ଲେମ୍ବୁ ଦର ଆକାଶ ଛୁଆଁ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଘରକରଣା ଠାରୁ ଆରମ୍ଭ କରି ସବୁ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେଉଛି । ଖାଇବା ତେଲ ଠାରୁ ଆରମ୍ଭ କରି ସମସ୍ତ ପନିପରିବା ମୂଲ୍ୟ ମଧ୍ୟ ଅହେତୁକ ବୃଦ୍ଧି ପାଇଛି । ଏପରି ସ୍ଥିତିରେ ସହରରେ ଲେମ୍ବୁ ଏକ ପ୍ରକାର ଗାଏବ ହୋଇଯାଇଛି। ଯେଉଁ କେଉଁଠି ବି ମିଳୁଛି ଲେମ୍ବୁ ଗୋଟାକ ୧୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି । ଗ୍ରାହକ ଲେମ୍ବୁ ଉପରେ ନଜର ହିଁ ପକାଉ ନାହାନ୍ତି। ଗତ ୧୦ଦିନ ମଧ୍ୟରେ ଲେମ୍ବୁ ଦରରେ ନିଆଁ ଲାଗିଛି। ୧୦ଦିନ ପୂର୍ବରୁ ଗୋଟିଏ ଲେମ୍ବୁ ମାତ୍ର ୨ରୁ ୩ ଟଙ୍କାରେ ବିକ୍ରି ହେଉଥିବା ବେଳେ ହଠାତ୍ ଏହାର ଦର ବୃଦ୍ଧି ହୋଇଛି। ହିଞ୍ଜିଳିକାଟୁ ବ୍ଳକର ଚାନ୍ଦୁଲି, ଖଣ୍ଡରା, ବୁରୁପୋଡା, ରାଳବ, ସିକିରି, ଖରିଡା, ଆଲପୁର ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳରୁ ବହୁତ ପରିମାଣରେ ଲେମ୍ବୁ ଉତ୍ପାଦନ ହୋଇ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ସହରକୁ ରପ୍ତାନି କରାଯାଉଥିଲା । ବର୍ତ୍ତମାନ ସ୍ଥିତିରେ ସ୍ଥାନୀୟ ଅଞ୍ଚଳରେ ଲେମ୍ବୁ ଉତ୍ପାଦନ ହେଉନାହିଁ । ଯାହା ଫଳରେ ଆନ୍ଧ୍ରପ୍ରଦେଶର ଏଲୁର୍‌ରୁ ଉତ୍ପାଦିତ ଲେମ୍ବୁ ପ୍ରାୟତଃ ସହରରେ ବିକ୍ରି ହେଉଥିବା ବେଳେ ସେଠାରେ କୌଣସି କାରଣରୁ ବର୍ତ୍ତମାନ ଉତ୍ପାଦନ ବନ୍ଦ ରହିଛି। ପୂର୍ବରୁ ଏଠାରୁ ଦୈନିକ ବ୍ରହ୍ମପୁର ଓ ହିଞ୍ଜିଳିକାଟୁ ସହରକୁ ଶହେ ବସ୍ତା ଲେମ୍ବୁ ଆସୁଥିବା ବେଳେ ତାହା ନିଅଣ୍ଟ ହେଉଥିଲା। ବର୍ତ୍ତମାନ କିନ୍ତୁ ୧୦ଦିନ ହେଲା ଏଲୁର୍‌ରୁ ଦୈନିକ ୩୦ବସ୍ତା ଲେମ୍ବୁ ଆସୁଥିବା କହିଛନ୍ତି ବ୍ୟବସାୟୀ। ଫଳରେ ନିଅଣ୍ଟ ହେଉଥିବା ସେ କହିଛନ୍ତି । ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହେବା ପର ଠାରୁ ଲେମ୍ବୁର ଖୋଜା ପଡ଼ୁଛି। ଲୋକେ ପଣାପାଣି ହେଉ ଅବା ପଖାଳ ଭାତ ପାଇଁ ଲେମ୍ବୁ ଖୋଜୁଛନ୍ତି | ଗୋଟିଏ ଲେମ୍ବୁ ୧୦ ଟଙ୍କାରେ ବଜାରରେ ବିକ୍ରି ହେଉଥିବା ଯୋଗୁଁ କେବଳ ଧନୀକ ଶ୍ରେଣୀ ଲୋକ ହିଁ ଲେମ୍ବୁ କିଣୁଥିବା ଦେଖିବାକୁ ମିଳୁଛି । ଛୋଟ ଛୋଟ କିମ୍ବା ଟିକିଏ ଶୁଖୁଲା ହେଲେ ଲେମ୍ବୁ ଗୋଟାକ ୭ଟଙ୍କାରେ ବିକ୍ରି ହେଉଛି । ତେବେ ଏହି ପରିସ୍ଥିତି କେବେ ସୁଧୁରିବ ସେ ନେଇ ବ୍ୟବସାୟୀମାନେ ଜାଣିନଥିବା କହିଛନ୍ତି। ଠେଲା ଗାଡ଼ିରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିକ୍ରି କଲେ ଲେମ୍ବୁ ସେହି ପରିମାଣରେ ସରୁନଥିବା ନେଇ ଦୋକାନୀ କହିଛନ୍ତି। ମୁଖ୍ୟତଃ ବାହାର ରାଜ୍ୟରୁ ଲେମ୍ବ ଆମଦାନୀ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଳକ ଜାମୁନି, ଶେରଗଡ଼ ଏବଂ ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ଲେମ୍ବୁ ଉତ୍ପାଦନ ହୋଇ ଆସୁଥିଲା। କିନ୍ତୁ ବର୍ତ୍ତମାନ ଜିଲ୍ଲାରୁ ମଧ୍ୟ ଲେମ୍ବୁ ଆସୁନଥିବା ଦୋକାନୀ କହିଛନ୍ତି। ଯାହା ଫଳରେ ଲେମ୍ବୁର ଅଭାବୀ ବିକ୍ରି ଦେଖାଦେଇଛି । ଆସନ୍ତା ୨ ମାସ ପରେ ସ୍ଥାନୀୟ ଅଞ୍ଚଳରେ ଲେମ୍ବୁ ଆମଦାନୀ ପରେ ଦର ଖସିବ ବୋଲି ସ୍ଥାନୀୟ ଅଞ୍ଚଳର ଲେମ୍ବୁ ବ୍ୟବସାୟୀ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ