ଭୀଷ୍ମଗିରି ପଞ୍ଚାୟତ ରେ ମହାଦୁର୍ନୀତି ନେଇ ଅଭିଯୋଗ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ପଞ୍ଚାୟତ କାର୍ଯ୍ୟାଳୟ ରେ ସରପଞ୍ଚ ଗାୟତ୍ରୀ ବ୍ରହ୍ମାଙ୍କ ଅଧ୍ୟକ୍ଷତା ରେ ଶୁକ୍ରବାର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ସଭାରେ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କ ରେ ସମୀକ୍ଷା କରାଯାଇଥିଲା। ସ୍ଥାନୀୟ ପଞ୍ଚାୟତ ରେ ପାନୀୟ ଜଳର ଘୋର ଅଭାବ ସାଙ୍ଗକୁ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ନେଇ ସଭାରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା। ସାହି ଆଲୋକୀକରଣ ଏବଂ ଏମଜିଏନ୍ଆରଇଜିଏ ଯୋଜନା ରେ କରାଯାଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ମହାଦୁର୍ନୀତି ହୋଇଥିବା ନେଇ ସ୍ଥାନୀୟ ସମିତିସଭ୍ୟ ଶିବରାମ ମହାନ୍ତି ଓ ପଞ୍ଚାୟତ ର ସଂଖ୍ୟାଧିକ ୱାର୍ଡ଼ ସଭ୍ୟା ସଭ୍ୟ ମାନେ ଅଭିଯୋଗ କରିଥିଲେ।ଭୀଷ୍ମଗିରି ଗ୍ରାମର ଚୌଧୁରୀ ପୋଖରୀ ଖନନ ଓ ପୁନଃ ଉଦ୍ଧାର କାର୍ଯ୍ୟ ରେ ପ୍ରାୟ ୫ ଲକ୍ଷ,ରତ୍ନସାଗର ପୁନଃରୁଦ୍ଧାର ଏବଂ ଉଚ୍ଚ ବିଦ୍ୟାଳୟ ରୟାଲ ପାର୍କ ନିର୍ମାଣ ରେ ବ୍ୟାପକ ହରିଲୁଟ ହୋଇଥିବା ଅଭିଯୋଗ କରି ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟା ସଭ୍ୟ ମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଦିଗପହଣ୍ଡି ବିଡ଼ିଓ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଉପସ୍ଥିତ ଅତିରିକ୍ତ ବିଡ଼ିଓ ପ୍ରଶାନ୍ତ କୁମାର ରଥ ଏବଂ କନିଷ୍ଠ ଯନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ନିୟନ୍ତ୍ରଣ କୁ ଆସିଥିଲା। ପଞ୍ଚାୟତ କୁ ସି.ଏଫ.ସି ପାଣ୍ଠି ମାଧ୍ୟମରେ ୧୯ ଲକ୍ଷ ଟଙ୍କା ଏବଂ ଏସ.ଏଫ.ସି ପାଣ୍ଠି ମାଧ୍ୟମରେ ୮ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା ନେଇ ପ୍ରଶାସନିକ ଅଧିକାରୀ ବୃନ୍ଦ ସଭାରେ ସୂଚନା ଦେଇଥିଲେ। ଏହି ଅନୁଦାନ ମଧ୍ୟରୁ ୬୯ ପ୍ରତିଶତ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ସୁଧାରିବାରେ ବ୍ୟୟ କରାଯିବ। ବଳକା ଅର୍ଥ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ସଭାରେ ଉପସ୍ଥିତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଉମେଶ ସେଠୀ ସୂଚନା ଦେଇଥିଲେ।ଅନ୍ୟ ପକ୍ଷରେ ସାହି ଆଲୁଅ ଓ ପାନୀୟ ଜଳ ଯୋଗାଣ ବାବଦରେ ପଞ୍ଚାୟତ ପକ୍ଷରୁ ୟୁଜର ଫି ଆଦାୟ ପାଇଁ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ ପରାମର୍ଶ ଭୀଷ୍ମଗିରି ଗ୍ରାମ ରେ ନିୟମିତ ପାନୀୟ ଜଳ ଯୋଗାଣ ହୋଇପାରୁନାହିଁ। ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟ ରେ ନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ଧ୍ୟାନ ଦେଉନଥିବା ନେଇ ସଭାରେ ଅଭିଯୋଗ ହୋଇଥିଲା। ଗ୍ରାମସଭାରେ ୧୩ ଜଣ ୱାର୍ଡ଼ ସଭ୍ୟ ଙ୍କ ସମେତ ଅତିରିକ୍ତ ବିଡ଼ିଓ ପ୍ରଶାନ୍ତ କୁମାର ରଥ, ପଞ୍ଚାୟତ ନିର୍ବାହୀ ଅଧିକାରୀ ସଞ୍ଜୁଲତା ବେହେରା, ଗ୍ରାମ ରୋଜଗାର ସେବକ ଲକ୍ଷ୍ମୀ ଚରଣ ମିଶ୍ର, ଯୋଗାଣ ସହାୟକ ସୁଶାନ୍ତ ବଡତ୍ୟା, ସମିତି ସଭ୍ୟ, ନାଏବ ସରପଞ୍ଚ ବି. ଚନ୍ଦ୍ରମଣି ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ଉଲେଖ୍ୟଯୋଗ୍ୟ ଯେ ଭୀଷ୍ମଗିରି ପଞ୍ଚାୟତ ୱାର୍ଡ଼ ସଭ୍ୟା ସଭ୍ୟ ମାନେ ବହୁବାର ସରପଞ୍ଚ ଙ୍କ ବିରୋଧରେ ଅଭିଯୋଗ କରିବା ସହ ନିୟମିତ ଗ୍ରାମସଭା ହେଉନଥିବା ନେଇ ଗଞ୍ଜାମ ଜିଲାପାଳ ଏବଂ ବିଡ଼ିଓ ଙ୍କ ନିକଟରେ ଅଭିଯୋଗ କରିଥିଲେ।


