୧୧ଟା ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟରେ ତାଲା ଖୋଲୁନି, ସାଧାରଣ ଲୋକେ ହିନସ୍ଥା
ହାଟଡିହିି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ କର୍ମଚାରୀଙ୍କ ମନମାନି ଚରମ ସୀମାରେ ପହଞ୍ଚିଲାଣି । କର୍ମଚାରୀମାନେ ମନଇଛା ବ୍ଲକକୁ ଯିବା ଆସିବା କରୁଥିବାରୁ ବ୍ଲକରେ ଅଚଳାବସ୍ଥା ଦେଖାଦେବା ସହ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଆଜି ସୋମବାର ଥିବାବେଳେ ଦିନ ୧୧ଟା ପର୍ଯ୍ୟନ୍ତ ଅଧିକାଶଂ ବିଭାଗର କାର୍ଯ୍ୟଳୟ ଖୋଲି ନଥିଲା । ଯୋଗାଣ ବିଭାଗ କାର୍ଯ୍ୟାଳୟ, ସାମାଜିକ ସୁରକ୍ଷା ବିଭାଗ, ଆବାସ ଯୋଜନା, ମନରେଗା ଯୋଜନା ଆଦି ବିଭାଗର କାର୍ଯ୍ୟାଳୟ ଗୁଡିକରେ ତାଲା ଝୁଲୁଥିଲା । ସକାଳ ୧୦ଟା ବେଳୁ ସୋସୋ, ଧନୁର୍ଜୟପୁର, ସମଣା, ସଢ଼ା, ଆଇତିପୁର, ଗେଡମା, ହାବଳେଶ୍ୱର ଆଦି ପଞ୍ଚାୟତରୁ ଲୋକମାନେ ଭତ୍ତା, ଆବାସ ଯୋଜନା ଘର, ରେସନ ସାମଗ୍ରୀ ସମସ୍ୟା ଧରି ବ୍ଲକକୁ ଆସିଥିବାବେଳେ କାର୍ଯ୍ୟାଳୟ ଖୋଲା ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ସରକାରଙ୍କ ଠାରୁ ଦରମା ନେଉଛନ୍ତି ୧୦ଟାବେଳେ ଅଫିସ ଆସିବାପାଇଁ । କିନ୍ତୁ ନିଜ ମନଇଛା କାହିଁକି ଆସିବେ ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି । ଏନେଇ ଉପସ୍ଥିତ ଥିବା ଜଣେ କିରାଣୀଙ୍କୁ ପଚାରିବାରେ ସେ କହିଥିଲେ ଯେ କିଛି କର୍ମଚାରୀ ଆନେ୍ଦାଳନକୁ ଭୁବନେଶ୍ୱର ପଳାଇଛନ୍ତି ସେଥିପାଇଁ ଖୋଲାଯାଇ ପାରିନି । କିନ୍ତୁ ଯେଉଁ କର୍ମଚାରୀ ମାନେ ଯାଇଛନ୍ତି ସେମାନେ ଆଉଟସୋର୍ସିଂ କର୍ମଚାରୀ, ସେମାନେ ଆନେ୍ଦାଳନରେ ଗଲେ ବ୍ଲକ କାହିଁକି ବନ୍ଦ ହେବ ବୋଲି ପ୍ରଶ୍ନ ଉଠିଛି । ଏହା କେବଳ ଆଜିର ଘଟଣା ନୁହଁ, ଏହା ନିତିଦିନର ବୋଲି ସ୍ଥାନୀୟ କିଛି ବ୍ୟକ୍ତି ଅଭିଯୋଗ କରିଛନ୍ତି । କରୋନା ପାଇଁ ଇଉପସ୍ଥାନ ବ୍ୟବସ୍ଥା ଉଠି ଯିବାପରେ ଏପରି ସମସ୍ୟା ଦେଖା ଦେଇଛି । ମନିଛା କର୍ମଚାରୀ ମାନେ ଅଫିସ ଆସୁଛନ୍ତି ଓ ଯାଉଛନ୍ତି । ଏପରିକି ଆଉ କିଛି କର୍ମଚାରୀ ନିଜ ଘରେ ଅଫିସ ଚଲାଇଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।