ବଡରମ୍ପାସରୁ ଚୋରୀ ଟ୍ରାକ୍ଟର ବାସୁଦେବପୁରରୁ ଉଦ୍ଧାର
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମରୁ ଗତ ୨୮ତାରିଖ ରାତିରେ ଚୋରି ଯାଇଥିବା ଟ୍ରାକ୍ଟରକୁ ନନ୍ଦିପଦା ପୁଲିସ ବାସୁଦେବପୁର ଥାନା ଅଞ୍ଚରୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ଗତ ୨୮ ତାରିଖ ରାତିରେ ବଡରମ୍ପାସ ଗ୍ରାମର ନିରଞ୍ଜନ ସାହୁଙ୍କ ଘର ସମ୍ମୁଖରୁ କେହି ଦୁର୍ବୁତ ଟ୍ରାକ୍ଟରଟିକୁ ଚୋରି କରି ନେଇଯାଇଥିଲେ । ନିରଞ୍ଜନ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ନନ୍ଦିପଦା ପୁଲିସ ଏକ ମାମଲା ରୁଜୁକରି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଥିଲା । ଏକ ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ଗତକାଲି ରାତିରେ ନନ୍ଦିପଦା ଥାନା ଏସ.ଆଇ ଲଳିତ ରାଜ ନାୟକ, ଏସ.ଆଇ ବିଶ୍ୱବନ୍ଦିତା ସାହୁ ପ୍ରମୁଖ ବାସୁଦେବପୁର ପୁଲିସ ସହଯୋଗରେ ନୁଆଗାଁ ଗ୍ରାମରେ ଚଢ଼ାଉକରି ଟ୍ରାକ୍ଟରଟିକୁ ଜବଦ କରିଥିଲେ । ଏହି ଘଟଣାରେ ପୁଲିସ ନୁଆଗାଁ ଗ୍ରାମର ଶରତ ମହାଳିକ ନାମକ ଜଣେ ଯୁବକକୁ ଗିରଫ କରିଥିବାବେଳେ ତାର ଆପାଚି ବାଇକକୁ ମଧ୍ୟ ଜବଦ କରିଛନ୍ତି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପାଣିକୋଇଲି ଥାନା ଅମୃତିଆ ଗ୍ରାମର ଅଭୟ କୁମାର ପରିଡା ସେଠାରେ ଥିଲେ ମଧ୍ୟ ଚତୁରତାର ସହିତ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲା । ସେମାନେ ଏହି ଟ୍ରାକ୍ଟରକୁ ଚୋରିକରି ନେବାପରେ ୪ଦିନ ଧରି ବିଭିନ୍ନ ଲୋକଙ୍କ ହଳ କରିଥବବା ଜଣାପଡିଛି । ଅଭୟ ଗତ ମାର୍ଚ୍ଚ ମାସର୍ରେ ନସିରିପୁର ଟ୍ରାକ୍ଟର ଚୋରି ଘଟଣାରେ ସଂପୃକ୍ତି ଥାଇ ଗିରଫ ହୋଇ ୪ମାସ ଜେଲରେ ରହି ଆସିବାପରେ ପୁନର୍ବାର ଏହି ଚୋରି କରିଥିବା ପୁଲିସ ଜାଣିବାକୁ ପାଇଛି । ସେମାନେ ଏକ ବଡ ଗ୍ୟାଙ୍ଗ ଗଠନ କରି ବିଭିନ୍ନ ଅଞ୍ଚରୁ ଗାଡି ଚୋରି କରୁଥିବା ଜାଣିବାକୁ ମିଳିଛି । ଆଜି ଅପରାହ୍ନରେ ଗିରଫ ଅଭିଯୁକ୍ତ ଶରତ ମହାଳିକକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୁଚନା ଦେଇଛି ।