ଗ୍ରୀଷ୍ମ ପ୍ରବାହ ମୁକାବିଲାକୁ ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାବାସୀଙ୍କୁ ସତର୍କ ରହିବା ଓ ଅଂଶୁଘାତ ଜନିତ ସୁରକ୍ଷା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଜୁମ୍ ଆଭାସୀ ବୈଠକରେ ଜିଲ୍ଲାପାଳ ଅବଗତ କରାଇଥିଲେଯେ, ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅତ୍ୟଧିକ ଗରମ ଅନୁଭୂତ ହେବାର ସମ୍ଭାବନା ରହିଛି । ଏଣୁକରି ଜିଲ୍ଲାବାସୀଙ୍କୁ ସୁରକ୍ଷା ଦେବା ସହ ପ୍ରଶାସନ ପକ୍ଷରୁ ସମସ୍ତ ଆଶୁ ପଦକ୍ଷେପ ପୂର୍ବରୁ ଗ୍ରହଣ କରିବାକୁ ହେବ । ଏଥି ନିମନ୍ତେ ସମସ୍ତ ଲାଇନ୍ ବିଭାଗୀୟ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ପୂର୍ବ ପ୍ରସ୍ତୁତି କରି ସଜଗ ରହିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ଠାରୁ ଜଳକ୍ଲୀଷ୍ଟ ଅଞ୍ଚଳ ଗୁଡିକ ଚିହ୍ନଟ କରି ଜଳ ଯୋଗାଣର ବ୍ୟବସ୍ଥା, ଚିକିତ୍ସାଳୟ ଗୁଡିକରେ ଅଂଶୁଘାତ ଜନିତ ଚିକିତ୍ସା ସକାଶେ ସମସ୍ତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଜଳଛତ୍ର କେନ୍ଦ୍ର ଖୋଲିବାକୁ ପରାମର୍ଶ ଦେଇଛନ୍ତି । ପଶୁମାନେ ଯେପରି ପିଇବା ପାଇଁ ଜଳ ପାଇବେ ସେଥି ନିମନ୍ତେ ମଧ୍ୟ ବ୍ୟବସ୍ଥା କରିବାକୁ କହିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୁଷ୍ଟି ବୈଠକରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ସକାଶେ ବିଭିନ୍ନ କାର୍ଯ୍ୟଧାରା ଗୁଡିକ ସମ୍ପର୍କରେ ଅବଗତ କରାଇ ସମସ୍ତ ବିଭାଗ ତରଫରୁ ପୂର୍ବ ପ୍ରସ୍ତୁତି କିଭଳି କରାଯାଇଛି ସେ ସମ୍ପର୍କରେ ଅଧିକାରୀ ମାନଙ୍କୁ ପଚାରି ବୁଝିଥିଲେ । ଚଳିତ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ଗ୍ରୀଷ୍ମ ପ୍ରବାହ ଅଂଶୁଘାତ ନିୟନ୍ତ୍ରଣ ପାଇଁ କିପରି ପ୍ରସ୍ତୁତି ହେବା ଆବଶ୍ୟକ ସେ ବିଷୟରେ ଜିଲ୍ଲାର ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଚଳିତ ବର୍ଷର ପ୍ରଥମାର୍ଦ୍ଧରୁ ହିଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିବାବେଳେ ଆଗକୁ ଏହା ଆହୁରି ତୀବ୍ର ରୂପ ନେବାର ଆଶଙ୍କା ରହିଛି । ତେଣୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଭିନ୍ନ ସମୟରେ ଅଂଶୁଘାତ ହୋଇ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି, ତେଣୁ ସ୍ୱାସ୍ଥ୍ୟ ବିଭାଗକୁ ଉପଯୁକ୍ତ ପରିମାଣ ଓଆରଏସ ପେକେଟ ଓ ଔଷଧ ମଜୁଦ ରଖିବା ସହିତ ସଜାଗ ରହିବାକୁ କୁହାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଏକ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ ପ୍ରସ୍ତୁତ କରି ରଖିବା ସହିତ ଜିଲ୍ଲାର ବିଭିନ୍ନ ସିଏଚସି, ପିଏଚସି ରେ ମଧ୍ୟ ଅଂଶୁଘାତ ଜନିତ ଚିକିତ୍ସା କରିବା ନିମନ୍ତେ ଆଗୁଆ ପ୍ରସ୍ତୁତି କରିବାକୁ ଜଣାଇଥିଲେ । ସେହିପରି ବିଭିନ୍ନ ଗ୍ରାମାଞ୍ଚଳ, ପୌରପରିଷଦ, ବ୍ଲକ,ଏନ୍‌ଏସି ପକ୍ଷରୁ ଜଳଛତ୍ର ମାନ ଖୋଲାଯିବାକୁ ମଧ୍ୟ ଆଲୋଚନା ହୋଇଛି । ଜିଲ୍ଲାର ସମସ୍ତ ଦର୍ଶନୀୟ ସ୍ଥାନ ଗୁଡିକରେ ପାନୀୟ ଜଳ ବ୍ୟବସ୍ଥା କରାଯିବ l ପାଇପ୍ ଜଳ ଯୋଗାଇ ଦିଆଯାଉଛି । ଆବଶ୍ୟକ ସ୍ଥଳେ ଦୁର୍ଗମ ଅଞ୍ଚଳରେ ରହିଥିବା ଖରାପ ନଳକୂଅ ତୁରନ୍ତ ମରାମତି କରିବାକୁ କୁହାଯାଇଛି l ସେହିପରି ମଧ୍ୟାହ୍ନ ସମୟରେ ବାହାରେ ବୁଲିବାବେଳେ ପାଣି ବୋତଲ, ଛତା, ଟୋପି ତଥା ଓଦା କପଡା ଇତ୍ୟାଦି ମୁଣ୍ଡରେ ପକାଇ ଯାତାୟତ କରିବା ଏବଂ ଏନେଇ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ବ୍ୟାପକ ସଚେତନ କରାଇବାକୁ ମଧ୍ୟ ବିଭିନ୍ନ ବ୍ୟବସ୍ଥା ପାଇଁ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଶ୍ରମିକଗଣ ଦିନ ୧୧ ଘ ଠାରୁ ଅପରାହ୍ନ ୩ ଘ. ପର୍ଯ୍ୟନ୍ତ ଶ୍ରମ ଦାନ ନକରି ବିଶ୍ରାମ ନେବାକୁ ଶ୍ରମ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଶ୍ରମିକମାନଙ୍କ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ସମୟ ସାରଣୀ ସମ୍ପର୍କରେ ଅବଗତ କରିବା ପାଇଁ କୁହାଯାଇଛି । ଗ୍ରୀଷ୍ମ ଦିନେ ବିଶେଷ କରି ପାନୀୟଜଳ ସମସ୍ୟା ଯେପରି ଦେଖା ନଯାଏ, ବିଦ୍ୟୁତ ଯୋଗାଣରେ ଯେପରି ବାଧା ଉପୁଜିବ ନାହିଁ ସେ ଦିଗରେ ଆଗୁଆ ପଦକ୍ଷେପ ନେବାକୁ କୁହାଯାଇଛି । ପଶୁ ମାନଙ୍କ ଯତ୍ନ ନେବା, ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ସକାଳ ସମୟରେ ଖୋଲିବା, ଜୀବନ ରକ୍ଷକ ଔଷଧ ମହଜୁଦ ରଖିବା, ଜଙ୍ଗଲ ସୁରକ୍ଷା ଇତ୍ୟାଦି ଦୃଷ୍ଟି ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ସେହିପରି ଅଂଶୁଘାତରେ କାହାର ମୃତ୍ୟୁ ଘଟେ ତେବେ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ କିର୍ତ୍ତୀ ଭାସନ୍ ଭି, ସମସ୍ତ ଉପଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ଗୋଷ୍ଠୀ ଉନୟନ ଅଧିକାରୀ ସହ ଲାଇନ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ