ବର୍ଷା ହେଲେ ଜମୁଛି ପାଣି, ତୁରନ୍ତ ରେଳ ପ୍ଲାଟଫାର୍ମର ନିର୍ମାଣ ପାଇଁ ଦାବି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ରେଳ ଷ୍ଟସନର ଉନ୍ନତିକରଣ କାମ କଚ୍ଛପଗତି ଦେଇ ଚାଲୁ ରହିଛି । ନବୀକରଣ ତଥା ଉନ୍ନତିକରଣ ପାଇଁ ରେଳ ବିଭାଗ ଆଗଭର ହୋଇ କାମ ଆରମ୍ଭ କରିଥିଲେ ମଧ୍ୟ ଏହା ଅଧପନ୍ତରିଆ ଭାବେ ପଡି ରହିଛି । କାମ ଚାଲୁଛି । ହେଲେ ଅତି ଧୀମା ଗତିରେ ହେଉଛି । ବର୍ତ୍ତମାନ ବର୍ଷା ଋତୁ ହୋଇଥିବା ଏବଂ ଗତ କିଛି ଦିନ ହେଲା ଲଗାଣ ବର୍ଷା ହେଉଥିବାରୁ ଲୋକେ ତଥା ରେଳ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ଲାଟଫାର୍ମର ଉଚ୍ଚତା ବୃଦ୍ଧି କରାଯାଇଥିଲେ ମଧ୍ୟ ଫ୍ଲରିଂ କାମ ହୋଇନାହିଁ । ଫଳରେ ଯାତ୍ରୀମାନେ କାଦୁଅଭରା ମାଟିରେ ଯାତାୟତ କରୁଛନ୍ତି । ସେହିପରି ଯାତ୍ରୀ ବିଶ୍ରାମ ପାଇଁ କୌଣସି ବନ୍ଦୋବସ୍ତ କରାଯାଇ ନଥିବା ବେଳେ ପୁରୁଣା ଯାତ୍ରୀ ବିଶ୍ରାମଗାର ବାରଣ୍ଡାରେ ବର୍ଷା ହେଲେ ଆଣ୍ଠୁଏ ପାଣି ଜମି ରହୁଛି । ଏହି ବର୍ଷାପାଣି ଜମି ରହୁଥିବାରୁ ଲୋକେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ରେଲ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଯାତ୍ରୀମାନଙ୍କ ସୁରକ୍ଷିତ ଯାତାୟତ ନିମନ୍ତେ ଅନ୍ତତଃ ପଦକ୍ଷେପ ନେବାକୁ ଦାବି ହୋଇଛି ।


