ଜଗଦଳପୁର ହାଇସ୍କୁଲରେ ସେବା ସଂକଳ୍ପ ଅଭିଯାନ
ଆସିକା (ୱାଇଏନ୍ଏସ୍) : ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳ ଚିନ୍ତାଧାରା ଏବଂ ସେବା ମନୋଭାବକୁ ଉତ୍ସାହିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଜିଲ୍ଲା ଶିକ୍ଷାବିଭାଗର ପରାମର୍ଶକ୍ରମେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ପକ୍ଷରୁ ସ୍ଥାନୀୟ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲରେ ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନେଇ ବରିଷ୍ଠ ବର୍ଗରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିକଶିତ ଭାରତ ଏବଂ ମୋ ସ୍ୱପ୍ନର ଭାରତ ଆହ୍ୱାନରେ ଚିତ୍ରାଙ୍କନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାମାଜିକ ଓ ସେବାମୂଳକ ବିଷୟବସ୍ତୁକୁ ନିଜସ୍ୱ ଚିନ୍ତାଧାରାରେ ଉପସ୍ଥାପନ କରିଥିବା ବେଳେ ବକ୍ତୃତା ପ୍ରତିଯୋଗିତାରେ ସେବା, ଦାୟିତ୍ୱବୋଧ ଓ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ । ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ସୃଜନଶୀଳ ଚିନ୍ତନ ଏବଂ ସେବା ମନୋଭାବକୁ ଭୂୟସୀ ପ୍ରଶଂସା କରିବା ସାଙ୍ଗକୁ ସେବା ସଂକଳ୍ପ ଅଭିଯାନ ପାଳନର ଲକ୍ଷ୍ୟ, ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରି ବିକଶିତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ । ଆସିକା ବ୍ଳକ ଅନ୍ତର୍ଗତ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାରେ ଅନୁଷ୍ଠିତ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହା ସେବା ସଂକଳ୍ପ ଅଭିଯାନର ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥ ପୁନମ୍ ବେହେରା, ସୋନାଲି ବାଡତ୍ୟା, ଦୀପ୍ତିମୟୀ ନାହାକ, ସ୍ନେହାରାଣୀ ସ୍ୱାଇଁ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ସଫଳ ହୋଇଥିବା ବିଦ୍ୟାର୍ଥୀ ଖୁସି ଜେନା, ଆଲୋକ ସାହୁ, ପାୟଲ୍ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେବା ସଂକଳ୍ପ ଅଭିଯାନ-୨୦୨୬ ପାଳନ ଅବସରରେ ଜଗଦଳପୁର ହାଇସ୍କୁଲରେ ଅନୁଷ୍ଠିତ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷୟିତ୍ରୀ ଇଶ୍ୱରୀ ମହାପାତ୍ର, ସନ୍ଧ୍ୟାରାଣୀ ବେହେରା, ଅନ୍ନପୂର୍ଣ୍ଣା ଭୋଇ, ସହକାରୀ ଶିକ୍ଷକ ସୁଶିଲ୍ ମୋହନ ପାତ୍ର, ଜି.ଆନନ୍ଦ ପାତ୍ର, ମନ୍ଦାକିନୀ ପ୍ରଧାନ, ରୁଦ୍ରପ୍ରସାଦ ସେଠୀ, ସୁନିଲ୍ ସେଠୀ, କର୍ମଚାରୀ ଆଶାଲତା ପ୍ରଧାନ, ପ୍ରଶାନ୍ତ କୁମାର ମୁନି, ନୀଳମାଧବ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ପ୍ରତିଭା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।


