ ଜିଲ୍ଲାରେ ମହିଳା ଓ କନ୍ୟାରତ୍ନର ସୁରକ୍ଷା ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ଏହି ଦିଗରେ ସଫଳତା ହାସଲ କରିଛି । ଯେଉଁ ସବୁ ଯୋଜନା ଗୁଡିକ କାର୍ଯ୍ୟ କରୁଅଛି ସେ ଗୁଡିକ ତଳ ସ୍ତରରୁ ସଠିକ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏଥି ସକାଶେ ମହିଳା ମା ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେମାନେ ସେମାନଙ୍କ ଅଧିକାରକୁ ଭଲଭାବରେ ଜାଣିଲେ ହିଁ ସେମାନଙ୍କ ଅଧିକାର ସୁରକ୍ଷିତ ରହିବ ଓ ସେମାନେ ଆତ୍ମ ସମ୍ମାନର ସହିତ ବଞ୍ଚିବେ ବୋଲି ଜଣାଇ ଥିଲେ । ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଅନ୍ୟତମ ଅତିଥି ରୂପେ ଯୋଗଦାନ କରି ନିଜ ବକ୍ତବ୍ୟରେ ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ କାର୍ଯ୍ୟ କରୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ମହିଳା ଓ କନ୍ୟାରତ୍ନ ସମ୍ମାନର ସହିତ କିଭଳି ବଞ୍ଚିବେ ସେହି ଅଧିକାର ସମ୍ପର୍କରେ ଆଲୋକପାତ କରି ଗଞ୍ଜାମ ଜିଲ୍ଲା ବାଲ୍ୟ ବିବାହମୁକ୍ତ ଜିଲ୍ଲା ଭାବେ ଘୋଷଣା ହୋଇଥିବା ଜଣାଇ ଏଥି ନିମନ୍ତେ କେଉଁ ସବୁ ପଦକ୍ଷେପ ମାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସୁବିସ୍ତୃତ ଆଲୋକପାତ କରିଥିଲେ । ବୈଠକରେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଏସ୍. ରାଜେଶ୍ବରୀ ଦୋରା, ଓଡିଶା ରାଜ୍ୟ ଶିଶୁ ମଙ୍ଗଳ କନସଲଟାଣ୍ଟ ଡା. ଏନ୍. ଟୁନା ସାହୁ, ଆକ୍ସନ୍ ଏଡ୍ ସଂଘର ଯୋଜନା ଅଧିକାରୀ ବି.ଏନ୍. ଦୂର୍ଗା ପ୍ରମୁଖ ଯୋଗଦାନ କରି ଘରୋଇ ହିଂସା, ଯୌତୁକଜନିତ ନିର୍ଯାତନା, ଯୌନ ନିର୍ଯାତନା, ବାଲ୍ୟ ବିବାହ ଇତ୍ୟାଦି ସମସ୍ତ ବିଷୟରେ ଆଲୋଚନା କରି ଏହି ସମସ୍ତ ଦିଗର ଦୂରୀକରଣ ଦିଗରେ ରହିଥିବା ଆଇନ୍ ସମୂହ ସମ୍ପର୍କିତ ଆଲୋଚନା କରାଯାଇଥିଲା । ସମ୍ପ୍ରତି ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଦ୍ବାରା କାର୍ଯ୍ୟ କରାଯାଉଥିବା ବିଭିନ୍ନ କାର୍ଯ୍ୟଧାରା ସମ୍ପର୍କରେ ଉପସ୍ଥିତ ଅଙ୍ଗନଓ୍ବାଡି କର୍ମୀ, ଆଶା କର୍ମୀ , ସ୍ବୟଂସହାୟକ ଗୋଷ୍ଠୀ, ମହିଳା ମହାବିଦ୍ୟାଳୟର ଛାତ୍ରୀ, ଆଇନ ଛାତ୍ରୀ, ଓ୍ବାନ ଷ୍ଟପ ସେଣ୍ଟରର କର୍ମକର୍ତ୍ତା, ଶିଶୁ ସୁରକ୍ଷା କମିଟିର ସଦସ୍ୟ ସଦସ୍ୟା ମାନଙ୍କୁ ଅବଗତ କରାଯାଇଥିଲା ।ବୈଠକରେ ଜିଲ୍ଲା ମହିଳା ଓ ଶିଶୁ ସୁରକ୍ଷା ଅଧିକାରୀ ଶୁଭଶ୍ରୀ ପାତ୍ର ପ୍ରାରମ୍ଭିକ ସୂଚନା ସହିତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ମହିଳା ଓ ଶିଶୁ ସୁରକ୍ଷା ଅଧିକାରୀ ସାଧନ ଚନ୍ଦ୍ର ଦାଶ, ମହିଳା ଓ ଶିଶୁ ସୁରକ୍ଷା ବିଭାଗୀୟ ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ଏହି ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ସଭ୍ୟ ସଭ୍ୟା ଓ ପ୍ରତିନିଧିଗଣ ଉପସ୍ଥିତ ରହି କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ