କର୍ଣ୍ଣାଟକ: ଏଣିକି ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ମହିଳାଙ୍କୁ ଘରେ ଛାଡ଼ିବ ପୁଲିସ
ବେଙ୍ଗାଲୁରୁ: ଦେଶରେ ମହିଳାଙ୍କ ବିରୋଧରେ ଘଟୁଥିବା ଅପରାଧକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ପୁଲିସ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି । ଏଠାକାର ପୁଲିସ ରାତିରେ ମହିଳାମାନଙ୍କୁ ସୁରକ୍ଷିତ ଭାବେ ତାଙ୍କ ଘରେ ଛାଡ଼ିବାର କାମ ଆରମ୍ଭ କରିଛି । ପୁଲିସ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ମାଗଣାରେ କରୁଛି । ପୁଲିସ ଏଥିପାଇଁ ଏକ ହେଲ୍ପ ଲାଇନ ନମ୍ବର ଜାରି କରିଛି । ରାତି ସମୟରେ ଯଦି କୌଣସି ମହିଳା ଘରକୁ ଯିବାରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି କିମ୍ବା କୌଣସି ଟ୍ୟାକ୍ସି ବା ଅଟୋରେ ଯିବାକୁ ସୁରକ୍ଷିତ ମଣୁନାହାନ୍ତି, ତେବେ ସେମାନେ ସେହି ନମ୍ବରକୁ ଫୋନ କରି ସହାୟତା ନେଇପାରିବେ । ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ପୁଲିସ ମହିଳାଙ୍କୁ ସେମାନଙ୍କ ଘରେ ପହଞ୍ଚାଉଛି । ଏହାକୁ ନେଇ ପୁଲିସ ଅଧୀକ୍ଷକ ଶ୍ରୀନାଥ ଯୋଶୀ କହିଛନ୍ତି, “ମହିଳାମାନେ କୌଣସି ପୁଲିସ ଷ୍ଟେସନ କିମ୍ବା ଦେୟମୁକ୍ତ ହେଲ୍ପଲାଇନ ନମ୍ବରକୁ ଫୋନ କରିପାରିବେ । ପୁଲିସ ସେଠାରୁ ଆଣି ତାଙ୍କୁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବା । ହାଇଦ୍ରାବାଦ ଏବଂ ଉନ୍ନାଓ ଘଟଣାକୁ ନେଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିବା ସମୟରେ କର୍ଣ୍ଣାଟକ ପୁଲିସର ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।