ଜିଲା ବିଜେଡି ପକ୍ଷରୁ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ବିଜେଡି ପକ୍ଷରୁ ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସକାଳେ ସହରର ଫାଣ୍ଡିଛକ ଓ ଡିଆଇସି ଛକ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ ଜିଲ୍ଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷ ସୁନୀତା ବେହେରା, ପୌରାଧ୍ୟକ୍ଷା ସବିତା ସାହୁ, ବାଲେଶ୍ୱର ଅର୍ବାନ କୋଅପରେଟିଭ ବ୍ୟାଙ୍କର ସଭାପତି ସୂର୍ଯ୍ୟକାନ୍ତ କର, ଜିଲା ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ପଟ୍ଟନାୟକ, ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ସୀମନ ଦାସ ମହାପାତ୍ର, ଯୁବନେତା ଭାଗବତ ସାହୁ, ବାଲେଶ୍ୱର ପୌର ପରିଷଦର କାଉନସିଲର ରଞ୍ଜିତା ମହାପାତ୍ର, ପ୍ରୀତିଲତା ସେଠୀ ଓ ସଞ୍ଜୀବ ଦାସ ପ୍ରମୁଖ ଯୋଗଦେଇ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ନୁଣିଆଯୋଡି ଠାରେ ପ୍ରବାଦ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଇଥିଲା । ଏହି ଅବସରରେ ସେଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଜିଲା ସାଧାରଣ ସମ୍ପାଦକ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଦଳୀୟ ନେତାମାନେ ଯୋଗଦେଇ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନାଦର୍ଶ ଓ ତତ୍କାଳୀନ ଓଡ଼ିଶା ବିକାଶରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଜଣେ ଜାତୀୟ ସ୍ତରର ନେତା ଭାବେ ବିଜୁବାବୁ ଓଡ଼ଶା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ରାଜ୍ୟର ସର୍ବାଙ୍ଗୀନ ଉନ୍ନତିତାଙ୍କର ଦୂରଦର୍ଶୀ ସମ୍ପନ୍ନ ନିଷ୍ପତ୍ତି ଚିରକାଳ ପର୍ଯ୍ୟନ୍ତ ତାଙ୍କୁ ସ୍ମରଣୀୟ ରଖିବ ବୋଲି ନେତାମାନେ ମତ ପ୍ରକାଶ କରିଥିଲେ । ଅସିତ କୁମାର ଦାସ, ସନ୍ତୋଷ କୁମାର ଦାସ, ଇନ୍ତେଖ୍ୱାନ ଅଲ୍ଲୀ ଖାଁ, ଆଇନଜୀବୀ ଜିତେନ୍ଦ୍ର ଉପାଧ୍ୟାୟ, ମୀନତି ସେଠୀ ପ୍ରମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବାଲେଶ୍ୱର ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦଳୀୟ କର୍ମୀଙ୍କ ସମେତ ବହୁ ସମର୍ଥକ ଏଥିରେ ଯୋଗ ଦେଇଥିଲେ ।


