ମହିଳା ସେଲସମ୍ଯାନଙ୍କୁ ଅସଦାଚରଣ ଯୁବକ ଗିରଫ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସହରର ଏକ ରେଡିମ୍ଯାଡ ଦୋକାନରେ ସେଲସମ୍ଯାନ ଭାବେ କାମ କରୁଥିବା ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି।ମହିଳାଙ୍କ ଅଭିଯୋଗ ଭିତ୍ତିରେ ଦିଗପହଣ୍ଡି ପୋଲିସ ଆଇଆଇସି ଦିପ୍ତିରଞ୍ଜନ ବେହେରା ୧୭୧/୨୩ ପ୍ରକାରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି।ଅଭିଯୁକ୍ତ ଯୁବକ ଜଣକ ହେଲେ ଛତ୍ରପୁର ଥାନା ମୁନିସିପେଣ୍ଠ ଅଞ୍ଚଳର ସାଗର ନାୟକ।ସୋମବାର ଦିନ ସାଗରକୁ ଦିଗପହଣ୍ଡି ଜେଏମଏଫସି କୋର୍ଟ ଚାଲାଣ କରାଯିବା ପରେ ଜାମିନ ଅଭାବରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି।ସୂଚନା ପ୍ରକାରେ କିଛି ଦିନ ପୂର୍ବେ ମହିଳା ଜଣକ ଏକ ପ୍ରାଇଭେଟ ଫାଇନାନ୍ସ କମ୍ପାନୀରୁ ଗ୍ରୁପ ଲୋନ ନେଇଥିବା ବେଳେ ଅଭିଯୁକ୍ତ ଯୁବକ ଜଣକ କମ୍ପାନୀ ପକ୍ଷରୁ ଲୋନ୍ ଟଙ୍କା ଆଦାୟ ପାଇଁ ମହିଳାଙ୍କ ଗାଁକୁ ବିଭିନ୍ନ ସମୟରେ ଯାଉଥିଲେ।ପରବର୍ତ୍ତୀ ସମୟରେ ମହିଳା ଜଣକ ସେଲସମ୍ଯାନ ଭାବେ କାମ କରୁଥିଲେ ମଧ୍ୟ ଯୁବକ ଜଣକ ପୂର୍ବରୁ ରଖିଥିବା ମହିଳାଙ୍କ ଫୋନ ନମ୍ବରକୁ ବାରମ୍ବାର କଲ୍ କରି ତାଙ୍କୁ ହଇରାଣ କରି ଆସୁଥିଲେ।ଗତ ଶନିବାର ଦିନ ଅଭିଯୁକ୍ତ ଯୁବକ ଜଣକ ମହିଳାଙ୍କ ଘର ସମ୍ମୁଖରେ ପହଞ୍ଚି ସର୍ବସାଧାରଣଙ୍କ ସମ୍ମୁଖରେ ତାଙ୍କୁ ଟଣାଓଟରା କରି ଉଲଗ୍ନ କରିଦେବା ସହ ଧମକ ଚମକ ମଧ୍ୟ ଦେଇଥିଲା।ଗାଁ ଲୋକ ରୁଣ୍ଡ ହୋଇଯିବାରୁ ଯୁବକ ଜଣକ ସେଠାରୁ ଫେରି ଆସିଥିଲା।ପରେ ମହିଳା ଜଣକ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ।