ଡଙ୍ଗାଚୁଆରେ ଧୁମଧାମରେ ଚାଲିଛି ରଜପର୍ବ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ଢ଼େଙ୍କା ପଞ୍ଚାୟତ ଡଙ୍ଗାଚୁଆ ଠାରେ ବଡ ଧୁମଧାମରେ ରଜ ପର୍ବ ପାଳନ କରାଯାଉଛି । ମଝି ରଜ ଦିନଠାରୁ ଆରମ୍ଭ ହୋଇଥିବା ଏହି ରଜପର୍ବ ୧୮ତାରିଖ ପର୍ଯ୍ୟନ୍ତ ଚାଲିବ । ପୁର୍ବରୁ ପାଳନ କରାଯାଉଥିବା ରଜ ଓ ବର୍ତ୍ତମାନର ରଜପର୍ବ ମଧ୍ୟରେ ଅନେକ ଫରକ ପ୍ରତିଫଳନ ହେଉଥିଳେବି ଗ୍ରାମର କିଛି ଉତ୍ସାହୀ ଯୁବକଙ୍କ ଆପ୍ରାଣ ଉଦ୍ୟମ ଫଳରେ ଏହି ପୁରାତନ ସଂସ୍କୃତି ବଞ୍ଚି ରହିଥିବା ଓ ସେଠାରେ ଆଧୁନିକତାର ଛାପ ଷ୍ପଷ୍ଟ ବାରିହୋଇ ପଡୁଛି । ଏଠାରେ ଆଦିବାସୀ ଯୁବକ ଯୁବତୀ ମାନେ ଦଳଦଳ ହୋଇ ନାଚଗୀତରେ ମସଗୁଲ ଥିବା ଦେଖିବାକୁ ମିଳୁଛି । ଏହି ରଜ ପଡିଆରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବାବେଳେ ବିଭିନ୍ନ ରଙ୍ଗବେରଙ୍ଗର ଆଲୋକମାଳାରେ ସମଗ୍ର ପଡିଆକୁ ସୁସଜ୍ଜିତ କରାଯାଇଛି । ଦ୍ୱିତୀୟ ଦିନରେ ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର ନାୟକ,ଢ଼େଙ୍କା ପଞ୍ଚାୟତର ସରପଞ୍ଚ ସୁବାସିନି ସେଠୀ, ସୋସୋ ଥାନା ଅଧିକାରୀ ଅନିଲ କୁମାର ସାମଲ ପ୍ରମୁଖ ଯୋଗଦେଇଥିଲେ । ଗ୍ରାମବାସୀମାନେ ଏକ ବିରାଟ ଶୋଭାଯାତ୍ରାରେ ଆଦିବାସୀ ନୃତ୍ୟର ତାଳେ ତାଳେ ଅତିଥି ମାନଙ୍କୁ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ । ଏହି ରଜ ଉତ୍ସବ ଦ୍ୱାରା ପରଷ୍ପର ଭିତରେ ଭାଇଚାରା ଓ ଏକତା ବଜାୟ ରହିବ ବୋଲି ଅତିଥିମାନେ ଭାଷଣ ପ୍ରସଙ୍ଗରେ ନିଜ ନିଜର ଅଭିବ୍ୟକ୍ତ ରଖିଥିଲେ । ପରେ ଅତିଥିମାନେ ସୁସଜ୍ଜିତ ଦୋଳିରେ ବସି ରଜକୁ ଉପଭୋଗ କରିଥିଲେ ।