ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ, ୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ସଦର ମହକୁମାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ, ୨୦୨୩ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ୪ ଘଟିକା ସମୟରେ ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜାତୀୟ ଦିବସ କୁ ଆନନ୍ଦ ରେ ପାଳନ କରିବା ନିମନ୍ତେ ଦିବସ ବ୍ୟାପୀ କାର୍ଯ୍ୟକ୍ରମ ଗୁଡିକର ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ବାଲେଶ୍ୱର ପୌରାଂଚଳରେ ପ୍ରତୁ୍ୟଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ତରଫରୁ ରାମଧୂନ ପରିବେଷଣ କରାଯିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ସକାଳ ଘ୭.୩୦ ମିନିଟ ସୁଦ୍ଧା ଜାତୀୟ ପତାକା ଉତୋଳନ କରାଯିବ । ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ସକାଳେ ମାଲ୍ୟାର୍ପଣ କରାଯିବ । ସ୍ଥାନୀୟ ରିଜର୍ଭ ପୁଲିସ ପରେଡ୍ ପଡିଆଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ସକାଳ ଘ ୯.୧୫ ମି ସମୟରେ ଜାତୀୟ ପତାକା ଉତୋଳନ କରିବେ । ଚଳିତ ବର୍ଷ ଆନୁଷ୍ଠାନିକ ପରେଡ/ମାର୍ଚ୍ଚପାଷ୍ଟ ରେ ଛାତ୍ରଛାତ୍ରୀ ଓ ପୋଲିସ ବାହିନୀ ସାମିଲ ହୋଇ ଜାତୀୟ ପତାକାକୁ ସମ୍ମାନ ଏବଂ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ । ସେହି ପରି ଏହି ଦିବସ ରେ ଏକ ପୁସ୍ତକ ମେଳା ର ଆୟୋଜନ କରିବା ପାଇଁ ମଧ୍ୟ ନିଷ୍ପତି ନିଆ ଯିବା ଉପରେ ଆଲୋଚନା କରାଯାଇ ଥିଲା । ବାହାନଗା ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇ ଥିବା ବିଭିନ୍ନ ସ୍ୱେଚ୍ଛାସେବୀ, ଭାରତୀୟ ତଥା ଓଡିଶା ପ୍ରଶାସନିକ ସେବା ଭଳି ଜାତୀୟ ସ୍ତରର ପରୀକ୍ଷାରେ ଉତ୍ତୀର୍ଣ ହୋଇ ଥିବା ଛାତ୍ରଛାତ୍ରୀ, କ୍ରୀଡା କ୍ଷେତ୍ର ରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ କରି ଥିବା କ୍ରୀଡ଼ାବିତ ଇତ୍ୟାଦିଙ୍କ ପାଇଁ ସମ୍ବର୍ଦ୍ଧନା ଓ ପୁରଷ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶାତ୍ମବୋଧ ପ୍ରବନ୍ଧ, କୁଇଜ ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜନ କରିବାକୁ ସ୍ଥିର କରାଯାଇଛି । ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ଏତଦ୍ ବ୍ୟତୀତ ସ୍ୱାଧୀନତା ଦିବସ ସମାରୋହର ସୁପରିଚାଳନା ନିମନ୍ତେ ମଂଚ ସଜ୍ଜା, ପରିମଳ, ଆଶୁ ଚିକିତ୍ସା, ଆଇନଶୃଙ୍ଖଳା, ପାନୀୟ ଜଳ, ଅତିଥି ବସିବା ସ୍ଥାନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ।ଆଜିର ବୈଠକରେ ଶ୍ରୀ ସ୍ୱରୂପ କୁମାର ଦାସ, ବିଧାୟକ, ବାଲେଶ୍ୱର, ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଖୁଶୱନ୍ତ ସିଂ, ଉପଖଣ୍ଡ ବନ ଅଧିକାରୀ, ଶ୍ରୀ ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀମତୀ ସବିତା ସାହୁ, ଅଧ୍ୟକ୍ଷା, ବାଲେଶ୍ୱର ପୌରପାଳିକା, ଡ଼ ଦୁଲାଳସେନ ଜଗତ ଦେଓ, ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟା ଅଧିକାରୀ ଙ୍କ ସମେତ ଜିଲ୍ଲାସ୍ତରୀୟ ସମସ୍ତ ବରିଷ୍ଠ ଅଧିକାରୀ, ବିଭିନ୍ନ ଗଣମାଧ୍ୟମ କର୍ମକର୍ତ୍ତା, ସ୍ଵେଛା ସେବି ଅନୁଷ୍ଠାନ ଅଧିକାରୀ ବୃନ୍ଦ ଏବଂ ସମାଜସେବୀ ଯୋଗ ଦେଇ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ପୂର୍ବ ବର୍ଷର ବିବରଣୀ ପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ