ରାଜକନିକା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉନ୍ନୟନ କାର୍ଯ୍ୟ ନିମନ୍ତେ ଦାବି କରାଯାଇ ଆଳି ଓ ରାଜକନିକା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଆଳି ନିର୍ବାଚନ ମଣ୍ଡଳୀଟି ନଦୀ ନାଳ ଘେରା ଅଞ୍ଚଳ ହୋଇଥିବାରୁ ତାହା ଏଭଳି ସମସ୍ୟା ଯୋଗୁଁ ସଦର ମହକୁମା ଠାରୁ ବିଛିନ୍ନ ହୋଇ ରହିଛି । ଗମନା ଗମନ ପାଇଁ କୈାଣସି ସାଧନ ନାହିଁ । ଗତ ୨୦୧୬ମସିହାରେ କେରଡାଗଡରୁ ଏକମାଣିଆ ପାଇଁ ଏକ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ । ସେହି କାର୍ଯ୍ୟର ଟେଣ୍ଡର ହୋଇ ଠିକାଦାର ନିଯୁକ୍ତି ସହିତ ଚୁକ୍ତି ଶେଷ ହୋଇଯାଇଥିଲା ।୨୦୧୪ମସିହା ନିର୍ବାଚନରେ ତତକାଳୀନ ବିଧାୟକ ନିର୍ବାଚନ ହାରିଯାଇଥିବାରୁ ଅଞ୍ଚଳବାସୀଙ୍କ ଉପରେ କ୍ଷୁବ୍ଧ ହୋଇ ସେତୁ ନିର୍ମାଣ କାର୍ଯ୍ୟରେ ରାଜନୈତିକ ଉଦେଶ୍ୟରେ ଅସହଯୋଗ କରି ସରକାରୀ କଳକୁ ପ୍ରଭାବିତ କରିବା ଦ୍ୱାରା ସେତୁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିଲା । ଗତ ୨୦୦୦ମସିହା ଠାରୁ ଆଳି ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଥିବା ଅଭିଯୋଗ କରାଯାଇଛି । ଆଳିକୁ ଏକ ରାଜସ୍ୱ ସବଡିଭିଜନ ଭାବେ ଘୋଷଣା କରାଯିବାକୁ ପଦକ୍ଷେପ ଆରମ୍ଭ କରାଯାଇଥିବା ବେଳେ ଏହାକୁ ଉଦେଶ୍ୟମୂଳକ ଭାବେ ବନ୍ଦ କରିଦିଆଯାଇଥିବା ଅଭିଯୋଗ ହୋଇଛି । ଏ ଅଞ୍ଚଳରେ ୧୧ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଥିବା ବେଳେ ଏଥିରେ ଡାକ୍ତରଙ୍କ ଘୋର ଅଭାବ ରହିଛି । ୧୯୭୫ମସିହାରେ ଆଳି ଡାକ୍ତରଖାନାକୁ ୩୦ ଶଯ୍ୟା ବିଶିଷ୍ଟ କରାଯାଇଥିଲା ମାତ୍ର ସେହି ଡାକ୍ତରଖାନା ଆଜି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ ହୋଇଛି । ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ଶିକ୍ଷକଙ୍କ ଘୋର ଅଭାବ ରହିଛି । ଆଳି ଓ ରାଜକନିକା ବ୍ଲକ ଅଞ୍ଚଳ କୃଷି ପାଇଉଠାଜଳସେଚନ ଉପରେ ନିର୍ଭର କରିଥାଏ । ବିଜୁବାବୁଙ୍କ ସରକାର ପର ଠାରୁ ଆଳି ନିର୍ବାଚନ ମଣ୍ଡଳୀରେ ଉଠା ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ଧ୍ୱଂସ ବିଧ୍ୱଂସ । କୃଷି ବିଭାଗକୁ ଆସୁଥିବା ସରକାରୀ ସୁବିଧା ଦଳୀୟକର୍ମୀଙ୍କ ଦ୍ୱାରା ଆତ୍ମସାତ କରାଯାଉଥିବା ବେଳେ ସାଧାରଣ ଚାଷୀଟି ବିହନ,ସାର, କୀଟନାଶକ ଓ ଆଧୁନିକ କୃଷି ଯନ୍ତ୍ରପାତିରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା କରାଯାଇ ଦଳୀୟ ଭିତ୍ତିରେ ଲୋକଙ୍କୁ ଦିଆଯାଉଥିବା ଅଭିଯୋଗ ହୋଇଛି । ବେଆଇନ ମଦ ଲାଇସେନ୍ସ ପ୍ରଦାନ ଯୋଗୁଁ ଗ୍ରାମାଞ୍ଚଳରେ ପ୍ରାଥମିକ ବିଦ୍ୟାଳୟ ନିକଟରେ ମଦ ଦୋକାନ ଖୋଲାଯାଇଛି । ବିରୋଧୀ ଦଳର ନିର୍ବାଚିତ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ କଥା ପ୍ରଶାସନ ଶୁଣୁନଥିବା ବେଳେ ଉନ୍ନୟନ କାର୍ଯ୍ୟ କ୍ଷେତ୍ରରେ ସେମାନଙ୍କୁ ଅସହଯୋଗ କରାଯାଉଛି । ତେଣୁ ଆଳିକୁ ରାଜସ୍ୱ ସବଡିଭିଜନ କରାଯିବା ସହିତ ପଟ୍ଟାମୁଣ୍ଡାଇକୁ ରାଜସ୍ୱ ଜିଲ୍ଲାରେ ପରିଣତ କରାଯିବା, ଆଳି ଓ ରାଜକନିକା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକଶତ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ପରିଣତ କରାଯିବା, ଆଳି ଡାକ୍ତରଖାନାରେ ୬ଟି ସ୍ପେସିଆଲିଷ୍ଟ ଡାକ୍ତର ନିଯୁକ୍ତି ସହ ସମସ୍ତ ସିଏଚସି ଓ ପିଏଚସିରେ ଡାକ୍ତର ପଦ ପୁରଣ କରାଯିବା, ବ୍ରାହ୍ମଣୀ ନଦୀ ଉପରେ ଏକମାଣିଆ ସେତୁ, ଶ୍ରୀରାମପୁର ସେତୁ, ବିଜୟନଗର ଘାଟ ପାଖରେ ସେତୁ, ଖରସ୍ରୋତାରେ ବଳିତର ଠାରେ ସେତୁ, ପଦନିପାଳକୁ ସେତୁ, କାଟଣା ନିକଟରେ ଗଙ୍ଗାଧରପ୍ରସାଦ ଡିଆକୁ ସେତୁ, ଜୟନଗରରୁ ଭିତରକନିକାକୁ ସେତୁ, ବୈତରଣୀରେ ଆରଡିକୁ ଯିବାକୁ ସେତୁ, କଣ୍ଠିଆନାଳ ଉପରେ ଦାଣ୍ଡିସାହି ନିକଟରେ ସେତୁ ଓ ଠାକୁରପାଟଣା ନିକଟରେ କାଣୀନଦୀ ଉପରେ ସେତୁ ନିର୍ମାଣ କରାଯିବା, କୃଷିର ଉନ୍ନତି ପାଇଁ ସମସ୍ତ ଉଠା ଜଳସେଚନ ପ୍ରକଳ୍ପକୁ ପୁନରୁଦ୍ଧାର କରାଯିବା, ଶିକ୍ଷାନୁଷ୍ଠାନରେଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବା, ଆଳି ଓ ରାଜକନିକା ବ୍ଲକର ସମବାୟ ସମିତି ଓ ସମବାୟ ବ୍ୟାଙ୍କରେ ହୋଇଥିବା ବେଆଇନ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଯିବା, ରାଜକନିକା ବ୍ଲକର ପ୍ରାଥମିକ ଶିକ୍ଷକ ଦିଲ୍ଲିପ ଦାସଙ୍କ ସମ୍ପତ୍ତି ବିଷୟରେ ଇଓଡବ୍ଲୁ ଦ୍ୱାରା ତଦନ୍ତ କରାଯିବା, ଆଳି ବ୍ଲକରେ ଅତିରିକ୍ତ ଦୈାରାଜଜ ଓ ରାଜକନିକା ବ୍ଲକରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ପ୍ରତିଷ୍ଠା କରାଯିବାକୁ ଦାବି କରାଯାଇଛି । ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା, ଆଳି ବ୍ଲକ କଂଗ୍ରେସ ସଭାପତି ରବିନାରାୟଣ ବେହେରା, ରାଜକନିକା ବ୍ଲକ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରା, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ରଞ୍ଜନ କୁମାର ସେଠୀ, ସୁଶାନ୍ତ କୁମାର ମଲିକ, ପ୍ରଭାକର ସାହୁ, ସୂର୍ଯ୍ୟକାନ୍ତ ପୁଜାରୀ, ମାନଗୋବିନ୍ଦ ଦାସ, ବିଚିତ୍ର କୁମାର ବାରିକ, ବିଜୟ କୁମାର ସାମଲ, ଅମରଜୀତ ଦାସ, ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ ପ୍ରମୁଖ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।


