ରାଜନୈତିକ ଶତ୍ରୁତା ରୁ ରକ୍ତାକ୍ତ ସଂଘର୍ଷ ଘଟଣା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ସହଦେବ ଟିକର ପଡ଼ା ଗ୍ରାମରେ  ୨ ଗୋଷ୍ଠୀ ମଧ୍ୟରେ ରାଜନୈତିକ ଶତ୍ରୁତା ରୁ ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ ଟା ରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା।ଏହି ସଂଘର୍ଷ ରେ ଉଭୟ ପକ୍ଷର କାଳୁ ଗୌଡ଼,ଜ୍ୟୋତ୍ସ୍ନା ଗୌଡ଼,ପ୍ରତିମା ଗୌଡ଼ ଏବଂ ତୋଫାନ ଗୌଡ଼ ଗୁରୁତର ଆହାତ ହୋଇଥିଲେ।ଆହାତ ମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ସେଠାରେ ତୋଫାନ ଗୌଡ଼ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ଅନ୍ୟ ଆହାତ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା।ଶନିବାର ସକାଳେ ତୋଫାନ ଙ୍କ ମୃତଦେହ କୁ ବ୍ରହ୍ମପୁର ବଡ ଡାକ୍ତରଖାନା ରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନ ରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଶନିବାର ସକାଳେ ସାଇଣ୍ଟିଫିକ ଟିମ୍ ସହ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା,କେ.ନୂଆଗାଁ ଥାନା ଆଇ ଆଇ ସି ମୃତ୍ୟୁଞ୍ଜୟ ସ୍ୱାଇଁ,ଦିଗପହଣ୍ଡି ଥାନା ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଛନ୍ତି।ଶୁକ୍ରବାର ସକାଳେ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣ ପୁର ଗ୍ରାମରେ ବିଜେଡ଼ି ର  ପକ୍ଷରୁ ଅନୁଷ୍ଠିତ ମହିଳା ସମାବେଶ କୁ ଗ୍ରାମର କାଳୁ ଗୌଡ଼ ଓ ତାଙ୍କ ସମର୍ଥକ ମାନେ ଗ୍ରାମର ବହୁ ସଂଖ୍ୟକ ମହିଳା ଙ୍କୁ ନେଇ ଯାଇଥିଲେ। ସନ୍ଧ୍ୟାରେ ସେଠାରୁ ଫେରିଥିଲେ। ଏନେଇ ଅପର ଗୋଷ୍ଠୀ ର ସଦସ୍ୟମାନେ ବିରୋଧ କରିଥିଲେ। କିଛି ସମୟ ପରେ ଗ୍ରାମର ରବି ପଣ୍ଡା ଙ୍କ ଟ୍ରାକ୍ଟର ଓ ଜେସିବି ମେସିନ କୁ ସନ୍ଧ୍ୟାରେ ଦିଗପହଣ୍ଡି ତହସିଲଦାର ବାଲି ଉତ୍ତୋଳନ ବେଳେ ଜବତ କରିଥିଲେ।  ନିର୍ଦ୍ଦିଷ୍ଟ ଗୋଷ୍ଠୀ ର କିଛି ସଦସ୍ୟ ଏନେଇ ତହସିଲଦାର ଙ୍କୁ ସୂଚନା ଦିଆଯାଇଥିବା ସନ୍ଦେହ କରି ଅପର ଗୋଷ୍ଠୀର ଯୁବକ ମାନେ ସଂଘଟିତ ହୋଇ ବିପକ୍ଷ ଗୋଷ୍ଠୀର ତୋଫାନ ଏବଂ ତାଙ୍କ ବାପା ଉଆଳି ଗୌଡ଼ ଙ୍କୁ ଗାଳି ଗୁଲଜ କରିଥିଲେ।ଏଥିରେ ଉତ୍ତେଜିତ ହୋଇ ତୋଫାନ ପ୍ରତିବାଦ କରିବାରୁ ଜଣେ ଯୁବକ ଏକ ଛୁରୀ ରେ ତୋଫାନ ଙ୍କ ପେଟ କୁ ଭୂଷି ଦେବା ସହ ଅନ୍ୟମାନେ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ତୋଫାନ ରକ୍ତାକ୍ତ ଅବସ୍ଥାରେ ଘର କୁ ଯାଇ ଏକ କୁରାଢି ଆଣି ଅପର ଗୋଷ୍ଠୀର କାଳୁ ଗୌଡ଼ ପୋଖରୀ ରୁ ଫେରୁଥିବା ବେଳେ ତାଙ୍କ ମୁଣ୍ଡ କୁ ହାଣି ଦେଇଥିଲେ।ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପ୍ରତିମା ଗୌଡ଼ ଏବଂ ଜ୍ୟୋତ୍ସ୍ନା ଗୌଡ଼ ଙ୍କୁ ମଧ୍ୟ ସେ କୁରାଢି ରେ ଚୋଟ ପକାଇଥିଲେ। ପରେ ସମସ୍ତେ ସଂଘବଦ୍ଧ ଭାବେ ତୋଫାନ ଙ୍କୁ ଆକ୍ରମଣ କରିବାରୁ ସେ ତଳେ ଚେତା ଶୂନ୍ୟ ଅବସ୍ଥାରେ ପଡିଯାଇଥିଲେ।ଛୁରା ମାଡ଼ ରେ ତାଙ୍କ ଅନ୍ତବୁଜୁଳା ପଦାକୁ ବାହାରି ପଡିଥିଲା।ବହୁ ସମୟ ପର୍ଯ୍ୟନ୍ତ ସେ ଗାଁ ରାସ୍ତା ରେ ପଡ଼ି ରହିଥିଲେ। ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ରାତି ପ୍ରାୟ ୧୦ ଟା ରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତୋଫାନ ଙ୍କ ବାପା ଉଆଳି ଗୌଡ଼ ଙ୍କ ଏତଲା କ୍ରମେ କେ. ନୂଆଗାଁ ଥାନା ମାମଲା ନଂ.୧୧୯ /୨୩ ଏବଂ ବିପକ୍ଷ ଗୋଷ୍ଠୀର କାଳୁ ଗୌଡ଼ ଙ୍କ ପୁଅ ମନୋଜ କୁମାର ଗୌଡ଼ ଙ୍କ ଏତଲା କ୍ରମେ ଥାନା ମାମଲା ନଂ.୧୨୦/୨୩ ଅନୁଯାୟୀ ପୋଲିସ ପୃଥକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି।ଗିରଫ ଭୟରେ ଗାଁ ର ୧୨ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଫେରାର ଥିବା ପୋଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ