ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ବିପଦରେ ନଦୀବନ୍ଧ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଗଜରାଜପୁର ପଂଚାୟତ ତୁମ୍ବେଶ୍ୱର ନିକଟସ୍ଥ ଦେବୀନଦୀ ବନ୍ଧକୁ ଲାଗି ସରକାରଙ୍କ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପ ନିର୍ମାଣ ହେବା ଫଳରେ ଦେବୀନଦୀ ବନ୍ଧରେ ଫାଟ ସୃଷ୍ଟି ହୋଇଛି । ଯାହାକୁ ନେଇ ତୁମ୍ବେଶ୍ୱର ନଦୀବନ୍ଧ ସୁରକ୍ଷା କମିଟି, ନବ ନିର୍ମାଣ କୃଷକ ସଂଗଠନ ଓ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ । ବନ୍ଧରେ ଫାଟ ହେବା ଫଳରେ ନଦୀରେ ବନ୍ୟା ପାଣି ଆସିଲେ ବନ୍ଧ ଭାଙ୍ଗିବାର ସମ୍ଭାବନା ଅଧିକ ରହିଛି । ବିରୋଧ କରିବା ଯୋଗୁ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କିଛି ଦିନ ବନ୍ଦ ରହିଥିଲା । ଉକ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନାଉଗାଁ ବିଡିଓଙ୍କ ତତ୍ୱାବଧାନରେ ପ୍ରଶାସନିକ ଅଧିକାରି ନଦୀବନ୍ଧ ସୁରକ୍ଷା କମିଟିର ସଦସ୍ୟମାନଙ୍କୁ ନେଇ ବ୍ଳକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ବୈଠକ କରାଯାଇଥିଲା । ଉକ୍ତ ବୈଠକରେ ନିର୍ମାଣ କରାଯାଉଥିବା ପ୍ରକଳ୍ପ ନିକଟସ୍ଥ ନଦୀବନ୍ଧରେ ଏକ ପଥର ବନ୍ଧ ନିର୍ମାଣ କରାଯିବ । ଯାହାଫଳରେ ବନ୍ଧର କୌଣସି ଅସୁବିଧା ହେବ ନାହିଁ । ପଥର ବନ୍ଧ ନିର୍ମାଣ ହେବାକୁ ନିଷ୍ପତି ନିଆଯିବା ପରେ ସ୍ଥାନୀୟ ଜନସାଧାରଣ ଓ ସୁରକ୍ଷା କମିଟିର ସହଯୋଗ କ୍ରମେ ପ୍ରକଳ୍ପ କାର୍ଯ୍ୟ କରାଯାଇଥିଲା । ଉକ୍ତ ନିଷ୍ପତିକୁ ଦିର୍ଘ ୩ ବର୍ଷ ପୁରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପଥର ବନ୍ଧ ନିର୍ମାଣ କରାଯାଇନାହିଁ । ଯାହାଫଳରେ ନଦୀରେ ବଡ ଧରଣର ବନ୍ୟା ଆସିଲେ ଯଦି ନଦୀ ବନ୍ଧ ଭାଙ୍ଗେ ତେବେ ଉକ୍ତ ବ୍ଳକର ୧୫ଟି ପଂଚାୟତ ସମେତ ବାଲିକୁଦା ବ୍ଳକର ୬ଟି ପଂଚାୟତ ପ୍ରଭାବିତ ହେବେ । ତେଣୁ ବିଭାଗ ପକ୍ଷରୁ ଯଦି ବନ୍ଧ ନିର୍ମାଣ କରା ନଯାଏ ତେବେ ତୁମ୍ବେଶ୍ୱର ନଦୀ ବନ୍ଧ ସୁରକ୍ଷା କମିଟି ଓ ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କମିଟିର ସଦସ୍ୟ ଅଶୋକ ସ୍ୱାଇଁ, ଆର୍ତତ୍ରାଣ ଦାସ, ନବକିଶୋର ମହାନ୍ତି, ବଂଶୀଧର ବେହେରା ଆଦି ଚେତାବନୀ ଦେଇଛନ୍ତି । ଏବିଷୟରେ ଜଳସେଚନ ବିଭାଗର ଆଳିପିଙ୍ଗଳ ସବଡିଭିଜନର ଏସଡିଓ ଫକୀର ଚରଣ ସେଠଙ୍କୁ ପଚାରିବାରୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପଥର ପ୍ୟାକିଂ କରାଯାଉଛି । ପଥର ବନ୍ଧ ନିର୍ମାଣ ପାଇଁ ଜଳସେଚନ ବିଭାଗକୁ ପ୍ରସ୍ତାବ ଯିବା ପରେ ବିଭାଗର ବୈଷୟିକ ଦଳ ତଦାରଖ କରି ଯାଇଛନ୍ତି ପ୍ରକଳ୍ପ ମଂଜୁରୀ ହୋଇ ଆସିବା ପରେ କାର୍ଯ୍ୟ ହେବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ