ଚିକିତ୍ସା ଅବହେଳାରୁ ମହିଳା ମୃତ୍ୟୁ ଅଭିଯୋଗ
ବାଲେଶ୍ୱର, (ସରୋଜ ପଣ୍ଡା):ଫକୀରମୋହନ ମେଡିକାଲ କଲେଜ ହସପିଟାଲ ତଥା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ରୋଗୀସେବାକୁ ନେଇ ବିଭିନ୍ନ ସମୟରେ ଉତ୍ତେଜନା ପ୍ରକାଶ ପାଉଛି । ବିଶେଷ କରି ଡାକ୍ତର ଓ ନର୍ସମାନଙ୍କର ଚିକିତ୍ସାରେ ଅବହେଳାକୁ ଯୋଗୁଁ ହେଉଥିବା ରୋଗୀ ମୃତ୍ୟୁକୁ ନେଇ ସାଧାରଣ ଲୋକେ ସରକାରୀ ଡାକ୍ତରଖାନା ପରିବର୍ତ୍ତେ ଖର୍ଚ୍ଚାନ୍ତ ହୋଇ ଘରୋଇ ନର୍ସିଂହୋମକୁ ଯାଉଥିବା ଲକ୍ଷ୍ୟ କରାଯାଇଛି ।ଌିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ ନର୍ସଙ୍କ ଦାୟିତ୍ୱହିନତା କାର୍ଯ୍ୟଧାରା ଯୋଗୁଁ ଗତ ହୋଲି ବେଳେ ଜଣେ ୮ମାସର ଶିଶୁ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାରେ ଅବହେଳାରୁ ବୁଧବାର ଜଣେ ୬୫ବର୍ଷିୟା ମହିଳାଙ୍କର ମୃତ୍ୟୁକୁ ଉତ୍ତେଜନା ପରିଲକ୍ଷିତ ହୋଇଥିଲା । ସୂଚନା ଅନୁସାରେ ଭୋଗରାଇ ବ୍ଳକ ଅଲାଳବିନ୍ଧା ଗ୍ରାମର ତରୁଲତା ଦାସ(୬୫)ଙ୍କର ମଙ୍ଗଳବାର ହଠାତ ଦେହ ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ଜଳେଶ୍ୱର ହସପିଟାଲ ଓ ପରେ ସନ୍ଧ୍ୟା ୭ଟାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଜିଲା ମୁଖ୍ୟ ଚିକିତ୍ସାଳୟର ଜରୁରୀକାଳୀନ ବିଭାଗରେ ପରୀକ୍ଷା ପରେ ତାଙ୍କର ରକ୍ତଚାପ ହ୍ରାପ ପାଇବା ଯୋଗୁଁ ସେ ଅସୁସ୍ଥ ହୋଇଥିବା ଜଣାପଡ଼ିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ମେଡିସିନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ତାଙ୍କ ବୋହୂ ରାଧାରାଣୀ ପାତ୍ରଙ୍କ ଅଭିଯୋଗ ଅନୁସାରେ, ୱାର୍ଡ଼ରେ ଭର୍ତ୍ତି ହେବାଠାରୁ ତାଙ୍କ ଶାଶୂଙ୍କୁ କେବଳ ସାଲାଇନ ଦିଆ ଯାଇଥିଲେ ବି କୌଣସି ଡାକ୍ତର କିମ୍ବା ନର୍ସ ସେମାନଙ୍କୁ ଚିକିତ୍ସା କରିନଥିଲେ । ଏମିତିକି ରାତିରେ ତାଙ୍କ ଶାଶୁ ବାଉଳିଚାଉଳି ହୋଇ ସାଲାଇନ ପାଇପ ଖୋଲି ଦେଇଥିବା ବେଳେ ସେମାନଙ୍କୁ ଜଣାଇବା ପରେ ମଧ୍ୟ ଡ୍ୟୁଟିରେ ଥିବା ଡାକ୍ତର କିମ୍ବା ନର୍ସ କେହି ରୋଗୀ ଦେଖିବାକୁ ଆସିନଥିଲେ । ଯଦି ଡାକ୍ତରମାନେ ତାଙ୍କୁ ସଠିକ ପରୀକ୍ଷା ସହ ଚିକିତ୍ସା କରିଥା’ନ୍ତ କିମ୍ବା ଚିକିତ୍ସାରେ ବିଫଳ ହୋଇଥାନ୍ତେ, ତାହେଲ ରୋଗୀଙ୍କୁ ଅନ୍ୟତ୍ର ନେଇ ଯାଇଥା’ନ୍ତୁ ବୋଲି ବୋହୂ ଶ୍ରୀମତୀ ପାତ୍ର କହିଥିଲେ । ରାତିସାରା ଯନ୍ତ୍ରଣାରେ ଛଟପଟ ହୋଇ ନିସ୍ତେଜ ଅବସ୍ଥାରେ ଥିବା ତାଙ୍କ ଶାଶୂଙ୍କୁ ବୁଧବାର ପୂର୍ବାହ୍ନ ୧୧ଟା ବେଳ ୱାର୍ଡ଼ ଭିଜିଟରେ ଆସିଥିବା ଡାକ୍ତର ପରୀକ୍ଷା କରିଥିଲେ । ତାଙ୍କ ପରାମର୍ଶ କ୍ରମେ ଦୁଇଟି ଇଞ୍ଜେକ୍ସନ ଦିଆଯାଇଥିଲା । ଇଞ୍ଜକ୍ସନ ଦେବାର ସ୍ୱଳ୍ପ ସମୟ ପରେ ତାଙ୍କ ଶାଶୂଙ୍କର ମୃତ୍ୟୁ ହୋଇଥିଲା ବୋଲି ବୋହୂ ଶ୍ରୀମତୀ ପାତ୍ର ଅଭିଯୋଗ କରିଛନ୍ତି । ସେହିଭଳି ମାଆଙ୍କର ଏସିଡିଟି ତୀବ୍ର ହେବାରୁ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା ବୋଲି ପୁଅ ସମୀର ଦାସ କହିଛନ୍ତିି । ମାତ୍ର ଏଠାରେ ଉଚିତ ଚିକିତ୍ସା କରା ନଯିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସେ ଆରୋପ ଉଠାଇଛନ୍ତି । ଚିକିତ୍ସାର ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗରେ ପରିବାର ପକ୍ଷରୁ ଡ୍ୟୁଟିରେ ଥିବା ଡାକ୍ତର ଏବଂ ନର୍ସଙ୍କ ବିରୋଧରେ ଟାଉନଥାନାରେ ଏତଲା ଦେଇଛନ୍ତି । ଉନ୍ନତ ସ୍ୱାସ୍ଥ୍ୟସେବା ଆଶାରେ ଜିଲାବାସୀଙ୍କ ଦୀର୍ଘଦିନର ଦାବି ଓ ଆନ୍ଦୋଳନ ଫଳରେ ବାଲେଶ୍ୱରରେ ସରକାରୀ ମେଡିକାଲ କଲେଜ ସ୍ଥାପନ ହୋଇଥିଲା । ସମସ୍ତେ ଆଶା କରିଥିଲେ ଯେ ଏଣିକି ଉନ୍ନତ ସେବା ମିଳିବ ବୋଲି । ବାଲେଶ୍ୱରରେ ମେଡିକାଲ କଲେଜକୁ ୫ ବର୍ଷ ପୂରିବାକୁ ଯାଉଥିବା ବେଳେ ସରକାରୀ ଡାକ୍ତରଖାନାରୁ ଏବେ ଲୋକେ ମୁହଁ ଫେରାଇବାକୁ ଲାଗିଲେଣି । ବିଶେଷ କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ଦୈତ୍ୟ ଶାସନ ବ୍ୟବସ୍ଥାକୁ ବୁଦ୍ଧିଜୀବୀମାନେ ଦାୟୀ କରିଛନ୍ତି । ଡାକ୍ତରମାନେ ମେଡିକାଲ କଲେଜ ଅଧୀକ୍ଷକଙ୍କ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ନର୍ସ ଓ କର୍ମଚାରୀଙ୍କୁ ପରିଚାଳନା କରୁଛନ୍ତି । ଉଭୟଙ୍କ ମଧ୍ୟରେ ସମନ୍ୱୟ ନରହିବା ଫଳ ରୋଗୀଙ୍କୁ ଭୋଗିବାକୁ ପଡ଼ୁଛି ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି ।
ବିଦ୍ୟୁତ ବିଲ ଆଦାୟ ବେଳେ ଆକ୍ରମଣର ଶିକାର କର୍ମଚାରୀ


