ଢେଙ୍କା ସମବାୟ ସମିତିରେ ସାର ଅଭାବ, ଚାଷୀଙ୍କ ପ୍ରତିବାଦ
ହାଟଡିହି, (ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଢେଙ୍କା ସମବାୟ ସମିତିରେ ସାର ଅଭାବକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ଚାଷ କାମକୁ ଆଗେଇ ନେବା ପାଇଁ ଏହା ଉପଯୁକ୍ତ ସମୟ ହୋଇଥିବା ବେଳେ ସମବାୟ ସମିତିରୁ ଆଦୌ ସାର ମିଳୁନଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ସାର ମୁଠାଏ ପାଇଁ ଚାଷୀଙ୍କୁ ହନ୍ତସନ୍ତ ହେବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ସାର ଅଭାବର ସମାଧାନ ଦାବି କରି ଅନେକ ଚାଷୀ ଢେଙ୍କା ସମବାୟ ସମିତି ସମ୍ମୁଖରେ ପହଞ୍ଚି ପ୍ରତିବାଦ କରିଥିଲେ। ଚାଷୀମାନଙ୍କ କହିବା ଅନୁଯାୟୀ, ଚାଷ ଜମିରେ ସାର ପ୍ରୟୋଗ କରିବାର ଉପଯୁକ୍ତ ସମୟ ଚାଲିଥିବା ବେଳେ ଢେଙ୍କା ସମବାୟ ସମିତିରେ ସାର ନମିଳିବା ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଚାଷୀମାନେ ଧାନ ଚାଷ ପାଇଁ ପ୍ରସ୍ତୁତି ନେଇଥିବା ବେଳେ ଠିକ୍ ସମୟରେ ସାର ନମିଳିଲେ ଚାଷରେ ଅସୁବିଧା ସୃଷ୍ଟି ହେବ ବୋଲି ସେମାନେ କହିଛନ୍ତି। ସମବାୟ ସମିତି ମାଧ୍ୟମରେ ସରକାରୀ ନିର୍ଦ୍ଧାରିତ ଦରରେ ସାର ପାଇବା ଆଶାରେ ଚାଷୀମାନେ ଆସୁଥିବା ବେଳେ ଦୀର୍ଘ ସମୟ ଅପେକ୍ଷା କରି ମଧ୍ୟ ଖାଲି ହାତରେ ଫେରିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ବଜାରରୁ ଅଧିକ ଦରରେ ସାର କିଣିବାକୁ ପଡ଼ିଲେ ଚାଷୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ ଓ ବଜାରରେ ଆବଶ୍ୟକ ପରିମାଣର ସାର ମିଳୁନି ବୋଲି ଶେଷଦେବ ସାମଲ, ନାରାୟଣ ଚନ୍ଦ୍ର ବେହେରା, ସୁରେନ୍ଦ୍ର ପଢ଼ିଆରୀ, ପ୍ରଦୀପ ଖୁଣ୍ଟିଆ, ନୃସିଂହ ବେହେରା, ପ୍ରଫୁଲ୍ଲ ପଢ଼ିଆରୀ, ସୁରଥ ପାଣିଗ୍ରାହୀ, ପ୍ରଦୀପ ପଢ଼ିଆରୀ, କୈଳାଶ ମଲ୍ଲିକ, ରବି ନାରାୟଣ ଜେନା, ଶଶଧର ପରିଡ଼ା, ଘନଶ୍ୟାମ ସେଠୀ, ସୁଧାକର ଜେନା ଓ ଗଣେଶ ମୁଦୁଲିଙ୍କ ସମେତ ଅନେକ ଚାଷୀ ମତବ୍ୟକ୍ତ କରିବା ସହିତ ସମିତି ସମୁଖରେ ଦୃଢ଼ ପ୍ରତିବାଦ କରିଥିଲେ। ଚାଷୀମାନଙ୍କ ଅଭିଯୋଗ ହେଉଛି, ଯେ ଢେଙ୍କା ସମବାୟ ସମିତି ପ୍ରତିଷ୍ଠା ହେବାର ଦୁଇ ବର୍ଷ ଅତିକ୍ରମ ହେଲାଣି। ଏହି ସମିତି ଅଧୀନରେ ଢେଙ୍କା, ସଙ୍ଗମ, ଝଣଝଣା, ବାରିଗାଁ, ମଟରାଗଡ଼ିଆ, ଆମ୍ବଗଡ଼ିଆ, ଆଦି ୧୧ଟି ଗ୍ରାମର ୭୦୦ରୁ ଉର୍ଦ୍ଧ ଚାଷୀ ଥିବାବେଳେ ସମିତି ମାଧ୍ୟମରେ ଚାଷୀଙ୍କ ଧାନ ବିକ୍ରୟ ହେଉଛି, କିନ୍ତୁ ଚାଷୀଙ୍କୁ ସାର ଯୋଗାଇ ଦିଆଯାଉନି। ଏବେ ଚାଷ କାମ ପାଇଁ ସାର ଅତ୍ୟନ୍ତ ଜରୁରୀ। ଏହି ସମୟରେ ଆବଶ୍ୟକ ପରିମାଣର ସାର ଯୋଗାଣ ନହେଲେ ଚାଷ କାମରେ ବିଳମ୍ବ ହେବା ସହ ଚାଷୀଙ୍କ ଉତ୍ପାଦନ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ। ବର୍ଷା ଓ ଚାଷର ସମୟକୁ ନେଇ ଚାଷୀମାନେ ପୂର୍ବରୁ ଚିନ୍ତିତ ଥିବା ବେଳେ ସାର ଅଭାବ ସମସ୍ୟାକୁ ଆହୁରି ଜଟିଳ କରିଦେଇଛି ବୋଲି ସେମାନେ କହିଛନ୍ତି। ତେଣୁ ଢେଙ୍କା ସମବାୟ ସମିତିକୁ ତୁରନ୍ତ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦିଆଯିବା ସହ ଚାଷୀମାନଙ୍କୁ ସୁବିଧାରେ ନିର୍ଦ୍ଧାରିତ ଦରରେ ସାର ଯୋଗାଇବାକୁ ଦାବି ହୋଇଛି। ଏଥିପ୍ରତି କୃଷି ବିଭାଗ ଓ ସମ୍ପୃକ୍ତ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସାର ଅଭାବର ସମାଧାନ କରିବାକୁ ଚାଷୀମାନେ ଅନୁରୋଧ କରିଛନ୍ତି। ସମୟ ଗଡ଼ିବା ପୂର୍ବରୁ ସାର ଯୋଗାଣ ସ୍ୱାଭାବିକ ନହେଲେ ଚାଷୀଙ୍କ ଚାଷ କାମ ଆଗେଇ ନେବାରେ ବଡ଼ ସମସ୍ୟା ସୃଷ୍ଟି ହେବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସମିତିର ସମ୍ପାଦକ ବିଭୁତି ଭୂଷଣ ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସାର ବିକ୍ରୟ ପାଇଁ ଲାଇସେନ୍ସ ମିଳିଛି, କିନ୍ତୁ ଆମକୁ ମେସିନି ମିଳିନି, ତେଣୁ ସାର ଆସି ପାରୁନି ବୋଲି କହିଛନ୍ତି। ଆମକୁ ନିକଟସ୍ଥ ସଢ଼ା ସମବାୟ ସମିତି ମାଧ୍ୟମରେ କିଛି ସାର ଯୋଗାଇ ଦେଇଥିଲେ, କିଛି ସାର ଚାଷୀଙ୍କୁ ଦିଆଯାଇଛି ଆଉ କିଛି ସାର ପାଣିପସି ନଷ୍ଟ ହୋଇଗଲା ବୋଲି ଶ୍ରୀ ସେଠୀ କହିଛନ୍ତି। ଏ ସମ୍ପର୍କରେ ଡିଆରସିଏସ ପର୍ଶୁରାମ ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଢେଙ୍କା ସମିତିକୁ ଅତିଶୀଘ୍ର ସାର ଯୋଗାଇ ଦିଆଯିବାର ବ୍ୟବସ୍ଥା ହେଉଛି ବୋଲି କହିଛନ୍ତି।


