ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ଓ ଲୋକସେବା ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପ୍ରବାଦ ପୁରୁଷ, ଆଧୁନିକ ଓଡିଶାର ନିର୍ମାତା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକଙ୍କ ୧୦୭ତମ ଜନ୍ମଜୟନ୍ତୀ ଉପଲକ୍ଷେ ଜିଲ୍ଲାସ୍ତରୀୟ ପଞ୍ଚାୟତରାଜ ଦିବସ ଓ ଲୋକସେବା ଦିବସ ସମାରୋହ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡା. ଅନୀତା ପଟ୍ଟନାୟକ ଯୋଗ ଦେଇଥିଲେ । ପ୍ରବାଦ ପୁରୁଷ ବିଜୁବାବୁ ଗ୍ରାମାଞ୍ଚଳ ଓ ଅବହେଳିତ ସ୍ତରରେ ଥିବା ଜନସାଧାରଣଙ୍କ ନିକଟରେ ପ୍ରଶାସନିକ ସୁବିଧା ସୁଯୋଗ ଓ ସରକାରଙ୍କ ଜନମଙ୍ଗଳ କାର୍ଯ୍ୟକ୍ରମର ସଫଳତା ପହଞ୍ଚାଇବା ଉଦ୍ଦେଶ୍ୟରେ ଓଡିଶାର ୧୩ଟି ଜିଲ୍ଲାକୁ ୩୦ଟି ଜିଲ୍ଲାରେ ପରିଣତ କରିବା ସହିତ ମହିଳାମାନଙ୍କୁ ପଞ୍ଚାୟତ ନିର୍ବାଚନରେ ଶତକଡା ୩୩ ଭାଗ ସଂରକ୍ଷଣର ସୁବିଧା ପ୍ରଦାନ କରିଥିବା ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ଜଣେ ଅଗ୍ରଣୀ ଜନନେତା ଭାବେ ବିଜୁବାବୁ ସମସ୍ତଙ୍କର ଗ୍ରହଣୀୟ ହୋଇଥିଲେ ଓ କେନ୍ଦ୍ରାପଡା ତାଙ୍କ କର୍ମଭୂମି ଥିଲା ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ । କଳିଙ୍ଗ ବୀର, ଆଧୁନିକ ଓଡିଶାର ନିର୍ମାତା, ସ୍ୱାଧୀନତା ସଂଗ୍ରାମୀ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ଦୂରଦୃଷ୍ଟି ସମ୍ପର୍ଣ୍ଣ ପଦକ୍ଷେପ ଯୋଗୁଁ ପାରାଦ୍ୱୀପ ବନ୍ଦର ସ୍ଥାପନ, କେନ୍ଦ୍ରାପଡାର ଲାଇଫ୍ ଲାଇନ୍ ଭାବେ ଖ୍ୟାତ ଦୈତାରୀ ପାରାଦ୍ୱୀପ ଏକ୍ସପ୍ରେସ୍ ହାଇୱେ ନିର୍ମାଣ, ବାଲିମେଳା ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ର ସ୍ଥାପନ ପ୍ରଭୃତି କାର୍ଯ୍ୟ ସମ୍ଭବ ହୋଇପାରିଥିଲା । ଇଣ୍ଡୋନେସିଆ ସରକାରଙ୍କ ଦ୍ୱାରା “ଭୂମିପୁତ୍ର” ଆଖ୍ୟା ପାଇଥିବା ଅଦ୍ୱିତୀୟ ନେତାଙ୍କ ମରଶରୀରରେ ଇଣ୍ଡୋନେସିଆ, ରୁଷ୍ ଓ ଭାରତ ଭଳି ତିନୋଟି ଦେଶର ଜାତୀୟ ପତାକା ଆଚ୍ଛାଦିତ ହେବା ପ୍ରତ୍ୟେକ ଓଡିଆ ତଥା ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ । ଐତିହାସିକ ଗର୍ବ ଓ ଗୌରବମୟ ଗାଥା ବହନ କରୁଥିବା ବିଜୁବାବୁଙ୍କ ପ୍ରିୟ ବିମାନ “ଡାକୋଟା”କୁ ଆଜି ବିଜୁପଟ୍ଟନାୟକ ବିମାନ ବନ୍ଦରରେ ଜନସାଧାରଣଙ୍କ ପାଇଁ ତାଙ୍କ ସୁପୁତ୍ର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିର ପବିତ୍ର ଦିବସରେ ଜନସାଧାଣଙ୍କ ଦର୍ଶନ ପାଇଁ ଲୋକାର୍ପଣ କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ । ସମାରୋହର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରାଯାଇଥିଲା । ଜିଲ୍ଲା ପରିଷଦର ସଭ୍ୟ/ସଭ୍ୟା, ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା, ସରପଞ୍ଚ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ବିଜୁବାବୁଙ୍କ ଗାରିମାମୟ କାର୍ଯ୍ୟାବଳୀର ସ୍ମୃତିଚାରଣ କରିବା ସହ ଲୋକଙ୍କୁ ସେବା ଯୋଗାଇବା ନିମନ୍ତେ ଆଜିର ପବିତ୍ର ଦିବସରେ ସଂକଳ୍ପ ନେବାକୁ, ଆଜି ଦିବସ ପାଳନର ଆଭିମୁଖ୍ୟ ହେବା ଆବଶ୍ୟକ ବୋଲି କହିଥିଲେ । ଜିଲ୍ଲା ପରିଷଦ ପକ୍ଷରୁ ସ୍ଲାଇଡ୍ ମାଧ୍ୟମରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଜନମଙ୍ଗଳକାରୀ ଯୋଜନା ଯଥା ଗ୍ରାମ୍ୟ ଗୃହ ନିର୍ମାଣ, ସ୍ୱଚ୍ଛ ଭାରତମିଶନ, ବର୍ଯ୍ୟବସ୍ତୁୁ ପରିଚାଳନା, ନରେଗା, ଆମପାଠାଗାର, ଗ୍ରାମ୍ୟ ପାର୍କ, ପ୍ରାଥମିକ ବିଦ୍ୟାଳୟର ରୁପାନ୍ତୀକରଣ, ସୁଲଭ ଶୌଚାଳୟ, ମିଶନ ଶକ୍ତିର ବାଉଁଶ କ୍ରାଫ୍ଟ, ଗୋଲଡେନ ଗ୍ରାସ, ମିଶନ ଶକ୍ତି କେଫ, ଗ୍ରାମାଞ୍ଚଳ ପରିବହନ ସେବା ପାଇଁ ଇ-ଅଟୋ ବ୍ୟବସ୍ଥା ବିଷୟରେ ଚିତ୍ରାବଳୀ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲାରେ ଶ୍ରେଷ୍ଠ ଗ୍ରାମପଞ୍ଚାୟତ ପାଇଁ ଉଦିଷ୍ଟ ୯ଟି ବିଷୟକୁ ବିଚାର କରି କେନ୍ଦ୍ରାପଡା ଜିଲ୍ଲାର ମାର୍ଶଘାଇ ସାରା ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଶ୍ରେଷ୍ଠ ପଞ୍ଚାୟତର ମାନ୍ୟତା ପାଇଥିବା ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । ମାର୍ଶଘାଇ ବ୍ଲକର ଜମପଡା, କୁହୁଡି, ଆଖୁଆ-ଦକ୍ଷିଣୀ ଓ ମହାକାଳପଡା ବ୍ଲକର ଜମ୍ବୁ ଓ ଆଳି ବ୍ଲକର ଦେମାଳ ପଞ୍ଚାୟତକୁ ମୂଖ୍ୟ ଅତିଥି ପ୍ରମାଣପତ୍ର ଓ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ବିଭିନ୍ନ ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା, ସରପଞ୍ଚ, ଜିଲ୍ଲା ପରିଷଦର ସଭ୍ୟ/ସଭ୍ୟା, ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ସୁକନ୍ୟା ଦିବ୍ୟଜ୍ୟୋତି ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ