ବିଶ୍ଵ ଜନଜାତି ଦିବସ ଅବସରରେ ଆଦିବାସୀ ଭାରତ ମହାସଭାର ଗଣ ପ୍ରତିବାଦ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ବିଶ୍ଵ ଆଦିବାସୀ ଦିବସ ଅବସରରେ ଆଦିବାସୀ ଭାରତ ମହାସଭା ଗଞ୍ଜାମ ଜିଲ୍ଲା କମିଟି ଭଞ୍ଜନଗର ବସଷ୍ଟାଣ୍ଡ ଠାରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ରଞ୍ଜନଗର, ବୁଗୁଡା ଓ ଜଗନ୍ନାଥପ୍ରସାଦ ବ୍ଲକର ଆଦିବାସୀମାନେ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ରାଷ୍ଟ୍ରପତି ମହୋଦୟାଙ୍କ ଉଦ୍ଦେଶ୍ୟରେ ଆଦିବାସୀ ଭାରତ ମହାସଭା, କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ବହୁ ଗ୍ରାମସଭା ପକ୍ଷରୁ ଜଙ୍ଗଲ ସଂଶୋଧନ ବିଧେୟକ ୨୦୨୩ କୁ ପ୍ରତ୍ୟାହାର କରିବା ପାଇଁ ଦାବୀ ଉପସ୍ଥାପନ କରାଯାଇଛି । ଏହି ଆଇନ ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ବ୍ୟାପକ କ୍ଷତିସାଧନ କରିବା ସହ ଗ୍ରାମସଭାର କୌଣସି ମାନ୍ୟତା ରହିବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି । କର୍ପୋରେଟ୍‌ କମ୍ପାନୀ ସ୍ନାର୍ଥରେ ଜଙ୍ଗଲଜମିକୁ ଟେକିଦେବା ଏକ ଅବ୍ୟବସ୍ଥା । ଏଥିରେ ପରିବେଶ ଧ୍ୱଂସ ହୋଇ ବ୍ୟାପକ ଜଳବାୟୁ ପରିବର୍ତ୍ତନ ହୋଇ ମାନବ ଜଗତ ପାଇଁ ବିପଦ ସୃଷ୍ଟି କରିବ ଏବଂ କୃଷକମାନେ ମଧ୍ୟ କ୍ଷତିର ସାମ୍ନା କରିବେ ବୋଲି ଆଦିବାସୀ ଭାରତ ମହାସଭାର ନେତୃବୃନ୍ଦ ନିଜ ବକ୍ତବ୍ୟରେ ବର୍ଣନା କରିଥିଲେ ।କର୍ପୋରେଟ୍ ଲୁଟେରା ଲାରତ ଛାଡ, କୃଷି ଛାଡ, ଆଦିବାସୀଙ୍କ ଜଙ୍ଗଲ ଜମି ଛାଡ ନାରାବାଜୀ ରେ ଶୋଭାଯାତ୍ରା ପ୍ରକମ୍ପିତ ହେଉଥିଲା । ବିର୍ସାମୁଣ୍ଡା, ରେଣ୍ଡୋ ମାଝି, ଲକ୍ଷ୍ମଣ ନାୟକ, ଚକରା ବିଷୋଇର ଦାୟଦ ଅମେ ଜଙ୍ଗଲ ସଂଶୋଧନ ଆଇନକୁ ମାନିବୁ ନାହିଁ ବୋଲି ବଜ୍ର ଶପଥ ନେଇଥିଲେ । ବର୍ଷିୟାନ ଆଦିବାସୀ ନେତା ପୂର୍ଣଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଗଣ ପ୍ରତିବାଦ ସଭାରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ୧୦ ଦଫା ଦାବୀ ଉପସ୍ଥାପନ ହୋଇଥିଲା । ନିର୍ମିତ କ୍ରୟ ବ୍ୟବସ୍ଥା ସହ ସମସ୍ତ ଫସଲର (ସି ୨୫୦% ) ହାରରେ ଲାଭଦାୟକ ଏମଏସପି ପାଇଁ ଆଇନଗତ ବ୍ୟବସ୍ଥା । ସୃଷ୍ଟି ସମ୍ଭାବଳୀ ସହିତ ସଂଯୁକ୍ତ କୃଷକ ମୋର୍ଚା ପ୍ରତିନିଧ‌ିଙ୍କୁ ସାମିଲ କରି ଏମ ଏସ ପି ଉପରେ କମିଟି ପୁନର୍ଗଠନ କରିବା, ସରକାରୀ ନୀତି ଓ ଅବହେଳା ଯୋଗୁଁ ଋଣ ଜାଲରେ ଫସିବା ସମସ୍ତ ପରିବାର ପାଇଁ ମାଇକ୍ରୋ ଫାଇନାନ୍ସଓ ଘରୋଇ ଋଣ ସମେତ ସମସ୍ତ ପ୍ରକାର ଋଣରୁ ମୁକ୍ତି ପାଇଁବ୍ୟାପକ ଋଣ ଛାଡ ଯୋଜନା କାର୍ଯ୍ୟକାରୀ କରିବା, ବିଦ୍ୟୁତ ସଂଶୋଧନ ବିଲ ୨୦୨୦ ପ୍ରତ୍ୟାହାର, ବକେୟା ଥିବା କୃଷକ ଓ ଗ୍ରାମୀଣ ପରିବାର ର ବିଦ୍ୟୁତ ସଂଯୋଗ ନ କାଟିବା, ପ୍ରତ୍ୟକ ଗ୍ରାମୀଣ ପରିବାରକୁ ୩୦୦ ୟୁନିଟ ମାଗଣା ବିଜୁଳି ପ୍ରଦାନ, ପାଣି ପାଇଁ ମାଗଣା ବିଜୁଳି ଯୋଗାଣ ଏବଂ ପ୍ରିପେଡ ମିଟର ବ୍ୟବସ୍ଥା କୁ ସଂପୂର୍ଣ ବନ୍ଦ କରିବା, ଲକ୍ଷ୍ମୀପୁର ଖେରିରେ ସାମ୍ବାଦିକ ଓ କୃଷକଙ୍କ ହତ୍ୟାକାଣ୍ଡର ମୁଖ୍ୟ ଶଡଯନ୍ର କାରୀ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ ବହିଷ୍କାର କରି କାର୍ଯ୍ୟାନୁଷ୍ଠାନ, ଲକ୍ଷ୍ମୀପୁର ଖେରିରେ ଜେଲରେ ଥିବା କୃଷକ ଏବଂ ଐତିହାସିକ କୃଷକ ଆନ୍ଦୋଳନ ସମେତ ବିଭିନ୍ନ ରାଜ୍ୟର କୃଷକ ଓ ଆଦିବାସୀଙ୍କ ଉପରେ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର, ବେଦାନ୍ତ ବିରୋଧରେ ସଂଘର୍ଷ କରୁଥିବା ନୀୟମଗିରି ଆଦିବାସୀ, ଜିନ୍ଦଲ ବିରୁଦ୍ଧରେ ସଂଘର୍ଷ କରୁଥିବା ଢ଼ିଙ୍କିଆ ଚାରିଦେଶ ର ମିଥ୍ୟା ମାମଲାରେ ବିଚାରଧୀନ ବନ୍ଦୀ ଏବଂ ରାଜ୍ୟର ସମସ୍ତ ବିସ୍ତାପିତ ଜନ ଆନ୍ଦୋଳନକାରୀ, ଆଦିବାସୀ ଓ କୃଷକ ମାନଙ୍କ ଉପରୁ ତୁରନ୍ତ ସମସ୍ତ ମିଥ୍ୟା ମାମଲା ପ୍ରତ୍ୟାହାର କରିବା, ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଧେୟକ( ୨୦୨୩) କୁ ପ୍ରତ୍ୟାହାର କରି ଜଙ୍ଗଲ ଅଧିକାର ଆଇନ ୨୦୦୬କୁ ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ସ୍ବାର୍ଥରେ କାର୍ଯ୍ୟକାରୀ କର । ଗ୍ରାମସଭାକୁ ମଜବୁତ କରିବା ପାଇଁ ଆଇନ ପ୍ରଣୟନ, ଜଳବାୟୁ ପରିବର୍ତ୍ତନ, ବନ୍ୟା, ମରୁଡି, ବାତ୍ୟା ଏବଂ ଫସଲ ସମ୍ବନ୍ଧୀୟ ରୋଗ ଆଦି କାରଣରୁ କୃଷକମାନଙ୍କୁ କ୍ଷତିପୂରଣ ଦେବା ପାଇଁ କର୍ପୋରେଟ୍ ସମର୍ଥକ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ପ୍ରତ୍ୟାହାର କରି ସମସ୍ତ ଫସଲ ପାଇଁ ଏକ ବ୍ୟାପକ ଫସଲ ଯୋଜନା ପ୍ରଣୟନ, ଭାଗଚାଷୀ, କୃଷି ଶ୍ରମିକଙ୍କ ସ୍ବାର୍ଥରେ ବ୍ୟାପକ ଆଇନ ପ୍ରଣୟନ, ସମସ୍ତ ମଧ୍ୟମ, କ୍ଷୁଦ୍ର ଓ ନାମମାତ୍ର ପୁରୁଷ ଓ ମହିଳା କୃଷକ, କୃଷି ଶ୍ରମିକଙ୍କ ପାଇଁ ମାସିକ ୧୦ ହଜାର ଟଙ୍କା କିଷାନ ପେନସନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦାବୀ ଉପସ୍ଥାପନ କରାଯାଇଥିଲା । ଏହି ସଭାରେ ସଂଯୁକ୍ତା କୃଷକ ମେଳାର ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ସାଥୀ ଶଙ୍କର, ଆଦିବାସୀ ଭାରତ ମହାସଭାର ରାଜ୍ୟ ସମ୍ପାଦକ ଟୁନା ମଲ୍ଲିକ, ଜିଲ୍ଲା ସଭାପତି ପୂର୍ଣଚନ୍ଦ୍ର ପ୍ରଧାନ, ବଳଭଦ୍ର ମଲ୍ଲିକ, ପ୍ରଶନ୍ନ ଦଳ ବେହେରା, ସଂଧୟାରାଣୀ ପ୍ରଧାନ ଆଦି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ, ଆଦିବାସୀ ଓ ପାରମ୍ପରିକ ବନବାସୀ ବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ । ମଣିପୁରରେ ଯେଉଁ ନିନ୍ଦିତ କାର୍ଯ୍ୟ ଘଟିଛି ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଏଥିପାଇଁ ଡବଲ ଇଞ୍ଜିନ ସରକାର ଦାୟୀ ବୋଲି ଉପସ୍ଥାପନ କରିଥିଲେ । ବହୁ ଆଦିବାସୀ ଗ୍ରାମ ପକ୍ଷରୁ ଗ୍ରାମବାସୀ ଆସି ଏହି ସଂଶୋଧନ ଆଇନ ଦୂରର ପ୍ରତ୍ୟାହାର କରିବା ପାଇଁ ଦାବୀ ଉପସ୍ଥାପନ କରିଛନ୍ତି । ଏହି ଗଣ ପତିବାଦରେ ରବିନ୍ଦ୍ର କୁମାର କାନୀ, ନିଧୁଆ ପ୍ରଧାନ, ଶିଶୁଳା ମଲ୍ଲିକ, ବିଶୁ କାନୀ, ଶ୍ୟାମ କାଳୀ ପ୍ରମୁଖ ଉପସ୍ଥିତ ଥିଲେ । ଆଦିବାସୀ ସଂପ୍ରଦାୟର କଳାକାର ମାନେ ନିଜ କୁଇ ଭାଷାରେ ବିଭିନ୍ନ ସଂଗୀତ ପରିବେଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ