ଦୀପାବଳି ପୂର୍ବରୁ ପୁଲିସର ଚଢ଼ାଉ, ୨ ଲକ୍ଷ ଟଙ୍କାର ବାଣ ଜବତ
ଛତ୍ରପୁର, (ଓ୍ବାଇଏନଏସ): ଆଉ କିଛି ଦିନ ପରେ ଆଲୋକର ପର୍ବ ଦୀପାବଳି। ଏହାକୁ ଦୃଷ୍ଟିରେ ରଖି ବେଆଇନ ଭାବେ ବାଣ ଗଚ୍ଛିତ ରଖିବା ଓ ବିକ୍ରି ଉପରେ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ଏହି କ୍ରମରେ ଛତ୍ରପୁର ଥାନା ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ କେଉଟପଲ୍ଲୀ ଗ୍ରାମରୁ ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ବାଣ ଜବତ କରାଯାଇଛି।
ସୂଚନା ଅନୁଯାୟୀ, କେଉଟପଲ୍ଲୀ ଗ୍ରାମର ବିଭୂତି ଭୂଷଣ ବେହେରାଙ୍କ ନିକଟରେ ବେଆଇନ ଭାବେ ବିପୁଳ ପରିମାଣର ବାଣ ଗଚ୍ଛିତ ରଖାଯାଇଥିବା ଖବର ପାଇ ଛତ୍ରପୁର ଥାନା ପୁଲିସ ଗତକାଲି ରାତିରେ ଚଢ଼ାଉ କରିଥିଲା। ଏହି ସମୟରେ ତାଙ୍କ ନିକଟରୁ ପ୍ରାୟ ୨ ଲକ୍ଷ ଟଙ୍କାର ବାଣ ଜବତ କରାଯାଇଥିଲା।ଏ ସଂକ୍ରାନ୍ତରେ ଛତ୍ରପୁର ଥାନାରେ କେସ୍ ନଂ ୫୪୩, ତାରିଖ ୦୪.୧୧.୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୮୮, ବିସ୍ଫୋରକ ଆଇନର ଧାରା ୯(ବି)(୧)(କ) ଏବଂ ଓଡ଼ିଶା ଆତସବାଜି ଓ ନିୟନ୍ତ୍ରଣ ଆଇନର ଧାରା ୫ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏନେଇ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।


