ଓଡ଼ିଆ ଜାତିଭାଇର ଆତ୍ମା ଓ ଅସ୍ମିତା ପଖାଳ ପ୍ରେମରେ ସାରା ପରିବାର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପଖାଳ ପ୍ରେମରେ ସାରା ପରିବାର । ପରିବାର ସହିତ ସାମିଲ ହୋଇଥିଲେ ନିଜର ଆତ୍ମୀୟସ୍ୱଜନ ଓ ବନ୍ଧୁବାନ୍ଧବ । ବିଶ୍ୱ ପଖାଳ ଦିବସ ପାଳନ ଅବସରରେ ଏଭଳି ପଖାଳର ଆସର ଆୟୋଜନ କରିଥିଲେ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ପରିବେଶବିତ୍ ସୁଶାନ୍ତ ସାହୁ । ଘରେ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ଛୁଙ୍କ ପଖାଳ । ଯେହେତୁ ଦିନଟି ଥିଲା ସୋମବାର, ସବୁ ବ୍ୟଞ୍ଜନ ରହିଥିଲା ନିରାମିଷ । ପଖାଳ ସହିତ ଆଳୁ, ଟମାଟୋ ପୋଡ଼ା, ବାଇଗଣ, ଖଡ଼ା ଶାଗ ଭଜା, ସଜନା ଛୁଇଁ ବେସର ଭଜା, ବଡ଼ିଚୁରା, କାକୁଡ଼ି ସାଲାଡ୍, କଲରା ଚିପ୍ସ, ପିଆଜ, ଲେମ୍ବୁ ଖଣ୍ଡ, ନିମ୍ବଫୁଲ ପିଠଉ, ସାଗୁ, ଲିଆ ପାମ୍ପଡ଼ ଇତ୍ୟାଦି ପ୍ରସ୍ତୁତ ହୋଇଥିଲା । ଏ ସମ୍ପର୍କରେ ଶ୍ରୀ ସାହୁ କୁହନ୍ତି ଓଡ଼ିଆ ଜାତି ଭାଇର ପ୍ରିୟ ବ୍ୟଞ୍ଜନ ହେଉଛି ପଖାଳ । ଏହା ଓଡ଼ିଆ ଜାତି ଭାଇର ଆତ୍ମା ଓ ଅସ୍ମିତା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସହ ପଖାଳ ବି ଜଡ଼ିତ । ଏହି ସମୟରେ ପାରଦ ମଧ୍ୟ ଆଗକୁ ବଢ଼ିଥାଏ । ଅସହ୍ୟ ଗରମ ହୋଇଥାଏ, ଅସହ୍ୟ ଗରମକୁ ନିବାରଣ କରିଥାଏ ପଖାଳ । ତତ୍ସହିତ ଏହା ମାନସିକ ଓ ଶାରୀରିକ ସ୍ତରରେ ବହୁତ ଶକ୍ତି ଦେଇଥାଏ । ଘରେ ବର୍ଷର ଅଧିକାଂଶ ସମୟ ପଖାଳ ହୋଇଥାଏ । ଚଳିତବର୍ଷ ପରିବାର ସମେତ ଆତ୍ମୀୟସ୍ୱଜନ ଓ ବନ୍ଧୁବାନ୍ଧବ ପଖାଳ ଦିବସରେ ସାମିଲ ହୋଇ ପଖାଳର ମଜା ଉଠାଇଥିଲେ । ସୁଶାନ୍ତଙ୍କ ଧର୍ମପତ୍ନୀ ଅନସୂୟା ବ୍ୟଞ୍ଜନ ଗୁଡ଼ିକୁ ପ୍ରସ୍ତୁତ କରିଥିବା ବେଳେ ବନ୍ଧୁ ଚନ୍ଦ୍ରଶେଖର ପାଲ, ତ୍ରିଲୋଚନ ବେଉରା, ବାପିନା ନାୟକ ପ୍ରମୁଖ ପଖାଳ ପ୍ରସ୍ତୁତିରେ ସହଯୋଗ କରିଥିଲେ ।