କ୍ରାନ୍ତି ଦିବସରେ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଭାରତର ମହାମହିମ ରାଷ୍ଟ୍ରପତିଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କୁ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲ ରାଷ୍ଟ୍ରପତି ଭବନରୁ ଆସିଥିବା ଅଙ୍ଗବସ୍ତ୍ର, ସାଲ୍ ଏବଂ ପୁଷ୍ପଗୁଚ୍ଛ ଦେଇ ଏହି ସଂଗ୍ରାମୀ ବୀରଙ୍କୁ କ୍ରାନ୍ତି ଦିବସର ସମ୍ମାନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଶ୍ରୀଯୁକ୍ତ ଦାସ ଏବେ କଟକ ଏସ୍ସିବି ମେଡିକାଲ୍ରେ ଚିକିତ୍ସିତ ହେଉଥିବାରୁ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ ସ୍ୱତନ୍ତ୍ରତା ସୈନିକ ସମ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ ସଂଗ୍ରାମୀମାନଙ୍କୁ ରାଷ୍ଟ୍ରପତି ଭବନରେ ପ୍ରତିବର୍ଷ ସମ୍ବର୍ଦ୍ଧିତ କରାଯାଇଥାଏ । ମାତ୍ର ଗତ ତିନିବର୍ଷ ହେଲା କୋଭିଡ୍ କାରଣରୁ ସେମାନଙ୍କୁ ସେମାନଙ୍କ ପୈତୃକ ବାସଭବନରେ ସମ୍ବର୍ଦ୍ଧିତ କରାଯାଇଆସୁଛି । ଏଥିପାଇଁ ଚଳିତବର୍ଷ ରାଜ୍ୟରୁ ତିନିଜଣଙ୍କ ନାମ ମନୋନୀତ ହୋଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଏଥିରେ ସ୍ଥାନ ପାଇଛନ୍ତି ମକର ଦାସ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁରୋଧ ଓ ରାଜ୍ୟ ଅର୍ଥ ବିଭାଗର ନିର୍ଦ୍ଦେଶକ୍ରମେ ଶ୍ରୀଯୁକ୍ତ ଦାସଙ୍କୁ ତାଙ୍କ ହାଟବାଣପୁରସ୍ଥିତ ବାସଭବନରେ ସମ୍ବର୍ଦ୍ଧିତ କରାଯାଇଥାନ୍ତା । ମାତ୍ର ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କ କିଡ୍ନୀ ଓ ଫୁସଫୁସ୍ରେ ସଂକ୍ରମଣ ହେବାରୁ ତାଙ୍କୁ ଏସ୍ସିବି ମେଡିକାଲ୍ରେ ଗତ ଅଗଷ୍ଟ ମାସ ୧ତାରିଖରେ ଆଡ୍ମିଟ୍ କରାଯାଇଥିଲା । ଏବେ ମଧ୍ୟ ସେ ଏସ୍ସିବି ମେଡିକାଲ୍ର ନୂତନ ମେଡିସିନ୍ ୱାର୍ଡ଼ର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଏହି କାରଣରୁ ତାଙ୍କ ହାଟବାଣପୁରସ୍ଥିତ ବାସଭବନରେ ସମ୍ବର୍ଦ୍ଧିତ କରାଯିବା ସମ୍ଭବପର ହୋଇ ନ ପାରିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଆଜି ଏସ୍ସିବି ମେଡିକାଲ୍ରେ ସମ୍ବର୍ଦ୍ଧିତ କରାଯାଇଛି । କେନ୍ଦ୍ରାପଡ଼ାର ଗର୍ବ ଓ ଗୌରବ ବର୍ଷିୟାନ୍ ସ୍ୱାଧୀନତା ସଂଗ୍ରାମୀ ମକର ଦାସ ଗାନ୍ଧୀଜୀଙ୍କ ଡାକରାରେ ମୁକ୍ତି ଯୁଦ୍ଧରେ ସାମିଲ ହୋଇଥିଲେ ଓ ବ୍ରିଟିଶରାଜ ବିରୁଦ୍ଧରେ ସଂଗ୍ରାମ କରି କାରାବରଣ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯିବା ସହ ତାଙ୍କର ଦୀର୍ଘ ସୁସ୍ଥ ନିରାମୟ ଜୀବନ ପାଇଁ ଆନ୍ତରିକ ପ୍ରାର୍ଥନା କରାଯାଉଛି ।


