ସେବା ସପ୍ତାହ ଅବସରରେ ଫଳ ବଣ୍ଟନ ଓ ସ୍ମୃତିଚାରଣ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି):ଗୋପବନ୍ଧୁ ଦାସଙ୍କ ୯୫ତମ ପୂଣ୍ୟତିଥି ଅବସରରେ କାହାଳିଆ ଗଢିଆ ଏସ୍ସିବି ଫାଉଁଡେସନ୍ ପକ୍ଷରୁ ସେବା କାର୍ଯ୍ୟ କରାଯାଇଛି । ଆଗରପଡାସ୍ଥିତ ଐତିହାସିକ ଗାନ୍ଧି କର୍ମ ମନ୍ଦିର ପରିସରରେ ଥିବା ମହତାବଙ୍କ ସମାଧି ପିଠରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାଜସେବୀ ହେମନ୍ତ ସିଂହଙ୍କ ଆବାହକତ୍ୱରେ ପଣ୍ଡିତ ରାଖାଲ କୃଷ୍ଣ ମିଶ୍ର, ତପନ କୁମାର ପାଢୀ, କୃଷ୍ଣ ଚନ୍ଦ୍ର ପତି, ଅନାଦି ଦାସ ପ୍ରାରମ୍ଭରେ ବେଦ ପାଠ କରିଥିଲେ । ଏନେଇ ଆୟୋଜିତ ସ୍ମୃତିଚାରଣ ସଭାକୁ ଏସ୍ସିବି ଫାଉଁଡେସନ୍ର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ବେହେରା ପୌରହିତ୍ୟ କରିଥିଲେ । ଏଥିରେ ବରିଷ୍ଠ ନାଗରିକ କର୍ମଚାରୀ ସଂଘର ସଭାପତି ରାମଚନ୍ଦ୍ର ନାୟକ,ବରିଷ୍ଠ ନାଗରିକ ତଥା ବିଶିଷ୍ଟ ସମାଜସେବୀ ନରୋତ୍ତମ ଦାସ, ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସମ୍ପାଦକ କୌଳାସ ଚନ୍ଦ୍ର ଧଳ, ସ୍ତମ୍ବକାର ସୁବୋଧ କୁମାର ସାହୁ, ନାଟ୍ୟ ନିଦ୍ଦେର୍ଶକ ଗୋପିନାଥ ପାଢୀ,ଚିନ୍ତା-ଚେତନା ସାହିତ୍ୟ ସଂସଦର ଉପ-ସଭାପତି ଚିତ୍ତରଞ୍ଜନ ସାମନ୍ତରାୟ, ବିଜେପି ନେତା ଗୋପାଳ କୃଷ୍ଣ ଦାଶ, ଅଶୋକ କୁମାର ପରିଡା, ବରିଷ୍ଠ ନାଗରିକ ଅଶୋକ ମହାନ୍ତି, ବିଜୟ କୁମାର ମହାନ୍ତି, ଅରୁଣ କୁମାର ପଣ୍ଡା, ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ, ଗାୟତ୍ରୀ ଦାସ, ଛାତ୍ରୀ କୌଶଲ୍ୟା ତିଆଡି, ଛବିରାଣି ଜେନା ଯୋଗ ଦେଇ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନ ଆଦର୍ଶ ଉପରେ ମତ ରଖିଥିବା ବେଳେ ସେବା ଧର୍ମ ପାଇଁ ସେ ଚିରକାଳ ଆମ ମାନଙ୍କ ହୃଦୟରେ ରହିଥିବା କହିଥିଲେ । ଏହି ଅବସରରେ ଦୁସ୍ଥ ଲୋକଙ୍କୁ ବସ୍ତ୍ର ଦାନ ସହ ଫଳ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ ।


