ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗର ସମୀକ୍ଷା

ଛତ୍ରପୁର, (ଦେବଦତ୍ତ ମହାରଣା):ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ଶିକ୍ଷକଙ୍କଠୁ ଆରମ୍ଭ କରି ସିଆର୍‌ସିସି ଓ ବିଇଓ ମାନେ ଦାୟିତ୍‌ବବାନ ହେବାକୁ ପଡିବ । ସରକାରଙ୍କ ପାଠ୍ୟଖସଡା ଅନୁଯାୟୀ ବିଭିନ୍ନ ବିଷୟକୁ ନେଇ କାର୍ଯ୍ୟ ପୁସ୍ତିକା ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ବିକାଶ ଆଣିପାରିବ । ଏଥିପାଇଁ ଗଞ୍ଜାମ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅଭିନବ ପଦକ୍ଷେପ ‘ଥ୍ରି-ପଏଣ୍ଟ୍‌’ୁ ଗୁରୁତ୍ୱ ଦିଆଯାଇଛି । ବିଦ୍ୟାଳୟ ସମ୍ବନ୍ଧ ସମସ୍ତ ବିଷୟକୁ ନେଇ ସମ୍ବୃଦ୍ଧୀକରଣ ପ୍ରୟାସକୁ ଗଞ୍ଜାମ ଜିଲ୍ଲା ଚଳିତ ଶିକ୍ଷା ବର୍ଷଠୁ ପୂର୍ଣ୍ଣପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଇାଂରଜୀ, ଗଣିତ ଓ ଓଡିଆ ବିଷୟର ଜୁନ୍ ଓ ଜୁଲାଇମାସ ପାଇଁ ଭିଡିଓ ଏବଂ କାର୍ଯ୍ୟ ପୁସ୍ତିକା ପ୍ରସ୍ତୁତ କରାଯାଇଥିବାକୁ ପ୍ରଶଂସା କରିବା ସହିତ ଅଗଷ୍ଟ ମାସ ପାଇଁ ଏହି ପ୍ରକ୍ରିୟାରେ ଜୁଲାଇ ଶେଷ ସୁଦ୍ଧା ଭିଡିଓ ଓ କାର୍ଯ୍ୟ ପୁସ୍ତିକା ପ୍ରସ୍ତୁତି କାମ ଶେଷ କରିବାକୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପାଠ୍ୟଖସଡା ଅନୁସାରେ କାର୍ଯ୍ୟପୁସ୍ତିକା ସମଗ୍ର ଶିକ୍ଷା ଏକାଡେମୀ ସମୃଦ୍ଧୀକରଣ ଷ୍ଟୁଡିଓରେ ପ୍ରସ୍ତୁତ ହୋଇଥିବା ଭିଡିଓକୁ ୟୁଟ୍ୟୁବ୍ ମାଧ୍ୟମରେ ଅପଲୋଡ୍ କରିବା ସହ ୫-ଟି ଅନ୍ତର୍ଗତ ହାଇସ୍କୁଲ ଗୁଡିକର ସ୍ମାର୍ଟ ଶ୍ରେଣୀ କକ୍ଷରେ ଏହାକୁ ନେଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା ପାଇଁ କୁହାଯାଇଛି । ଯେଉଁ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍ ରୁମ୍ ନଥିବା ସେହି ବିଦ୍ୟାଳୟ ଗୁଡିକରେ ଅନ୍‌ଲାଇନ୍‌ର ବ୍ୟବସ୍ଥା କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା ପାଇଁ ପଦକ୍ଷେପ ନିଆଯିବ । ଗଞ୍ଜାମ ଜିଲ୍ଲାରେ ୨୦୨୨-୨୩ ଶିକ୍ଷାବର୍ଷରେ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବାରୁ ପ୍ରଶଂସା କରିଥିଲେ । ସେହିପରି ଜିଲ୍ଲାର ୯୭୩ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇନାହାନ୍ତି ସେମାନଙ୍କୁ ରାଜ୍ୟ ଅନୁଷ୍ଠାନ ଖୋଲା ବିଦ୍ୟାଳୟ ମାଧ୍ୟମରେ ଦଶମ ଶ୍ରେଣୀ ପରୀକ୍ଷାରେ ପାସ୍ କରିବା ପାଇଁ ପଦକ୍ଷେପ ନିଆଯିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ବର୍ତ୍‌ମାନ ସୁଦ୍ଧା ୯୭୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୫୬ ଜଣଙ୍କୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ରାଜ୍ୟ ଅନୁଷ୍ଠାନ ଖୋଲା ବିଦ୍ୟାଳୟ ଗୁଡିକରେ ନାମ ଲେଖା ହୋଇସାରିଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହିତ ରାଜ୍ୟ ଅନୁଷ୍ଠାନ ଖୋଲା ବିଦ୍ୟାଳୟରେ ୧୮ ବର୍ଷ ବୟସର ଯେଉଁ ଛାତ୍ରଛାତ୍ରୀମାନେ ଦଶମ ଶ୍ରଣୀ ପାସ୍ କରିଛନ୍ତି ସେମାନଙ୍କୁ ଧନ୍ଦାମୂଳକ ଶିକ୍ଷା ପାଇଁ ତାଲିମ୍ ବ୍ୟବସ୍ଥା କରାଯାଇଛି । ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟାପନ ଯୋଜନାରେ ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାମାନଙ୍କୁ ୨୦୨୬-୨୭ ସୁଦ୍ଧା ଶ୍ରେଣୀୱାରୀ ସଫଳତାର ସହ ପ୍ରୟାସ ଜାରି ରହିଛି ପରବର୍ତ୍ତୀ କ୍ରମେ ଛାତ୍ରଛାତ୍ରୀଙ୍କୁ ଶିକ୍ଷଣ ପ୍ରକ୍ରିୟାରେ ସହଯୋଗ ହୋଇପାରିବ ବୋଲି ଡାଇଟ୍ ବରିଷ୍ଠ ଶିକ୍ଷାବିତ୍ ଅଭିରାମ ବିଶ୍ୱାଳ ପିପିଟି ମାଧ୍ୟମରେ ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ ପ୍ରତ୍ୟେକ ବିଇଓମାନେ ଏହି କାର୍ଯ୍ୟକ୍ରମକୁ ନିଜ ବ୍ଲକ ଗୁଡିକରେ ସୂଚାରୁରୂପେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ସେହିପରି ଯେଉଁ ବିଦ୍ୟାଳୟ ଗୁଡିକରେ ପିଲାଙ୍କ ଅନୁପାତ ଅନୁସାରେ ଶିକ୍ଷକ ଅଧିକ ରହିଛନ୍ତି ସେମାନଙ୍କୁ ଅନ୍ୟତ୍ର ବିଦ୍ୟାଳୟ ଗୁଡିକୁ ବ୍ୟବସ୍ଥିତ କରାଯିବାକୁ କୁହାଯାଇଛି । ଜାଲ୍ ସାର୍ଟିଫିକେଟ୍ ଶିକ୍ଷକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପଦକ୍ଷେପ ନିଆଯିବ । ସମସ୍ତଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରୁସ୍କାର ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ । ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପୁରସ୍କାରରେ ଶ୍ରେଷ୍ଠ ବିଦ୍ୟାଳୟ, ଶ୍ରେଷ୍ଠ ବିଇଓ,ଶ୍ରେଷ୍ଠ ସିଆରସିସି, ଶ୍ରେଷ୍ଠ ଶିକ୍ଷକ, ଶ୍ରେଷ୍ଠ ଜିଲ୍ଲା, ଶ୍ରେଷ୍ଠ ଡାଇଟ୍‌, ଶ୍ରେଷ୍ଠ ଛାତ୍ର ଓ ଛାତ୍ରୀ ଏଭଳି ବର୍ଗୀକରଣ ରହିଛି । ଏହାକୁ ଆଧାର କରି ସମସ୍ତ ପ୍ରକାର କାର୍ଯ୍ୟକୁ ଗୁରୁତର ସହ ସମ୍ପାଦାନ କରିବାକୁ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟ ଗୁଡିକର ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚ ବାବଦରେ ଅର୍ଥାତ୍ ବିଦ୍ୟୁତ୍ ବିଲ୍ ଏବଂ ଅନ୍ୟାନ୍ୟ ବାବଦରେ ଯୋଗାଇ ଦିଆଯାଉଥିବା ଅନୁଦାନକୁ ନେଇ ଆଲୋଚନା କରାଯାଇଥିଲା । ଆବଶ୍ୟକ ସ୍ଥଳେ ଅନୁଦାନ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ବିଭାଗକୁ ଜଣାଇବା ପାଇଁ କୁହାଯାଇଥିଲା । ସେହିପରି ପେନସନ୍ ବାବଦରେ ପେଣ୍ଡିଂ ରହିଥିବା ଆବେଦନ ଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ପ୍ରଧାନ, ସମଗ୍ର ଶିକ୍ଷା ଅଭିଯାନର ଅର୍ଥ ପାରମର୍ଶଦାତା ମଧୁସୂଦନ ପରିଡା, ବରିଷ୍ଠ ବୈଷୟିକ ପରାମର୍ଶଦାତା ଇଂ ନୀଳକଣ୍ଠ ସୁନ୍ଦରାୟଙ୍କ ସମେତ ସମସ୍ତ ବିଇଓ, ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ