‘ସହାୟକ’ ପକ୍ଷରୁ ଅନୁଷ୍ଠିତ ହେଲା ‘ମନୋଜ ଦାସଙ୍କ ସାହିତ୍ୟରେ ଆଧ୍ୟାତ୍ମିକତା’ ଶୀର୍ଷକ ଆଲୋଚନାଚକ୍ର

ବାଲେଶ୍ୱର, (ସରୋଜ ପଣ୍ଡା):ଫକୀରମୋହନଙ୍କ ପରବର୍ତ୍ତୀକାଳରେ ବାଲେଶ୍ୱର ଜିଲ୍ଲାର ଭୋଗରାଇର ଶଙ୍ଖାରି ଗ୍ରାମରେ ଜନ୍ମିତ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ କଥାକାର ପଦ୍ମଭୂଷଣ ମନୋଜ ଦାସଙ୍କ ସାହିତ୍ୟରେ ଆଧ୍ୟାତ୍ମିକତା ପରୋକ୍ଷଭାବେ ନିହିତଥାଇ ପାଠକଙ୍କ ଅନ୍ତରୀଣ ଚେତନାକୁ ଫଲଗୁସମ ପ୍ରବାହିତ କରିଥାଏ ସର୍ବଦା ବୋଲି ଆଜି ପୂର୍ବାହ୍ନରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଓ ଏହାର ସହଯୋଗୀ ସଂଗଠନ ‘ସହାୟକ’ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି । ବାଲେଶ୍ୱର ଷ୍ଟେସନକ୍ଲବ୍ ପରିସରରେ ପୂର୍ବାହ୍ନ ୧୦ଘଟିକାରେ ଆୟୋଜିତ ଆଲୋଚନାଚକ୍ରରେ ମନୋଜ ସାହିତ୍ୟର ବିଶିଷ୍ଟ ଗବେଷକ ପ୍ରଫେସର ମଣୀନ୍ଦ୍ର କୁମାର ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀର୍ଘ ପ୍ରାୟ ଦେଢ଼ଘଣ୍ଟା ଧରି ମଣିଷର ଚିନ୍ତା-ଚେତନାକୁ ଊର୍ଦ୍ଧ୍ୱାୟିତ କରି ମୁକ୍ତିକାମୀ ହେବା ନିମନ୍ତେ ମନୋଜ ଦାସ ତାଙ୍କ ଗଳ୍ପ ଓ ଉପନ୍ୟାସ ମଧ୍ୟରେ ପ୍ରତୀକିତ ଆଧ୍ୟାମିôକତାକୁ ସୁନ୍ଦର ଭାବେ ଫୁଟାଇବାରେ ସଫଳ ହୋଇଛନ୍ତି ବୋଲି କହିଥିଲେ । ଅମୃତଫଳ, ବ୍ୟାଘ୍ରାରୋହଣ, ଚନ୍ଦ୍ରାଲୋକର ପ୍ରହରୀ, ଲକ୍ଷ୍ମୀର ଅଭିସାର ଆଦି ରଚନାରେ ମଣିଷର ଚେତନାକୁ ଶାଣିତ କରି ସୁସଂସ୍କୃତ ହେବାରେ ସେ ଯେଉଁ ଆହ୍ୱାନ ତୋଳିଛନ୍ତି ତା’ର ବ୍ୟାଖ୍ୟାନ କରିଥିଲେ ।‘ସହାୟକ’ ଅନୁଷ୍ଠାନର ସଭାପତି ଇଂ. ସୁରେନ୍ଦ୍ରନାଥ ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ସଂପାଦକ ବିଜୟ କୁମାର ଦାସଅଧିକାରୀ ମଞ୍ଚଆହ୍ୱାନ କରି ‘ସହାୟକ’ ପକ୍ଷରୁ ପ୍ରତିମାସରେ ତୃତୀୟ ରବିବାର ହେଉଥିବା ଆଲୋଚନାଚକ୍ର ସମ୍ବନ୍ଧରେ ସୂଚନା ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ‘ସହାୟକ’ର ଆଜୀବନ ସଦସ୍ୟ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି କାଳୀପଦ ପଣ୍ଡା ପ୍ରାକ୍‌କଥନ ରଖି ମନୋଜ ଦାସଙ୍କୁ ଓଡ଼ିଆ ସାହିତ୍ୟର ବିଷ୍ଣୁଶର୍ମା ରୂପେ ବର୍ଣ୍ଣନା କରି ତାଙ୍କ ସାହିତ୍ୟରେ ଅତୀତ ଓ ଭବିଷ୍ୟତର ସଂଯୋଗୀକରଣ ଭିତରେ ଜୀବନ ଗଢ଼ିବାକୁ ଆଶ୍ୱାସନା ମିଳିଥାଏ ବୋଲି କହିଥିଲେ । ଆଜିର ଏହି ଆଲୋଚନାଚକ୍ରରେ ଉଭୟ ଅନୁଷ୍ଠାନର ଆଜୀବନ ସଭ୍ୟସଭ୍ୟାଙ୍କ ସହ ସହରର ଶତାଧିକ ଜ୍ଞାନୀଗୁଣୀ ବୁଦ୍ଧିଜୀବୀ, ଲେଖକ, ଅଧ୍ୟାପକ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ