କମ୍ୟୁନିଟି କୁଅକୁ ନେଇ ବିବାଦ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଗ୍ରୀଷ୍ମ ପ୍ରବାହ ବଢିବା ସାଙ୍ଗକୁ ପିଇବା ପାଣି ସମସ୍ୟା ମଧ୍ୟ୍ୟ ବିଭିନ୍ନ ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଛି। ଯାହାପାଇଁ ପିଇବା ପାଣି ଟୋପାଏ ପାଇଁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଦେଖିବାକୁ ମିଳିଛି। ପିଇବା ପାଣିର ସମସ୍ୟା ବ୍ଲକର ସର୍ବ ବୃହତ ପଞ୍ଚାୟତ କୁହାଯାଉଥିବା ରତଙ୍ଗ ପଞ୍ଚାୟତ ମୁଖ୍ୟାଳୟରେ ପାଣି ସମସ୍ୟା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଗ୍ରାମବାସୀ ଙ୍କ ପାଇଁ ସରକାରଙ୍କ ତରଫରୁ ନିର୍ମାଣ କରାଯାଇଥିବା କମ୍ୟୁନିଟି କୁଅଁ ପାଇଁ ଏବେ ଦେଖା ଦେଇଛି ବିବାଦ। ଏହି କମ୍ୟୁନିଟି କୁଅକୁ ଗାଁର ଦୁଇଟି ପରିବାର ନିଜ ଅକ୍ତିଆରରେ ରଖି ପାଣିପମ୍ପ ଲଗାଇ ନିଜସ୍ୱ ସମ୍ପତି ଭାବରେ ବ୍ୟବହାର କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଘଟଣାକୁ ନେଇ ଗ୍ରାମବାସୀ ବ୍ଳକ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଲିଖିତ ଭାବରେ ଜଣାଇ ଆସୁଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳିନଥିବାରୁ ଶେଷରେ ଉଭୟ ପରିବାର ବିରୋଧରେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ରତଙ୍ଗ ଗାଁର ମଧ୍ୟଭାଗରେ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ସରକାରଙ୍କ ଦ୍ୱାରା ଏକ ପଥର କୁଅ ଖୋଳା ଯାଇଥିଲା। ବର୍ଷ ବର୍ଷ ଧରି ଗ୍ରାମବାସୀ ଏହି କୁଅର ପାଣିକୁ ବ୍ୟବହାର କରି ଆସୁଥିଲେ। କିନ୍ତୁ ଚଳିତ ବର୍ଷ ଦେହୁରୀ ସାହିର ରବି ଚନ୍ଦ୍ର ମହାକୁଡ଼ ଓ ସେହି ସାହିର ରଶ୍ମିତା ମହାକୁଡ଼ କୁଅଟି ନିଜ ପଟ୍ଟା ଜାଗାରେ ଅଛି କହି ନିଜେ ପମ୍ପ ଲଗାଇ ନିଜ ଘରକୁ ପାଣି ନେଉଥିବା ବେଳେ ଗ୍ରାମବାସୀ ମନେ ପାଣି ନେବାକୁ ଆସିଲେ ବାରଣ କରିବା ସହ ଗ୍ରାମବାସୀଙ୍କୁ ଗାଳିଗୁଲଜ କରୁଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ଗ୍ରାମବାସୀ ଉଭୟଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଥାନାରେ ଗ୍ରାମବାସୀ ଓ ସମ୍ପୃକ୍ତ ପରିବାର ସଦସ୍ୟ ବସି ଆପୋଷ ବୁଝାମଣା କରିଥିଲେ ଓ ସରକାରଙ୍କ ନିର୍ଦେଶନାମା ନଆସିବା ପର୍ଯ୍ୟନ୍ତ ଉଭୟ ପରିବାର ସମ୍ପୃକ୍ତ କୁଅରେ ମୋଟର ଲଗାଇ ପାରିବେ ନାହିଁ ଓ ପୂର୍ବ ପରି ଗ୍ରାମବାସୀ କୁଅରୁ ପାଣି ବ୍ୟବହାର କରିପାରିବେ ବୋଲି ଚୁକ୍ତି ନାମା କରାଯାଇଥିଲା। ପରେ ଗ୍ରାମବାସୀ କିଛି ମାତ୍ରାରେ ଶାନ୍ତ ହୋଇଥିବା ବେଳେ ଏହି ଘଟଣାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ କୁଅ ପାଇଁ ରତଙ୍ଗ ଗାଁରେ ଏକ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବାର ସମ୍ଭାବନା ରହିଥିବା ବେଳେ ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ଦୃଷ୍ଟି ଦେବାପାଇଁ ଗାଁର ଶ୍ରଦ୍ଧାକର ଦେହୁରୀ, ଯଶୋବନ୍ତ ଦେହୁରୀ, କଷ୍ଟ ଦେହୁରୀ, ଚୈତନ୍ୟ ଦେହୁରୀ, ବାସନ୍ତୀ ପ୍ରଧାନ, କଳ୍ପନା ମହାକୁଡ଼, ଗୋକୁଳା ବେହେରା, ସୁରଥ ବେହେରା, ଶ୍ୟାମସୁନ୍ଦର ପ୍ରଧାନ, ପ୍ରଭାସିନୀ ମହାକୁଡ଼, ପ୍ରତାପ ପ୍ରଧାନଙ୍କ ସହ ସମସ୍ତ ଗ୍ରାମବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ