କଂଗ୍ରେସ ପକ୍ଷରୁ ବାଲେଶ୍ୱରରେ ଗଣତନ୍ତ୍ର ବଞ୍ଚାଅ ସମବେଶ

ବାଲେଶ୍ୱର, (ସରୋଜ ପଣ୍ଡା):ରାହୁଳ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ପ୍ରସଙ୍ଗରେ କଂଗ୍ରେସ ଦଳ ଏକଜୁଟ ହୋଇ ସମଗ୍ର ଦେଶରେ ପ୍ରତିବାଦ କରୁଥିବା ବେଳେ ବାଲେଶ୍ୱରରେ ବି ଏହାର ପ୍ରତିଫଳନ ଲକ୍ଷ୍ୟ କରାଯାଇଛି । ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣତନ୍ତ୍ର ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନଠାରୁ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା ସହ ଜିଲାପାଳଙ୍କ ଦପ୍ତର ନିକଟରେ ପହଞ୍ଚିଥିଲା । ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ବାଲେଶ୍ୱର ସଂସଦୀୟ କ୍ଷେତ୍ରନେତା ନବଜ୍ୟୋତି ପଟ୍ଟନାୟକ ଯୋଗ ଦେଇ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବରୋଧୀ କାର୍ଯ୍ୟଧାରାକୁ ତୀବ୍ର ସମାଲୋଚନା କରିଥିଲେ । ଗୁଜୁରାଟର ଶିଳ୍ପପତିଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ସେମାନଙ୍କୁ ବର୍ଷକ ମଧ୍ୟରେ ବିଶ୍ୱର ଏକ ନମ୍ବର ଧନୀ ତାଲିକାରେ ରଖାଇବାରେ ପ୍ରଧାନମନ୍ତ୍ରୀ ସାହାଯ୍ୟ କରିଛନ୍ତି । ହିଣ୍ଡେନବର୍ଗର ରିପୋର୍ଟ ପ୍ରକାଶ ପରେ ଭାରତର କୋଟି କୋଟି ଗରିବ ଲୋକଙ୍କ ପୁଞ୍ଜିକୁ ସମ୍ପୃକ୍ତ ଶିଳ୍ପପତି ଖାଇ ଦେଇଥିବା ଜଣାପଡ଼ିଲା । ଅଦାନୀ ଗ୍ରୁପ ସହ ପ୍ରଧାନମନ୍ତ୍ରୀଙ୍କ କି ପ୍ରକାର ସମ୍ପର୍କ ରହିଛି ବୋଲି ରାହୁଲ ଗାନ୍ଧୀ ଲୋକସଭାରେ ପ୍ରଶ୍ନ ଉଠାଇବାରୁ ଗୁଜୁରାଟରେ ଚାଲିଥିବା ମକଦ୍ଦମାକୁ ପୁନଃ ବିଚାର କରାଯାଇ କାରାଦଣ୍ଡ ଦିଆଗଲା । ତେବେ ନ୍ୟାୟାଳୟର ଦୁଇବର୍ଷ ଦଣ୍ଡାଦେଶ ପ୍ରାସଙ୍ଗିକତା ଯାହାବି ଥାଉ, ମାତ୍ର ମୋଦି ଓ ଅଦାନୀଙ୍କ ମଧ୍ୟରେ ଥିବା ଭିତିରି ସମ୍ପର୍କକୁ ଏହା ପର୍ଦ୍ଦାଫାସ କରିବ ଓ କଂଗ୍ରେସ ଜନତାଙ୍କ ପାଖକୁ ଯାଇ ଉତ୍ତର ମାଗିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ହିଟଲର ଯେଭଳି ଦ୍ୱତୀୟ ବିଶ୍ୱଯୁଦ୍ଧ ବେଳେ ନିରୀହ ଲୋକଙ୍କୁ ହତ୍ୟା କରୁଥିଲା ଏବେ ଭାରତରେ ମୋଦି ସରକାର ଧର୍ମ ଆଳରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି ସହ ରାଷ୍ଟ୍ରକୁ ଭାଗ ଭାଗ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । ଅଦାନୀ ଗ୍ରୁପରେ ବେନାମୀ ଭାବେ କିଏ ୨୦ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଛି ଓ କେଉଁ ଚାଇନିଜ ଶିଳ୍ପପତି ଡ୍ରୋନ ଓ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣରେ ଅର୍ଥ ବିନିଯୋଗ କରି ରାଷ୍ଟ୍ରର ସୁରକ୍ଷାକୁ ବିପନ୍ନ କରୁଛନ୍ତି, ତାର ତଥ୍ୟ ପ୍ରଧାନମନ୍ତ୍ରୀ ଜନତାଙ୍କ ସମ୍ମୁଖରେ ଘୋଷଣା କରନ୍ତୁ ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରିବାରୁ ତାଙ୍କ ସଦସ୍ୟ ପଦ ରଦ୍ଦ ପାଇଁ ଷଡ଼଼ଯନ୍ତ୍ର କରାଯାଇଛି । ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ଶିଳ୍ପପତିଙ୍କୁ ସୁରକ୍ଷା ଦେଇ ନିଜ ଦଳର ପାଣ୍ଠି ବୃଦ୍ଧି କରୁଛନ୍ତି । ସେହିଭଳି ଦଶ ବର୍ଷ ତଳେ ବିଶ୍ୱର ଧନୀ ତାଲିକାରେ ୬୭୦ନମ୍ବରରେ ଥିବା ଅଦାନୀ ଗ୍ରୁପ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରଙ୍କ ଆଠବର୍ଷ କାର୍ଯ୍ୟକାଳ ମଧ୍ୟରେ ଦ୍ୱିତୀୟ ସ୍ଥାନରେ କିପରି ପହଞ୍ଚିଲା ବୋଲି ରାହୁଲ ଗାନ୍ଧୀ ସଂସଦରେ ପ୍ରଶ୍ନ କରିବା ପାପ କି ବୋଲି ସେ ପ୍ରଶ୍ନ କରିଥିଲେ । ଏଭଳି ଜନ ବିରୋଧୀ ସରକାର ବିରୋଧରେ ଗଣତନ୍ତ୍ରପ୍ରେମୀ ଜନତା ମୁହଁ ଖୋଲିବା ସହ ଆନ୍ଦୋଳନ ପାଇଁ ଆଗେଇ ଆସିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଏହି ପ୍ରତିବାଦ ସଭାରେ ପିସିସି ମୁଖପାତ୍ର ତଥା ଜଳେଶ୍ୱର ନେତା ସୁଦର୍ଶନ ଦାସ କେନ୍ଦ୍ର ସରକାରଙ୍କ ଦୂରଭିସନ୍ଧି ଜନ ବିରୋଧୀ କାର୍ଯ୍ୟକୁ କଡ଼ା ସମାଲୋଚନା କରିଥିଲେ । ୨୦୧୯ରେ ସବୁ ଚୋରଙ୍କ ସାଙ୍ଗିଆ କାହିଁକି ମୋଦି ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରିବାରୁ ଗୁଜୁରାଟର ଜଣେ ବ୍ୟକ୍ତି ଅଦାଲତରେ ମାମଲା ରୁଜ୍ଜୁ କରି ପରେ ହାଇକୋର୍ଟରେ ମାମଲା ପ୍ରତ୍ୟାହାର କରିବାକୁ ଆବେଦନ କରିଥିଲେ । ମାତ୍ର ସଂସଦରେ ରାହୁଲ ଗାନ୍ଧୀ ମୋଦି ଓ ଆଦାନୀଙ୍କ ମଧ୍ୟରେ ଥିବା ଭିତିରି ସମ୍ପର୍କ ଓ ଚାଇନା କମ୍ପାନିରେ ୨୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସଙ୍ଗ ଉଠାଇବାରୁ ଗୁଜୁରାଟ ଅଦାଲତରେ ସମ୍ପୃକ୍ତ ମାମଲାକୁ ପୁଣି ବିଚାର କରାଯାଇ ଦଣ୍ଡ ବିଧାନ କରାଯାଇଥିଲା । ଏହା ପଛରେ ମୋଦିଙ୍କ ଷଡ଼ଯନ୍ତ୍ର ଥିବା ଦର୍ଶାଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଜିଲା କଂଗ୍ରେସର ପୂର୍ବତନ ସଭାପତି ସତ୍ୟ ନାରାୟଣ ମହାନ୍ତି, ଭୋଗରାଇ ନେତା ସତ୍ୟଶିବ ଦାସ, ବସ୍ତା ଓ ବାଲିଆପାଳ ନେତା ବିଜନ ନାୟକ, ବାଲିଆପାଳ ବ୍ଲକ୍ ଉପାଧ୍ୟକ୍ଷ ରାଜେନ୍ଦ୍ର ଚୌଧୁରୀ, ଜିଲ୍ଲା କଂଗ୍ରେସ ଉପ ସଭାପତି କୃଷ୍ଣ ଗୋପାଳ ପଣ୍ଡା ଓ ଗୋପୀନାଥ ପାଢ଼ୀ, ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ଛାତ୍ର କଂଗ୍ରେସ ଜିଲା ସଭାପତି ଗୌତମ ସାହୁ, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଶ୍ରମିକ ନେତା ବିକାଶ ଦାସ, ଚାଷୀନେତା ଅରୁଣ ଜେନା, ଜଳେଶ୍ୱର ବ୍ଲକ ସଭାପତି ରାଜୀବ ପରିଡ଼ା, ସୋର ବ୍ଲକ ସଭାପତି ଶ୍ରୀକାନ୍ତ ଜେନା, ନୀଳଗିରି ବ୍ଲକ ସଭାପତି ମନୋରଞ୍ଜନ ପଣ୍ଡା, ରେମୁଣା ବ୍ଲକ ସଭାପତି ତରୁଣ ଦାସ, ବସ୍ତା ବ୍ଲକ ସଭାପତି ସତ୍ୟ ନାରାୟଣ ଗୁପ୍ତା, ସୋର ପୌରପାଳିକା କଂଗ୍ରେସ ସଭାପତି ରାଜେନ୍ଦ୍ର ମହାନ୍ତି, ବେଣୁଧର ରଞ୍ଜିତ୍‌, ହରେକୃଷ୍ଣ ସେନାପତି, ଗୌରାଙ୍ଗ ମହାପାତ୍ର, ସୁଶାନ୍ତ ସେଠୀ, ରବୀନ୍ଦ୍ର ଦାସ, ଯୁବନେତା ସରୋଜ ଲେଙ୍କା, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ୍ତ ଦାସ ଓ ସୁଧାଂଶୁ ଶେଖର ଜେନା, ଗୋପବନ୍ଧୁ ମହାପାତ୍ର, ରାଧା ବିନୋଦ ଦାସ, ରତନ ବାଗ, ଶେଖ ଅଜଗର, ମୀର ଅବଦୁଲ ମଜିଦ, ଅଞ୍ଜଳି ପ୍ରଧାନ, ଜ୍ୟୋତ୍ସ୍ନା ସେନାପତି, ବିଧାନ ଚନ୍ଦ୍ର ରାୟ, ପ୍ରତିମା ପଣ୍ଡା, ତିଳୋତ୍ତମା ଦାଶ ପ୍ରମୁଖ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗଣତନ୍ତ୍ର ହତ୍ୟାକାରୀ ବୋଲି ଅଭିହିତ କରିବା ସହ ଦୁର୍ନୀତିଗ୍ରସ୍ତ ଶିଳ୍ପପତି ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ଆହ୍ୱାନ ଦେଇଥିଲେ । ଶେଷରେ ସଦର ବ୍ଲକ କଂଗ୍ରେସ ସଭାପତି ଜୟକୃଷ୍ଣ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ