ମା ତାରା ତାରିଣୀ ଚୈତ୍ର ପର୍ବ ସକାଶେ ପ୍ରସ୍ତୁତି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚଳିତ ମାସ ୧୪ ତାରିଖ ଠାରୁ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀଙ୍କ ଚୈତ୍ର ପର୍ବ ଅନୁଷ୍ଠିତ ହେବ । ଏହି ଚୈତ୍ର ପର୍ବ ୪ ପାଳି ଅର୍ଥାତ୍ ମାର୍ଚ୍ଚ ମାସ ୧୪, ୨୧ ଓ ୨୮ ତାରିଖ ଏବଂ ଏପ୍ରିଲ ମାସ ୪ ତାରିଖ ଦିନ ଅନୁଷ୍ଠିତ ହେବ । ଏହାକୁ ଶାନ୍ତି ଶୃଙ୍ଖଳାର ସହିତ କିଭଳି ଆୟୋଜନ କରାଯିବ ଏଥି ସକାଶେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ବୁଧବାର ଦିନ ବୈଠକ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଅବଗତ କରାଇଥିଲେଯେ, ଚଳିତ ବର୍ଷ ମା ତାରାତାରିଣୀଙ୍କ ଦର୍ଶନ ନିମନ୍ତେ ଅନେକ ଭକ୍ତ ତଥା ମାନସିକଧାରୀ ବହୁ ସଂଖ୍ୟାରେ ଯୋଗଦାନ କରିବେ । ତେଣୁକରି ପ୍ରବଳ ଜନଗହଳିକୁ ଆଖି ଆଗରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ପଡିବ । ଚଳିତ ବର୍ଷ ମା ଙ୍କ ଦର୍ଶନ ନିମନ୍ତେ ଭକ୍ତ ମାନଙ୍କ ଠାରୁ କୌଣସି ଅର୍ଥ ଆଦାୟ ନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଭକ୍ତ ମାନଙ୍କ ଯାତାୟତ, ସେମାନଙ୍କ ବସିବା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ , ମଣ୍ଡନ ସକାଶେ ସ୍ଥାନ, ଆଲୋକ ବ୍ୟବସ୍ଥା, ଦୀପ ଲଗାଇବା ସ୍ଥାନ ଇତ୍ୟାଦିର ସୁବ୍ୟବସ୍ଥା ଯେପରି ସଠିକ ହେବ ସେଥି ସକାଶେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସମସ୍ତଙ୍କୁ ସ୍ବାଗତ ଜଣାଇ ଚୈତ୍ର ପର୍ବ ଆୟୋଜନ ସକାଶେ ବିଭିନ୍ନ ପ୍ରସ୍ତାବ ଗୁଡିକ ଆଗତ କରିଥିଲେ । ମନ୍ଦିରର ସାଜସଜ୍ଜା, ତୋରଣ ନିର୍ମାଣ, ଦୈନିକ ପୂଜା ବିଧି, ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ବ୍ୟବସ୍ଥା ଚଳିତ ବର୍ଷ ମଣ୍ଡନ ସକାଶେ ବିଗତ ବର୍ଷ ଭଳି ୪ ଗୋଟି ସ୍ଥାନ ହେବ ତତ୍ ସହିତ ଅତିରିକ୍ତ ଆଉ ୨ ଟି ସ୍ଥାନ ଏ ଭଳି ସମୁଦାୟ ୬ ଗୋଟି ସ୍ଥାନରେ କରାଯିବ । ନଦୀ କୂଳରେ ଭକ୍ତଗଣ କିଭଳି ସୁବିଧାରେ ଗାଧୋଇବା ସହିତ ଜଳ ଉଠାଇ ପାରିବେ ସେଥି ସକାଶେ ସୁ ବ୍ୟବସ୍ଥା ଓ ଆଲୋକୀ କରଣ ହେବ । ମନ୍ଦିର ପରିସରରେ ମାଙ୍କଡ ମାନଙ୍କ ଉପଦ୍ରବ ରୋକିବା ବ୍ୟବସ୍ଥା ଓ ସେମାନଙ୍କମଳ ପରିସ୍କାର ଅବିରତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ତିନି ଗୋଟି ସ୍ଥାନରେ ଯାନ ବାହନ ରଖିବା ବ୍ୟବସ୍ଥା କରାଯିବ । ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ହେବା ସହିତ ୬ ଗୋଟି ସ୍ଥାନରେ ୯ ଗୋଟି ଟ୍ୟାଙ୍କର ଦ୍ବାରା ଜଳ ଯୋଗାଣ ହେବ । ଅସ୍ଥାୟୀ ପରିସ୍ରାଗାର ନିର୍ମାଣ ହେବ । ପ୍ରବଳ ଜନ ଗହଳିକୁ ଦୃଷ୍ଟିରେ ରଖି ଭକ୍ତ ମାନଙ୍କ ଯାତାୟତ ନିମନ୍ତେ ବିଗତ ବର୍ଷ ୬ ଟି ବସ୍ ନିୟୋଜିତ ହୋଇଥିବା ସ୍ଥଳେ ଚଳିତ ବର୍ଷ ୧୦ ଗୋଟି ବସ୍ ର ବ୍ୟବସ୍ଥା କରାଯିବ । ଅଗ୍ନିଶମ ନିର୍ବାପକ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ସମେତ ଚଳିତ ବର୍ଷ ପ୍ରବଳ ଗରମ ହେବା ସମ୍ଭାବନା ଥିବା ହେତୁ ଅଂଶୁଘାତ ଚିକିତ୍ସା ସକାଶେ ନିକଟସ୍ଥ ଚିକିତ୍ସାଳୟରେ ପୂର୍ବ ପ୍ରସ୍ତୁତି କରି ରହିବାକୁ କୁହାଯାଇଛି ।ଏହି ବୈଠକରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନୀଳ ମାଧବ ଭୋଇ, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପି. କେ. ଦଳାଇ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଡି.ଆଇ.ବି. ଅଜୟ କୁମାର ମିଶ୍ର, ବ୍ଲକ୍ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମପୁର ବିଜୟ କୁମାର ବେହେରା, ତହସିଲଦାର ସନ୍ତୋଷ କୁମାର ସାହୁ, ଏସ୍.ଡି.ପି.ଓ. ରଜନୀ କାନ୍ତ ସାମଲ, ଜିଲ୍ଲା ସୂଚନାଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ମନ୍ଦିର ଟ୍ରଷ୍ଟ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଟି.କେ.ରେଡ୍ଡୀ, ବରିଷ୍ଠ ସେବାୟତ ବାପୁଜୀ ରଣାଙ୍କ ସମେତ ଅନ୍ୟାନ୍ୟସେବାୟତ ଏବଂ ସାମ୍ବାଦିକଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ