୨କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ
ଧାମନଗର (ଓ୍ବାଇଏନଏସ): ଧାମନଗର ନିର୍ବାଚନମଣ୍ଡଳୀର ବିକାଶ ଧାରାକୁ ଆହୁରି ଗତିଶୀଳ କରିବା ପାଇଁ ଆଜି ବଡ଼ ପଦକ୍ଷେପ ନିଆଯାଇଛି। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋହଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମ ପାଇଁ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ କେତେକ ସମ୍ପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ମେଗା କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ମଧ୍ୟ ମନ୍ତ୍ରୀଙ୍କ ସହ ସାମିଲ ହୋଇଥିଲେ।ମିଳିଥିବା ସୂଚନା ଅନୁଯାୟୀ, ସୋହଡ଼ା ପଞ୍ଚାୟତର ପ୍ରମୁଖ ୯ଟି ଗାଁ ଯଥା— ପିତେଇପୁର, ଡାଙ୍ଗୁଆପାଟଣା, ଗୌରାଙ୍ଗପୁର-ଦୁଲାରପୁର-ପାଟୁଳି, କଣ୍ଟାପାରି, ବେଦପୁର, ଷେଣ୍ଢପୁର, ମିଶ୍ରପୁର, ସୋହଡ଼ା ଓ ବାଲିପଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ମୋଟ ୨,୦୧,୪୬,୪୩୪ ଟଙ୍କା ବ୍ୟୟ ଅଟ୍ଟକଳରେ ସର୍ବମୋଟ ୭୮ଟି ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ଅନୁଦାନ ମଧ୍ୟରୁ ବେଦପୁର ଗ୍ରାମକୁ ସର୍ବାଧିକ ୩୩,୪୯,୧୫୧ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଷେଣ୍ଢପୁର ଗ୍ରାମରେ ସର୍ବାଧିକ ୧୧ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି।ଗ୍ରାମୀଣ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟକୁ ସର୍ବାଧିକ ପ୍ରାଥମିକତା ଦିଆଯାଇ ୨୫ଟି ପ୍ରକଳ୍ପ ଚିହ୍ନଟ କରାଯାଇଛି। ସେହିପରି ଶିକ୍ଷା ଓ ଶିଶୁ ବିକାଶ କ୍ଷେତ୍ରରେ ୧୬ଟି ସ୍କୁଲର ମରାମତି ଓ ୧୨ଟି ଅଙ୍ଗନୱାଡି କେନ୍ଦ୍ରର ନିର୍ମାଣ ଓ ପୁନରୁଦ୍ଧାର ହେବ। ସାମାଜିକ କାର୍ଯ୍ୟ ପାଇଁ ୧୧ଟି ଗୋଷ୍ଠୀ କେନ୍ଦ୍ର, ଆଧ୍ୟାତ୍ମିକ ଭାବନା ରକ୍ଷା ପାଇଁ ୭ଟି ମନ୍ଦିର/ଭୋଗମଣ୍ଡପ, ବାଲିପଡ଼ାଠାରେ ନୂତନ ମାର୍କେଟ କମ୍ପ୍ଲେକ୍ସ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମରାମତି, ବେଦପୁରରେ ଜଗନ୍ନାଥ ଦାସ ସ୍ମାରକୀ ଗ୍ରନ୍ଥାଗାର ଓ ବୈକୁଣ୍ଠି ଆଦର୍ଶ ପୁଷ୍କରିଣୀ ସଂରକ୍ଷଣ, ପିତେଇପୁରରେ ପାଲା ମଣ୍ଡପ ଏବଂ ଷେଣ୍ଢପୁରଠାରେ ଏକ ଛୋଟ ପୋଲ ନିର୍ମାଣ ଏହି ଯୋଜନାର ଅନ୍ତର୍ଭୁକ୍ତ। ଏହି ଗସ୍ତକାଳରେ ଷେଣ୍ଢପୁର ପିତେଇପୁରଠାରେ ପବିତ୍ର ବୈତରଣୀ ନଦୀରେ ନିର୍ମିତ ନୂତନ ସୁଦୃଶ୍ୟ ସ୍ନାନଘାଟ ତଥା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଲୋକାର୍ପଣ ହୋଇଯାଇଛି। ଏହା ସ୍ଥାନୀୟ ଜନସାଧାରଣଙ୍କର ଏକ ଦୀର୍ଘଦିନର ଦାବି ଥିଲା। ଏହି ଘାଟ ନିର୍ମାଣ ଫଳରେ ଏବେ ଲୋକମାନେ ସୁବିଧାରେ ସ୍ନାନ କରିପାରିବେ। ବିଶେଷକରି ଆଗାମୀ ଦିନରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପୁଣ୍ୟତୋୟା ବୈତରଣୀରେ ବୁଡ଼ ପକାଇବା ଅଧିକ ସହଜ ଏବଂ ସୁରକ୍ଷିତ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ସମସ୍ତ ପ୍ରକଳ୍ପ ଧାମନଗର ଅଞ୍ଚଳର ଚେହେରା ବଦଳାଇବା ସହ ସ୍ଥାନୀୟ ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ଜୀବନଧାରଣର ମାନରେ ବ୍ୟାପକ ଉନ୍ନତି ଆଣିବ ବୋଲି ମନ୍ତ୍ରୀ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ,ସାଂସଦଙ୍କ ସମେତ ଜଳସମ୍ପଦ ବିଭାଗର ସୁପରିଣ୍ଟେଣ୍ଡିଙ୍ଗ ଇଞ୍ଜିନିୟର ସଞ୍ଜୀବ ସାମଲ,ଏସ୍.ଡି.ଓ ଶମ୍ଭୁ ପ୍ରକାଶ ମଲ୍ଲିକ,ଜେଇ ସ୍ୱାଗତ ଦାଶ, ବିଡିଓ ବନବିହାରୀ ଦିନ୍ଦା ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ।


