ଆଖୁ କ୍ଷେତରେ ବାର୍ହା ପଲଙ୍କ ଦୌରାତ୍ମ୍ୟ ବୃଦ୍ଧି
ଆସିକା (ୱାଇଏନ୍ଏସ୍): ଆସିକା ଅଞ୍ଚଳର ଶହଶହ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଗତ କିଛି ମାସ ହେଲା କେତେକ ଅଞ୍ଚଳର ଆଖୁ କ୍ଷେତରେ ଜଙ୍ଗଲୀ ବାର୍ହାଙ୍କ ଉପଦ୍ରବ ଯୋଗୁଁ ଚାଷୀ ମୁଣ୍ଡରେ ଚଡକ ପଡିଯାଇଛି । ଆସିକା ବ୍ଳକ ଓ ପୌର ପରିଷଦ ଅଧିନସ୍ଥ ଅଞ୍ଚଳର ଶହଶହ ଚାଷୀଙ୍କୁ ବର୍ତ୍ତମାନ ବାର୍ହା ପଲଙ୍କ ଉପଦ୍ରବ ଚିନ୍ତାରେ ଚିନ୍ତିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ଆଖୁ କ୍ଷେତରେ ବାର୍ହା ପଲଙ୍କ ଉପଦ୍ରବ ଯୋଗୁଁ ଫସଲ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି । ଆଖୁ ଫସଲରେ ବାର୍ହା ପଲଙ୍କ ଉପଦ୍ରବ ଯୋଗୁଁ ଚାଷୀଙ୍କ ଚିନ୍ତା ବଢିଯାଇଛି । ଆଉ କିଛି ମାସ ପରେ ଯେଉଁ ଆଖୁ ଫସଲକୁ ଚାଷୀ କାଟିଥାନ୍ତା ତାହା ବାର୍ହା ପଲଙ୍କ ଉପଦ୍ରବ ଯୋଗୁଁ ଉଜାଡି ହୋଇଯିବା ପରେ ଚାଷୀ ଭାଙ୍ଗି ପଡିଥିବା ଲକ୍ଷ୍ୟ କରାଯାଇଛି । ମୁଣ୍ଡର ଝାଳକୁ ତୁଣ୍ଡରେ ମାରି ଚାଷୀ ଲହୁଲୁହ ଏକ କରି କ୍ଷେତରେ ମାଟି ସହ ମାଟି ହୋଇ ସୁନାର ଆଖୁ ଫସଲ ଅମଳ ଆଶାରେ କଠିନ ପରିଶ୍ରମ କରିଥିଲା । ତେବେ କେତେକ ଅଞ୍ଚଳରେ ଆଖୁକ୍ଷେତରେ ବାରାହ୍ ଉପଦ୍ରବ ଯୋଗୁଁ ସୁନାର ଫସଲ ଉଜାଡି ହେବାରେ ଲାଗିଛି ବୋଲି ଅଗ୍ରଣୀ ଚାଷୀ ତଥା ଆସିକା ସମବାୟ ଚିନିଶିଳ୍ପ ଲିଃର ପରିଚାଳନା ପରିଷଦର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବରାଡ ଦୁଃଖର ସହ ପ୍ରକାଶ କରିଛନ୍ତି । ସଞ୍ଜ ନଇଁବା ମାତ୍ରେ ଆଖୁକ୍ଷେତରେ ବାର୍ହା ପଲ ପଶି ଦଳିଚକଟି ଫସଲ ନଷ୍ଟ କରୁଛନ୍ତି । ଯେତିକି ଖାଉନାହାନ୍ତି ତାହାଠାରୁ ଅଧିକ ଦଳିଚକଟି ନଷ୍ଟ କରୁଛନ୍ତି । ଆଖୁ ଫସଲର ବ୍ୟାପକ କ୍ଷତି ଯୋଗୁଁ ଚାଷୀଙ୍କ ନିଦ ହଜିଯାଇଛି । ଆଖୁଚାଷର ପ୍ରସାର ଓ ପ୍ରଚାର ପାଇଁ ସମବାୟ ଚିନିଶିଳ୍ପ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି । ଗଞ୍ଜାମ ଜିଲ୍ଲାର ୧୬ଟି ବ୍ଳକ ପରିସରଭୁକ୍ତ ଅଞ୍ଚଳରେ ପ୍ରାୟ ୧୨୦୦ ଏକର ଜମିରେ ଆସିକା ସମବାୟ ଚିନିଶିଳ୍ପ ଆଖୁଚାଷ କରିଥିଲା ବେଳେ ଜଙ୍ଗଲୀ ବାର୍ହାଙ୍କ ଉପଦ୍ରବ ଯୋଗୁଁ କେତେକ ଅଞ୍ଚଳରେ ଆଖୁ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଥିବା ଚର୍ଚ୍ଚା ହେଉଛି । ଆଖୁ ଚାଷୀର ଫସଲକୁ ସୁରକ୍ଷା ଦେବା ଦିଗରେ ପ୍ରଶାସନ ପଦକ୍ଷେପ ନେଉନଥିବା ମତ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ବନବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆଖୁ କ୍ଷେତରୁ ବାର୍ହା ପଲଙ୍କୁ ଘଉଡାଇବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ସାଙ୍ଗକୁ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଅଗ୍ରଣୀ ଚାଷୀ ତଥା ଆସିକା ସମବାୟ ଚିନିଶିଳ୍ପ ଲିଃର ପରିଚାଳନା ପରିଷଦର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବରାଡ ଅନୁରୋଧ କରିଛନ୍ତି ।


