ଅକ୍ଷୟ କୁମାରଙ୍କ ପ୍ରାୟଶ୍ଚିତ ଅନଶନ ଚତୁର୍ଥ ଦିନରେ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନବୀନଙ୍କ ଅପାରଗ ଓ ଭ୍ରଷ୍ଟାଚାର ସରକାରର ଅନ୍ତ ଘଟାଇବା ପାଇଁ ବିଶେଷକରି ନବୀନଙ୍କ କୁଶାସନ ଆମେ କାହିଁକି ସହିଲୁ ଏଥିନେଇ ନବନିର୍ମାଣ ସ୍ୱରାଜ ସରକାରର ଆବାହକ ଅକ୍ଷୟ କୁମାର ଅଗଷ୍ଟ ୯ରୁ ୧୫ କ୍ରାନ୍ତି ଦିବସରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଲୋୟର ପିଏମ୍ଜିରେ ଚାଲିଥିବା ଅନଶନ ଚତୁର୍ଥ ଦିନରେ ପହଞ୍ôଚଛି । ଗତ କାଲି ଅକ୍ଷୟ କୁମାରଙ୍କ ଅନଶନକୁ ସମର୍ଥନ ଜଣାଇ ପାଖାପାଖି ୨୦ଟି ଜିଲ୍ଲାରେ କର୍ମୀମାନେ ଉପବାସରେ ବସିବା ସହ ଧାରଣା ଦେଇଥିଲେ । ପିଏମ୍ଜିରେ ଅନଶନ ବସିଥିବା ଶ୍ରୀ କୁମାର ଓଡ଼ିଶା ସରକାରଙ୍କ ଶାସନକୁ ସମାଲୋଚନା କରି କହିଥିଲେ ଯେ, ନବୀନ ସରକାର ମିଥ୍ୟା ପ୍ରଚାର ଓ ପ୍ରତାରଣାର ଆଧାର ଉପରେ ତିଷ୍ଠି ରହିଛି । ରାଜ୍ୟରେ ଠିକଣା ଢଙ୍ଗରେ ଏକ ଅସଲି ବିକଳ୍ପ ପାଇଁ ଜନମତ ସୃଷ୍ଟି କରାଗଲେ ବିଜେଡ଼ି ସରକାର ଅନାୟାସରେ ଭୁଷୁଡ଼ି ପଡ଼ିବ । ରାଜ୍ୟ ସରକାର ଗତ ନିର୍ବାଚନ ସମୟରେ ଆମ ଗାଁ, ଆମ ବିକାଶ ନାମରେ ଗୋଟିଏ କ୍ଲବ ଘର କରିଥିବା ବେଳେ ଆଉ ଗୋଟିଏ ଶାସନ ପାଳିରେ ମାତ୍ର ଗୋଟିଏ ମନ୍ଦିର ତିଆରି କରୁଛନ୍ତି । ଯଦି ସବୁ ସ୍କୁଲ୍ କଲେଜର ରୂପାନ୍ତରଣ ହେଉଛି, ତାହେଲେ ସେଠାକୁ କେତେ ମାତ୍ରାରେ ଛାତ୍ରଛାତ୍ରୀ ଆକର୍ଷିତ ହୋଇ ଆସୁଛନ୍ତି । ମାଛ, ମାଂସ, ଅଣ୍ଡା, ତୈଳବୀଜ, ତେଲ, ଫୁଲରେ ଓଡ଼ିଶାରେ କେତେ ଉତ୍ପାଦନ ବଢିଛି ତାହା ରାଜ୍ୟର ମୁଖ୍ୟମନ୍ତ୍ରୀ ଛାତିରେ ହାତ ଦେଇ କହିପାରିବେ କି? ସେହିଭଳି ସ୍ୱାସ୍ଥ୍ୟ ଓ ନିଯୁକ୍ତି କ୍ଷେତ୍ରରେ କେବଳ ନିରାଶପଣ ଓ ନିରାଶପଣ । ଓଡ଼ିଶାର ବିପୁଳ ପ୍ରାକୃତିକ ସମ୍ପଦର ସୁବିନିଯୋଗ ନ ହେବା କାରଣରୁ ଓଡ଼ିଆ ଲୋକଙ୍କର ଜୀବନଧାରଣ ମାନରେ ଗୁଣାତ୍ମକ ପରିବର୍ତ୍ତନ ଆଦୌ ହୋଇନାହିଁ । ନବୀନ ତାଙ୍କ ଶାସନରେ ଆଉ ଯାହା କରନ୍ତୁ ବା ନକରନ୍ତୁ, ନିଶ୍ଚିତ ଭାବରେ ଚାଷୀକୂଳର ଭାଗ୍ୟକୁ ଅନ୍ଧକାର କରିଛନ୍ତି । କାଳିଆ ଯୋଜନାରେ ଯେଭଳି ଭାବେ ସବୁ ଚାଷୀଙ୍କୁ ୧୦ରୁ ୧୨ ହଜାର ଟଙ୍କା ଦେବେ ବୋଲି କହି ୪ ହଜା ଦେଇ ଠକିଦେଲେ, ସେଥିରୁ ଲାଗୁଛି ସେ ମିଥ୍ୟା ପ୍ରତିଶ୍ରୁତି ଦେବାରେ ମୋଦିଙ୍କ ସହିତ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ଅନଶନସ୍ଥଳରେ ଅଧିବକ୍ତା କ୍ଷୀରୋଦ ରାଉତ, ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ଡ. କୁଳମଣି, ଲିଙ୍ଗରାଜ ପ୍ରଧାନ, ସଂଗ୍ରାମ କିଶୋର, ଇଂ ଶୁଭେନ୍ଦୁ ମଲ୍ଲିକ, ଛାତ୍ରନେତା ଅମିତ ଜେନା, ସଶକ୍ତ ଓଡ଼ିଶାର ବିଜୟ ପ୍ରଧାନ, ପ୍ରକାଶ ଦାସ, ପ୍ରତାପ ମହାନ୍ତି, ଦେବପ୍ରଦତ ମିଶ୍ର, ରାଜ୍ୟ କମିଟି ସଭ୍ୟ ଦୀନେଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।


