ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ +୩ ପରୀକ୍ଷା ଫଳ ପ୍ରକାଶିତ
ବୁଗୁଡା, (ଅନିଲ କୁମାର ମହାରଣା):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳରେ ବୁଗୁଡା ପିପୁଲସ କଲେଜର ୩ ଟି ବିଭାଗର ୭ ଜଣ ସ୍ଥାନ ପାଇ କଲେଜ ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି। ରାଜନୀତି ବିଜ୍ଞାନ ବିଭାଗର ୪ ଜଣ ଛାତ୍ରୀ ସ୍ଥାନ ପାଇଥିବା ବେଳେ ଆଇଆରପିଏମ ବିଭାଗରେ ଜଣେ ଛାତ୍ରୀ ଓ ଜଣେ ଛାତ୍ର ଏବଂ ଉଦ୍ଭିଦ ବିଜ୍ଞାନ ବିଭାଗରେ ଜଣେ ଛାତ୍ରୀ, ଏହିପରି ମୋଟ ସାତ ଜଣ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ରାଜନୀତି ବିଜ୍ଞାନ ବିଭାଗର ଚାରି ଜଣଙ୍କ ମଧ୍ୟରୁ ଚିନ୍ମୟୀ ସାହୁ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମୋଟ ମାର୍କ ୧୪୦୦ ଥିବା ବେଳେ ଚିନ୍ମୟୀ ସାହୁ ୧୨୩୫ ମାର୍କ ରଖି ପ୍ରଥମ ସ୍ଥାନ ରଖିଛନ୍ତି। ସେହିପରି ନନ୍ଦିନୀ ବିଶ୍ୱାଳ ମୋଟ ୧୨୨୦ ମାର୍କ ରଖି ତୃତୀୟ ସ୍ଥାନ, ଦୀପ୍ତିମୟୀ ସ୍ବାଇଁ ମୋଟ ୧୧୮୫ ମାର୍କ ରଖି ନବମ ସ୍ଥାନ ଓ ସ୍ମୃତିଶିଖା ପ୍ରଧାନ ମୋଟ ୧୧୮୨ ମାର୍କ ରଖି ଦଶମ ସ୍ଥାନ ଅଧିକାର କରିଛନ୍ତି। ଆଇଆରପିଏମ ବିଭାଗର ଛାତ୍ରୀ ଦୀପ୍ତିରାଣୀ ସେଠୀ ୧୧୪୫ ମାର୍କ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ର ଆଶିଷ କୁମାର ସାହୁ ସପ୍ତମ ସ୍ଥାନରେ ରହି ୧୧୦୨ ମାର୍କ ରଖିଛନ୍ତି। ସେହିପରି ଉଦ୍ଭିଦ ବିଜ୍ଞାନ ବିଭାଗର ମୋନାଲିଶା ସାହୁ ୧୨୬୭ ମାର୍କ ରଖି ଚତୁର୍ଥ ସ୍ଥାନରେ ରହିଛନ୍ତି। ମହାବିଦ୍ୟାଳୟର ଶୃଙ୍ଖଳା ଓ ଶିକ୍ଷାଦାନ ପଦ୍ଧତି, ଏବଂ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ,ପିତା ଓ ମାତାଙ୍କ ପ୍ରେରଣା ସେମାନଙ୍କୁ ଶ୍ରେଷ୍ଠ ୧୦ ସ୍ଥାନରେ ରହିବାକୁ ସୁଯୋଗ ଦେଇଥିବା ପ୍ରକାଶ କରିଛନ୍ତି। ଏହି ଗୌରବ ପାଇଁ କଲେଜର ପ୍ରିନ୍ସପାଲ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ସାତଜଣ ଛାତ୍ରଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣେଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।