ପୂର୍ବ ଶତୃତାକୁ କେନ୍ଦ୍ର କରି ଠେଙ୍ଗା ଓ ଲୁହାରଡରେ ରେ ଆକ୍ରମଣ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳି ଥାନା ସାପୁଆପଲ୍ଲୀ ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଠେଙ୍ଗାରେ ଆକ୍ରମଣ ହୋଇଛି । ଆକ୍ରମଣରେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ଆତ ଜଣଙ୍କ ହେଲେ ସେହି ଗ୍ରାମର କାଳୁ ଚରଣ ଗୌଡ (୬୦) । ପରିବାର ସଦସ୍ୟ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଞ୍ଚୁରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରକାଶ ଯେ, ଶନିବାର ସକାଳେ ସାପୁଆପଲ୍ଲୀ ଗ୍ରାମର କାଳୁ କୌଣସି କାମରେ କଞ୍ଚୁରୁ ଯାଇ ଗ୍ରାମକୁ ଫେରୁଥିବା ବେଳେ ଗ୍ରାମ କେନାଳ ନିକଟରେ ଗ୍ରାମର କବିରାଜ ଗୌଡ ପୂର୍ବ ଶତୃତାକୁ କେନ୍ଦ୍ର କରି ଠେଙ୍ଗା ଓ ଲୁହାରଡରେ ଆକ୍ରମଣ କରିଥିଲେ । ଆକ୍ରମଣରେ କାଳୁ ଗୁରୁତର ଆହତ ହୋଇ ରାସ୍ତାରେ ପଡିଥିଲେ । କୌଣସି ସୁତ୍ରରୁ ଖବର ପାଇ ତାଙ୍କ ପୁଅ କୃଷ୍ଣ ଗୌଡ ଘଟଣା ସ୍ଥଳରେ ପହଞ୍ଚି ବାପାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଞ୍ଚୁରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଘଟଣା ନେଇ ଆହତଙ୍କ ପୁଅ କୃଷ୍ଣ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନା କେସ ନଂ- ୨୩୫/୨୩ରେ ଏକ ମାମଲା ରୁଜୁ କରି କବିରାଜଙ୍କୁ ପୁଲିସ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ପ୍ରକାଶ ।