ଚାଉଳର ମାନ ପରୀକ୍ଷା ପାଇଁ ନବନିର୍ମାଣ କୃଷକ ସଂଗଠନର ଆହ୍ୱାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚାଷୀ ମଣ୍ଡିରେ ଧାନ ବିକିଲା ବେଳେ ଧାନର ମାନ ପରଖିବା ନାମରେ ମିଲରମାନେ ଚାଷୀଙ୍କୁ ନାକେଦମ କରୁଛନ୍ତି । ତୁମ ଧାନ ଏଫ୍‌ଏକ୍ୟୁ ମାନର ନୁହେଁ କହି କୁଇଣ୍ଟାଲ ପିଛା ୮ରୁ ୧୨ କେଜି କାଟ କରୁଛନ୍ତି, ସେତେବେଳେ ଜିଲ୍ଲା ଯୋଗାଣ ଅଧିକାରୀ, ଉପଜିଲ୍ଲାପାଳ, ସ୍ଥାନୀୟ ବିଡ଼ିଓ, ତହସିଲଦାର ଓ ଯୋଗାଣ ମନ୍ତ୍ରୀ, ସଚିବଙ୍କୁ ଏ ନେଇ ଫେରାଦ ହେବା ପରେ ବି ମିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୁଏ ନାହିଁ । ସତେ ଯେମିତି ମିଲର ଜିଲ୍ଲା ପ୍ରଶାସନ ଓ ସରକାର ମଧ୍ୟରେ ଏକ ଅଘୋଷିତ ମେଣ୍ଟ ରହିଥାଏ । ସବୁଠୁ ବଡ଼କଥା ଯେ, ମିଲରମାନଙ୍କ ଗୋଦାମ ନିୟମିତ ଯାଞ୍ଚ ହେଉନଥିବାରୁ ସେମାନେ ୧୪୦୦ ଟଙ୍କାରେ ଖୋଲା ବଜାରରୁ କଞ୍ଚା, ଅପରିପକ୍ୱ, ବେରଙ୍ଗୀ ଧାନମାନ କିଣି ନେଇଥାନ୍ତି । ପରେ ଏହି ଚାଉଳକୁ ଯୋଗାଣ ନିଗମ ମାଧ୍ୟମରେ ସାଧାରଣ ଲୋକଙ୍କୁ ଟଙ୍କିକିଆ ଚାଉଳ ଭାବେ ଯୋଗାଇଥାନ୍ତି । ବର୍ଷ ବର୍ଷ ଧରି ନିମ୍ନମାନର ଚାଉଳ ବିଭିନ୍ନ ସମୟରେ ମିଲ୍ ମାଲିକମାନେ ଯୋଗାଉଥିବା ବେଳେ ଓ ଏହା ଖବରକାଗଜ ପୃଷ୍ଠା ମଣ୍ଡନ କଲେ ମଧ୍ୟ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ତେବେ ଝାରସୁଗୁଡ଼ାର ଅଧିକାଂଶ ମିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଥିଲେ ହେଁ ରାଜ୍ୟ ସରକାରଙ୍କ ଅଧିକାରୀ କିମ୍ବା ଜିଲ୍ଲା ପ୍ରଶାସନ କେହି ଏହି ମିଲରମାନଙ୍କୁ କଳା ତାଲିକାଭୁକ୍ତ କରିବା କିମ୍ବା ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କିମ୍ବା ଏମାନଙ୍କୁ ଗିରଫ କରିବା ଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ବିଭିନ୍ନ ସମୟରେ କୋରାପୁଟ, ନବରଙ୍ଗପୁର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଜିଲ୍ଲାରେ ଏଭଳି ନିମ୍ନ ମାନର ଚାଉଳ ସାଧାରଣ ଲୋକଙ୍କୁ ଯୋଗାଉଥିବା ବେଳେ ଏହାର ତଦାରଖ ଯୋଗାଣ ବିଭାଗ କରୁନାହିଁ । ଯାହାଫଳରେ ମିଲରମାନେ ଉଭୟ ଧାନ କିଣା ଓ ଚାଉଳ ଯୋଗାଣରେ ମାଲାମାଲେ ହେଉଥିବା ବେଳେ ଚାଷୀ ଓ ଖାଉଟି ଉଭୟ ହନ୍ତସନ୍ତ ହେବା ସହ ଶୋଷଣର ଶିକାର ହେଉଛନ୍ତି । ଧାନକିଣା ବେଳେ ଯେଭଳି ମାନ ପରୀକ୍ଷା ହେଉଛି, ଚାଉଳ ଯୋଗାଣ ସମୟରେ ସରକାରୀ କର୍ମଚାରୀ ଓ ପ୍ରଶାସନ ଚାଉଳର ମାନ ପରଖିବାକୁ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଦାବି କରିଛନ୍ତି । ସେ କହିଛନ୍ତି ଯେ ଯୋଗାଣ ସଚିବ ଓ ମନ୍ତ୍ରୀ ତୁରନ୍ତ ସମସ୍ତ ମିଲରମାନଙ୍କ ପାଖରେ ଗଚ୍ଛିତ ଥିବା ଚାଉଳର ମାନ ପରଖିବାକୁ ବ୍ଲକ ଏମ୍‌ଆଇ ଠାରୁ ଆରମ୍ଭ କରି ସିଏସ୍‌ଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ନନ୍ଦ ଦାବି କରିଛନ୍ତି । ବିଶେଷକରି ଝାରସୁଗୁଡ଼ା, ନୟାଗଡ଼ ଭଳି ଜିଲ୍ଲାର ଗୋଦାମକୁ ତୁରନ୍ତ ତଦାରଖ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ