ବନ୍ତରେ ସହାୟକ ଯନ୍ତ୍ରୀଙ୍କ ଘରେ ସୁନ୍ଦରଗଡ ଭିଜିଲାନ୍ସ ଟିମର ଚଢାଉ
ବନ୍ତ, (ଚାନ୍ଦିନୀ ମହାନ୍ତି):ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ(ହେମଗିରି ସେକ୍ସନ)ର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଭଦ୍ରକ ଜିଲା ବନ୍ତସ୍ଥିତ ପୈତୃକ ଘର ଉପରେ ମଙ୍ଗଳବାର ଝାରସୁଗୁଡା ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ଚଢାଉରେ ଝାରସୁଗୁଡା ଭିଜିଲାନ୍ସ ଡି.ଏସ୍.ପି ପ୍ରଦୀପ କୁମାର ଆଇଣ୍ଡି, ଇନ୍ସପେକ୍ଟର ସସ୍ମିତା ରଙ୍ଗାଲିଙ୍କ ସମେତ ଅନ୍ୟ ଜଣେ କର୍ମଚାରୀ ସାମିଲ ଅଛନ୍ତି । ସେହିପରି ଚଢାଉ ବେଳେ ଅଫିସିଆଲ ସାକ୍ଷୀ ଭାବେ ବନ୍ତ ପଞ୍ଚାୟତ ସମିତିର କନିଷ୍ଠ ଯନ୍ତ୍ରୀ ଅମରଜ୍ୟୋତି ଦୀପକ କୁମାର ଜେନା ଉପସ୍ଥିତ ଅଛନ୍ତି । ଆଜି ସକାଳ ୫ଟା ଠାରୁ ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ଚଢାଉ ଜାରି ରହିଥିଲା । ଭିଜିଲାନ୍ସ ଟିମର ଅଧିକାରୀ ମାନେ ବନ୍ତ ତହସିଲ ଅଧିନ ଆପଣ୍ଡା ରାଜସ୍ୱ ନୀରିକ୍ଷକ ପ୍ରଦୀପ କୁମାର ମଲ୍ଳିକଙ୍କ ଠାରୁ ସହକାରୀ ଯନ୍ତ୍ରୀଙ୍କ ପୈତୃକ ଘର ସମ୍ପର୍କିତ ତଥ୍ୟ ଓ କାଗଜ ପତ୍ର ସଂଗ୍ରହ କରି ଯାଞ୍ଚକରିଥିବା ଜଣାଯାଇଛି । ଅପରପକ୍ଷେ ସହକାରୀ ଯନ୍ତ୍ରୀଙ୍କ ବନ୍ତସ୍ଥିତ ପୈତୃକ ଘର ସମେତ ସୁନ୍ଦରଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ହେମଗିରି ସେକ୍ସନ ଅଫିସ, ସୁନ୍ଦରଗଡ ଟାଉନରେ ଥିବା ଭଡା ଘର, ହେମଗିରିରେ ଥିବା ସରକାରୀ କ୍ୱାଟର, ଭଦ୍ରକ ସହରରେ ଥିବା ନିଜ ଘର, ଭଦ୍ରକ ଜିଲା ତିହିଡି ବ୍ଲକ ସିନ୍ଦୋଳ ଅଞ୍ଚଳର ଶ୍ୱଶୁର ଘର ସମେତ ୭ଟି ସ୍ଥାନରେ ଚଢାଉ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାଯାଇଛି ।