କଂକ୍ରିଟ୍ ଅରଣ୍ୟର କୋଳାହଳ
କଂକ୍ରିଟ୍ ଅରଣ୍ୟର କୋଳାହଳ ଭିତରେ ଆମ ଭିତରର ସେହି ହଜିଲା ମଣିଷଟିର ସନ୍ଧାନ ମହାନଗରୀର ସକାଳ କେବେ ନିର୍ମଳ ସୂର୍ଯ୍ୟୋଦୟର ସ୍ନିଗ୍ଧତା ନେଇ ଆସେନାହିଁ ବରଂ ଏହା ଆସେ ଏକ ଯାନ୍ତ୍ରିକ ଆଲାର୍ମର କର୍କଶ ସ୍ୱର ଏବଂ କାର୍ଯ୍ୟକ୍ଷେତ୍ରକୁ ଦୌଡ଼ିବାର ଏକ ଅନ୍ତହୀନ ପ୍ରତିଯୋଗିତା ସହିତ। ସେହି ଉଚ୍ଚ ଅଟ୍ଟାଳିକାର କାଚ ଝରକା ଦେଇ ବାହାରକୁ ଚାହିଁଲେ ଦେଖାଯାଏ କେବଳ କଳା ଧୂଆଁର ଆସ୍ତରଣ,କଂକ୍ରିଟ୍ ସଡ଼କର ବ୍ୟସ୍ତବହୁଳତା ଏବଂ ଗାଡ଼ିମୋଟରର କାନଫଟା ଶବ୍ଦ।ଏହି ଚାରିକାନ୍ଥର ବନ୍ଦ କୋଠରୀ ଭିତରେ ବସି ରହୁଥିବା ସଫଳ ଓ ଉଚ୍ଚପଦବୀଧାରୀ ମଣିଷଟି ଜୀବନର ସବୁଠାରୁ ବଡ଼ ଧନୀ ହେବାର ଭ୍ରମ ଭିତରେ ବଞ୍ଚୁଥାଏ।ତାର ବ୍ୟାଙ୍କ ବାଲାନ୍ସ ବଢ଼ୁଥାଏ,ତାର ଗାଡ଼ିର ମଡେଲ ବଦଳୁଥାଏ ଏବଂ ତାର ପୋଷାକର ବ୍ରାଣ୍ଡ୍ ଆହୁରି ମହଙ୍ଗା ହେବାରେ ଲାଗିଥାଏ। କିନ୍ତୁ ଏହି ସବୁକିଛି ପାଇବା ଭିତରେ ଆମେ ନିଜ ଅଜାଣତରେ କେଉଁଠି ନା କେଉଁଠି ନିଜ ଭିତରର ସେହି ସରଳ ଏବଂ ନିଷ୍ପାପ ମଣିଷଟିକୁ ହଜାଇ ଦେଇଥାଉ। ସଫଳତାର ଶୀର୍ଷ ଛୁଇଁବାର ସେହି ବ୍ୟାକୁଳତା ଭିତରେ ଆମ ପାଦ କେତେବେଳେ ମାଟିଠାରୁ ବିଚ୍ଛିନ୍ନ ହୋଇ ସିମେଣ୍ଟର ଚଟାଣ ଉପରେ ସ୍ଥାୟୀ ହୋଇଯାଏ,ତାହା ଆମେ ନିଜେ ବି ଜାଣିପାରୁନାହିଁ।ଜୀବନର ସବୁଠାରୁ ବଡ଼ ସତ୍ୟ ହେଉଛି,ଆମେ ଯେତେ ବଡ଼ ବା ସଫଳ ହେଲେ ମଧ୍ୟ,ଆମ ଅସ୍ତିତ୍ୱର ସେହି ମୂଳ ଉତ୍ସକୁ ନିଜ ଭିତରେ ସଦାବେଳେ ସତେଜ ଓ ପ୍ରାଣବନ୍ତ ରଖିବା ହିଁ ପ୍ରକୃତ ଜୀବନ ଜୀଇଁବାର କଳା।
ଯେତେବେଳେ ଆମେ ଆମର ମୂଳ କଥା କହୁ,ସେତେବେଳେ କେବଳ ଏକ ଭୌଗୋଳିକ ସ୍ଥାନ ବା ଗାଁର ଚିତ୍ର ମନକୁ ଆସେନାହିଁ,ବରଂ ଏକ ସାଂସ୍କୃତିକ ଓ ଆବେଗିକ ପରିଚୟ ସାମ୍ନାକୁ ଆସିଥାଏ।ଆମ ସମସ୍ତଙ୍କ ଭିତରେ ଗୋଟିଏ ଛୋଟ ଗାଁ ସଦାବେଳେ ସୁପ୍ତ ଅବସ୍ଥାରେ ରହିଥାଏ।ସେହି ଗାଁରେ ଏବେ ବି ସେହି ବରଗଛର ଓହଳ ଝୁଲୁଥାଏ, ନିମ ଓ ବର ଗଛର ଶୀତଳ ଛାଇ ପ୍ରବାହିତ ହେଉଥାଏ ଏବଂ ମାଟି ରାସ୍ତାରେ ଚାଲିଲେ ପାଦରେ ଲାଗୁଥିବା ସେହି ଧୂଳିର ସୁବାସ ମନକୁ ଆନ୍ଦୋଳିତ କରୁଥାଏ।ସହରର ସୁଉଚ୍ଚ ପ୍ରାସାଦ ଭିତରେ ଏସିର କୃତ୍ରିମ ପବନ ଉପଭୋଗ କରୁଥିବା ମଣିଷଟି ବେଳେବେଳେ ସେହି ପ୍ରାକୃତିକ ଶୀତଳତାକୁ ଝୁରି ହୋଇଥାଏ। ସେହି ଛୋଟ ସହରର କିମ୍ବା ଗାଁର ସାପ୍ତାହିକ ହାଟ,ଯେଉଁଠି ପନିପରିବା କିଣିବା କେବଳ ଏକ ବ୍ୟବସାୟ ନଥିଲା, ବରଂ ପରସ୍ପରର ସୁଖଦୁଃଖ ବାଣ୍ଟିବାର ଏକ ମାଧ୍ୟମ ଥିଲା,ତାହାକୁ ଆଜିର ମଲ୍ ସଂସ୍କୃତି ସମ୍ପୂର୍ଣ୍ଣ ଭାବେ ଗ୍ରାସ କରିସାରିଛି। ଆଜି ଆମେ ଅନଲାଇନ୍ ଆପ୍ଲିକେସନ୍ ମାଧ୍ୟମରେ ସବୁକିଛି ଘର ଦୁଆର ମୁହଁରେ ପାଇଯାଉଛେ ସତ,କିନ୍ତୁ ସେହି ସାଧାରଣ ହାଟ ବଜାରର କୋଳାହଳ ଭିତରେ ଥିବା ଜୀବନ୍ତତାକୁ ଆମେ ସମ୍ପୂର୍ଣ୍ଣ ହରାଇ ବସିଛୁ।
ସେହି ପାଦଚଲା ଅଣଓସାରିଆ ରାସ୍ତା,ଯାହା ଗୋଟିଏ ଘରକୁ ଆଉ ଗୋଟିଏ ଘର ସହ,ଜଣେ ମଣିଷକୁ ଆଉ ଜଣେ ମଣିଷ ସହ ଯୋଡ଼ୁଥିଲା,ତାହା ଆଜି ପିଚୁ ସଡ଼କ ଏବଂ ଜାତୀୟ ରାଜପଥର ଲମ୍ବା ଦୂରତା ଭିତରେ କେଉଁଆଡ଼େ ହଜିଯାଇଛି।ସେହି ରାସ୍ତାର ସ୍ମୃତିକୁ ନିଜ ଭିତରେ ବଞ୍ଚାଇ ରଖିବା ଅର୍ଥ ହେଉଛି,ନିଜର ଆତ୍ମୀୟତା ଏବଂ ମଣିଷ ପ୍ରତି ଥିବା ସେହି ସହଜ ପ୍ରେମକୁ ବଞ୍ଚାଇ ରଖିବା।
ଜୀବନର ସେହି ଅପାସୋରା ସ୍ମୃତିଗୁଡ଼ିକ ଆମର ସବୁଠାରୁ ବଡ଼ ସମ୍ବଳ।ମନେପକାନ୍ତୁ ସେହି ପିଲାଦିନର ସମୟ,ଯେତେବେଳେ ସୁଖ ବା ଆନନ୍ଦର ସଂଜ୍ଞା ଏତେ ଜଟିଳ କିମ୍ବା ବ୍ୟୟବହୁଳ ନଥିଲା।ଖରାଦିନର ଲମ୍ବା ଛୁଟି,ଦ୍ୱିପ୍ରହର ସମୟରେ ଜେଜେମା କିମ୍ବା ଆଈ କୋଳରେ ଶୋଇ ପରୀ କାହାଣୀ କିମ୍ବା ରାଜା-ରାଣୀଙ୍କ ଗପ ଶୁଣିବା ଆଉ ସେହି କଳ୍ପନା ରାଇଜରେ ନିଜକୁ ହଜାଇ ଦେବା ଭିତରେ ଯେଉଁ ଆତ୍ମସନ୍ତୋଷ ଥିଲା, ତାହା ଆଜିର ଓଭର-ଦି-ଟପ୍ (ଓଟିଟି) ପ୍ଲାଟଫର୍ମ କିମ୍ବା ଭିଡିଓ ଗେମ୍ସ ଦେଇପାରିବ ନାହିଁ।
ଆମେ ଯେତେବେଳେ ବଡ଼ ହେବାର ଦୌଡ଼ରେ ସାମିଲ ହେଉ, ସେତେବେଳେ ଆମେ ଆମର ସେହି କାହାଣୀଗୁଡ଼ିକୁ ପଛରେ ଛାଡ଼ି ଆସୁ। ସେହିପରି ଖେଳପଡ଼ିଆରେ ସାଙ୍ଗମାନଙ୍କ ସହ ମାଟି-ଧୂଳିରେ ମାଟିଆ ହୋଇ କ୍ରିକେଟ୍ ଖେଳିବା,ଗୋଟିଏ ଚୌକା ବା ଛକା ମାରି ଦୁନିଆ ଜିତିଗଲା ଭଳି ଉତ୍ସବ ମନାଇବା,ସେହି ସରଳ ପ୍ରତିଯୋଗିତା ଭିତରେ କୌଣସି ଈର୍ଷା ବା ଦ୍ୱେଷ ନଥିଲା।ପିଲାଦିନର ସେହି ପ୍ରଥମ ପ୍ରେମ କିମ୍ବା ପ୍ରଥମ ଆକର୍ଷଣର ନିଷ୍ପାପ ମୁହୂର୍ତ୍ତ, ଯେଉଁଠି କେବଳ ଆଖିର ଲଜ୍ଜା ଏବଂ ମନର ସରଳତା ହିଁ ପ୍ରଧାନ ଥିଲା,ତାହା ଆଜିର ଡେଟିଂ ଆପ୍ ଏବଂ କୃତ୍ରିମ ସମ୍ପର୍କର ଦୁନିଆରେ ସଂପୂର୍ଣ୍ଣ ବିରଳ। ସେହି ସରଳ ମୁହୂର୍ତ୍ତଗୁଡ଼ିକୁ,ସେହି ପ୍ରଥମ ସୁଯୋଗକୁ ନିଜ ଭିତରେ ଏକ ଅମୂଲ୍ୟ ରତ୍ନ ଭଳି ସାଇତି ରଖିବା ଉଚିତ୍,କାରଣ ସେଗୁଡ଼ିକ ହିଁ ଆମକୁ ମନେ ପକାଇ ଦିଅନ୍ତି ଯେ ଆମେ ଦିନେ କେତେ ନିର୍ମଳ ଥିଲୁ।
ସେହିଭଳି ଆଉ ଏକ ମଧୁର ସ୍ମୃତି ହେଉଛି ସ୍କୁଲ ବହିର ଫାଙ୍କରେ ଲୁଚାଇ ରଖାଯାଇଥିବା ସେହି ମୟୂରପୁଚ୍ଛ। ପ୍ରତିଟି ଶିଶୁର ଏକ ସରଳ ବିଶ୍ୱାସ ଥାଏ ଯେ,ବହି ଭିତରେ ସେହି ପୁଚ୍ଛକୁ ରଖିଲେ ତାହା ଦିନେ ବଂଶ ବୃଦ୍ଧି କରିବ ଏବଂ ତାର ଅନେକ ଛୋଟ ଛୋଟ ଛୁଆ ହେବେ।ବିଜ୍ଞାନ ବହିର ଜଟିଳ ସୂତ୍ର ଭିତରେ ସେହି କଳ୍ପନା ଓ ବିଶ୍ୱାସର ମୟୂରପୁଚ୍ଛକୁ ଲୁଚାଇ ରଖିବାର ଯେଉଁ ରୋମାଞ୍ଚ,ତାହା ବାସ୍ତବରେ ଅଦ୍ଭୁତ।ଆଜି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆମକୁ ଅନେକ ତଥ୍ୟ ଦେଇଛି,ଆମର ଅନ୍ଧବିଶ୍ୱାସ ଦୂର କରିଛି ସତ କିନ୍ତୁ ସେହି ସରଳ ଓ ନିଷ୍ପାପ ବିଶ୍ୱାସକୁ ଆମ ଭିତରୁ ସଦା ଦିନ ପାଇଁ ଛଡ଼ାଇ ନେଇଛି।ଆଜି ବି ଯଦି ଆମେ କୌଣସି ପୁରୁଣା ଡାଏରୀ ବା ବହି ଭିତରେ ସେହି ଶୁଖିଯାଇଥିବା ମୟୂରପୁଚ୍ଛ କିମ୍ବା ଗୋଲାପ ଫୁଲର ପାଖୁଡ଼ା ଦେଖୁ, ତେବେ ମନ ଭିତରେ ଏକ ଅନାବିଳ ଆନନ୍ଦର ଲହରୀ ଖେଳିଯାଏ।ସେହି ଆନନ୍ଦକୁ ବଞ୍ଚାଇ ରଖିବା ହିଁ ଜୀବନର ସର୍ବଶ୍ରେଷ୍ଠ ସଫଳତା।ଆମେ ଜୀବନରେ ନୂଆ ନୂଆ ପୋଷାକ ପିନ୍ଧିପାରୁ,ନୂଆ ପରିଚୟ ସୃଷ୍ଟି କରିପାରୁ କିନ୍ତୁ ସେହି ନୂଆ ପୋଷାକର ପକେଟ୍ ଭିତରେ ପୁରୁଣା ସ୍ମୃତିର ସେହି ଚିରା ନୋଟ୍ କିମ୍ବା ସେହି ପୁରୁଣା ଚିଠିକୁ ସଦାବେଳେ ଜୀବନ୍ତ ରଖିବା ଆବଶ୍ୟକ।
ଜୀବନର ଦୌଡ଼ରେ ସବୁଠାରୁ ବଡ଼ ଆହ୍ୱାନ ହେଉଛି ସମ୍ପର୍କଗୁଡ଼ିକୁ ବଞ୍ଚାଇ ରଖିବା।ସମୟ ସ୍ରୋତରେ ଅନେକ ସାଙ୍ଗସାଥୀ ଆମଠାରୁ ଦୂରେଇ ଯାଆନ୍ତି। ବେଳେବେଳେ ଅହଙ୍କାର,ଅଭିମାନ କିମ୍ବା କୌଣସି ଛୋଟ ଧରଣର ଭୁଲ୍ ବୁଝାମଣା ଯୋଗୁଁ ବର୍ଷ ବର୍ଷର ପୁରୁଣା ବନ୍ଧୁତ୍ୱ ଭାଙ୍ଗିଯାଏ।କଥାବାର୍ତ୍ତା ବନ୍ଦ ହୋଇଯାଏ, କିନ୍ତୁ ଯେଉଁମାନଙ୍କ ସହ କେବେ ଆମେ ନିଜର ସବୁ ସୁଖ ଦୁଃଖ ବାଣ୍ଟୁଥିଲୁ, ଯାହାଙ୍କ ବିନା ପିଲାଦିନର କୌଣସି ସ୍ମୃତି ସମ୍ପୂର୍ଣ୍ଣ ହୁଏନାହିଁ,ସେହି ବନ୍ଧୁମାନଙ୍କୁ ମନ ଭିତରେ ଜୀବନ୍ତ ରଖିବା ହିଁ ପ୍ରକୃତ ଉଦାରତା।ଅହଙ୍କାରକୁ ପଛରେ ପକାଇ, ଯଦି ସମ୍ଭବ ହୁଏ,ସେହି ପୁରୁଣା ସମ୍ପର୍କର ଡୋରକୁ ପୁଣି ଥରେ ଯୋଡ଼ିବା ପାଇଁ ଚେଷ୍ଟା କରିବା ଉଚିତ୍।ସେହିପରି ଘରୁ ଦୂରକୁ,ସହରକୁ ଆସିବା ସମୟରେ ମାଆ ଆଖିର ସେହି ଲୁହ ଏବଂ ତାର ସେହି ଶେଷ ଆଉଁସା,ଯେଉଁଥିରେ ସାରା ଦୁନିଆର ଆଶୀର୍ବାଦ ଓ ଚିନ୍ତା ଲୁଚି ରହିଥିଲା,ତାହାକୁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମନେ ରଖିବା ଆବଶ୍ୟକ।ସହରର ସଂଘର୍ଷମୟ ଜୀବନରେ ଏମିତି ଅନେକ ରାତି ଆସିଛି, ଯେଉଁଠି ଆମେ ଏକାକୀ ଅନୁଭବ କରିଛେ,ବିଫଳତାର ଗ୍ଲାନିରେ ଆଖିରୁ ଲୁହ ଝରାଇଛେ କିନ୍ତୁ ସେହି କାନ୍ଦପୂର୍ଣ୍ଣ ଏବଂ ସଂଘର୍ଷମୟ ରାତିଗୁଡ଼ିକୁ ଭୁଲିଯିବା ଅନୁଚିତ୍,କାରଣ ସେହି କଠିନ ସମୟ ହିଁ ଆମକୁ ଧୈର୍ଯ୍ୟର ସହ ଠିଆ ହେବା ଶିଖାଇଛି ଏବଂ ଆମକୁ ଜଣେ ଶକ୍ତ ମଣିଷ ଭାବରେ ଗଢ଼ି ତୋଳିଛି।
ଘରର ସେହି ପୂଜାଘର,ସକାଳ ଓ ସଞ୍ଜ ସମୟରେ ମାଆର ସେହି ଶଙ୍ଖ ବଜାଇବା ଶବ୍ଦ,ଯାହାକୁ ଶୁଣିଲେ ମନ ଭିତରେ ଏକ ଅଦ୍ଭୁତ ଶାନ୍ତି ଏବଂ ସକାରାତ୍ମକ ଶକ୍ତିର ସଞ୍ଚାର ହେଉଥିଲା, ତାହା ଆଜିର ଆଧୁନିକ ଆପାର୍ଟମେଣ୍ଟ ଜୀବନରେ କେଉଁଆଡ଼େ ନିଷ୍ପ୍ରଭ ହୋଇଯାଇଛି।ସେହି ଶଙ୍ଖଧ୍ୱନି ଏବଂ ପୂଜାଘରର ସେହି ପବିତ୍ରତାକୁ ନିଜ ମନ ଭିତରେ ସଦାବେଳେ ଜୀବନ୍ତ ରଖିବା ଉଚିତ,କାରଣ ଏହା କେବଳ ଧାର୍ମିକତା ନୁହେଁ ବରଂ ଆମ ସଂସ୍କାର ଏବଂ ଆମର ମୂଲ୍ୟବୋଧର ପ୍ରତୀକ।
ସେହିପରି ସାହିତ୍ୟ,କବିତା ଏବଂ ପୁସ୍ତକଗୁଡ଼ିକ ଯେଉଁ ଜ୍ଞାନ ମଣିଷପଣିଆ ଆମକୁ ଶିଖାଇଛନ୍ତି,ତାହାକୁ ଜୀବନର ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରିବା ଆବଶ୍ୟକ।ରବିବାର ସକାଳର ସେହି ଧୀର ସ୍ଥିର ପରିବେଶ,ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଚା’ର କେଟଲି ଚାରିପାଖରେ କରୁଥିବା ସେହି ମନଖୋଲା ଆଲୋଚନା,ଆଜିର ସୋସିଆଲ ମିଡିଆ ଯୁଗରେ ପ୍ରାୟତଃ ବିଲୁପ୍ତ।ଆଜି ଗୋଟିଏ ଟେବୁଲରେ ଚାରିଜଣ ମଣିଷ ବସିଥିଲେ ବି ସମସ୍ତେ ନିଜ ନିଜ ମୋବାଇଲ୍ ସ୍କ୍ରିନରେ ବ୍ୟସ୍ତ। ପରସ୍ପର ସହ କଥା ହେବା ପାଇଁ କାହା ପାଖରେ ସମୟ ନାହିଁ।ଏହି ଯାନ୍ତ୍ରିକତାଠାରୁ ଦୂରେଇ ଯାଇ ସେହି ରବିବାରର ଆତ୍ମୀୟତାକୁ ପୁଣି ଥରେ ଫେରାଇ ଆଣିବାକୁ ହେବ।
ପରିଶେଷରେ ଜୀବନର ସର୍ବଶ୍ରେଷ୍ଠ ଉଦ୍ଦେଶ୍ୟ ହେଉଛି ନିଜ ଭିତରର ଆଲୋକକୁ ଜଳାଇ ରଖିବା।ଅନ୍ଧାର ଯେତେ ଘନୀଭୂତ ହେଲେ ବି ଯଦି ଆମ ଭିତରେ ସେହି ଆଶାର ପ୍ରଦୀପ ପ୍ରଜ୍ଜ୍ୱଳିତ ଥାଏ,ତେବେ କୌଣସି ପରିସ୍ଥିତି ଆମକୁ ପରାଜିତ କରିପାରିବ ନାହିଁ।ଆମେ ଜୀବନରେ ସବୁକିଛି ପାଇପାରୁ,ଅଜସ୍ର ଧନସମ୍ପତ୍ତି ଓ ପ୍ରତିଷ୍ଠା ଅର୍ଜନ କରିପାରୁ, କିନ୍ତୁ ସେହି ସବୁକିଛି ସତ୍ତ୍ୱେ ଯଦି ଆମେ ଆମର ମୂଳ ସରଳତା,ସାଧାରଣତା ଏବଂ ମଣିଷପଣିଆକୁ ଜୀବନ୍ତ ରଖିପାରିବା, ତେବେ ଯାଇ ଆମର ଜୀବନ ସାର୍ଥକ ହେବ।ମୃତ୍ୟୁ ତ ଏକ ଅବଶ୍ୟମ୍ଭାବୀ ସତ୍ୟ କିନ୍ତୁ ମୃତ୍ୟୁ ପୂର୍ବରୁ ଆମେ ପ୍ରତିଦିନ ଯେପରି ଆତ୍ମିକ ଭାବେ ମରି ନଯାଉ, ସେଥିପ୍ରତି ସଚେତନ ହେବାକୁ ହେବ। ଆସନ୍ତୁ ଏହି ବ୍ୟସ୍ତବହୁଳ ମହାନଗରୀର ଚକାଚକ୍ୟ ଭିତରେ ନିଜକୁ ହଜାଇ ନଦେଇ,ଆମ ଭିତରେ ଥିବା ସେହି ଗାଁକୁ, ସେହି ପିଲାଦିନକୁ,ସେହି ସରଳ ବିଶ୍ୱାସକୁ ଏବଂ ନିଜ ମାଟିର ଚେରକୁ ଚିରଦିନ ପାଇଁ ଜୀବନ୍ତ ଓ ପ୍ରାଣବନ୍ତ କରି ରଖିବା।ତାହାହିଁ ହେବ ଆମର ପ୍ରକୃତ ପରିଚୟ ଏବଂ ଜୀବନ ପ୍ରତି ଆମର ସବୁଠାରୁ ବଡ଼ ସମ୍ମାନ।
ପ୍ରଜ୍ଞା ପ୍ରସାଦ ତଥାଗତ
ଓଡ଼ିଶା ଆଦର୍ଶ ବିଦ୍ୟାଳୟ
ରମ୍ଭା,ଗଞ୍ଜାମ


