କେନ୍ଦ୍ରାପଡ଼ା ଜିଲ୍ଲା ଜିଲ୍ଲାସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ । ଯେଉଁ ମହାମାନବମାନେ ବହୁକଷ୍ଟ ସ୍ୱୀକାର କରି ଆମକୁ ସ୍ୱାଧୀନତା ଦେଇଛନ୍ତି ସେମାନଙ୍କ କଷ୍ଟଲବ୍ଧ ସ୍ୱାଧୀନତାକୁ ଆମେ ସମଗ୍ର ଭାରତବାସୀ ମନେରଖିବା ଉଚିତ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଆମ ଗଣତନ୍ତ୍ରକୁ ସମୃଦ୍ଧ ଓ ସଶକ୍ତ କରିବାରେ ପ୍ରତ୍ୟେକ ନାଗରିକଙ୍କ ଗୁରୁଦାୟୀତ୍ୱ ରହିଛି । ସମାଜର ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଅସୂୟା ଦୂର କରି ଏକ ପରିପକ୍ୱ ଓ ପରିପୁଷ୍ଟ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ବ୍ରତୀ ହେବା ସହ ରାଷ୍ଟ୍ରର ବିକାଶ ପଥରେ ସହଭାଗୀ ହେବା ପ୍ରତ୍ୟେକଙ୍କର କର୍ତ୍ତବ୍ୟ ବୋଲି କହିଥିଲେ । ନିଜନିଜ ମଧ୍ୟରେ ଲଢ଼େଇ ନକରି ଲଢ଼େଇ କରିବା ଦାରିଦ୍ର‌୍ୟତା ଓ ଅସୂୟା ବିରୁଦ୍ଧରେ । ଫଳରେ ସମାଜରେ ଗଣତନ୍ତ୍ରର ମୂଲ୍ୟବୋଧ ଓ ମାନବୀୟ ଚେତନା ସୁଦୃଢ଼ ହେବା ସହ ଦେଶ ସଶକ୍ତ ହୋଇପାରିବ । ଦେଶର ଭବିଷ୍ୟତ ଏଇ ଛୋଟଛୋଟ ପିଲାମାନେ ମହାମନୀଷୀମାନଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣିତ ହୋଇ ଜିଅଁନ୍ତୁ । ଗଣତନ୍ତ୍ରର ମୂଲ୍ୟବୋଧକୁ ଜାଣନ୍ତୁ ଏବଂ ରାଷ୍ଟ୍ର ପ୍ରତି ଥିବା ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ପ୍ରତି ସଚେତନ ହେବା ଜରୁରୀ ବୋଲି ମୁଖ୍ୟଅତିଥି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଦେଶର ମୁକ୍ତି ସଂଗ୍ରାମରେ ଝାସ ଦେଇ ସ୍ୱାଧୀନତାର ସ୍ୱାଦ ଚଖାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମୁଖ୍ୟଅତିଥି ପୁଷ୍ପଗୁଚ୍ଛ, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପ୍ରାତଃରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମ୍‌ଧୂନ୍ ପ୍ରଚାର କରାଯାଇଥିଲା । ପ୍ରାତଃ ୬ଟା ସମୟରେ ବିଭିନ୍ନ ସ୍କୁଲ୍‌ରେ ପ୍ରଭାତଫେରି କରାଯିବା ସହ ୭ଟା ସମୟରେ ଶିକ୍ଷାନୁଷ୍ଠାନମାନଙ୍କରେ ପତାକା ଉତ୍ତୋଳନ କରାଯାଇଥିଲା । ପ୍ରାତଃ ୭.୩୦ ମିନିଟ୍‌ରେ ସହରର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବାଣିଜ୍ୟିକ ଅନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । କେନ୍ଦ୍ରପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଉତ୍ସବରେ ରିଜର୍ଭ ଇନିସ୍‌ପେକ୍ଟର୍ ହେମନ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୋଟ୍ ୨୮ଗୋଟି ଦଳ ସମ୍ମିଳିତ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥି କେନ୍ଦ୍ରାପଡ଼ା ସବ୍‌ଜେଲ୍ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବା ପରେ ଇଚ୍ଛାପୁର ଶ୍ୟାମଗୁଡ଼ିଆଠାରେ ଥିବା ନୂତନ ମେଡିକାଲ୍‌ରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ ବକ୍ତୃତା, ଚିତ୍ରାଙ୍କନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାର ୩୦ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିବା ଏନ୍‌ସିସି ଡିଭିଜନ୍‌, ସିନିୟର୍ ସିଭିଲିଆନ୍ ଓ ଜୁନିୟର୍ ସିଭିଲିଆନ୍ ବର୍ଗରେ ଉତ୍ତମ ପ୍ରଦର୍ଶନ କରିଥିବା ଦଳମାନଙ୍କୁ ଚୟନ କରାଯାଇ ପ୍ରତ୍ୟେକ ବର୍ଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳମାନଙ୍କୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରିଥିଲେ । ଜିଲ୍ଲାସ୍ତରୀୟ ଦେଶାତ୍ମବୋଧକ ଦଳଗତ ନୃତ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ତିନୋଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବାବେଳେ ସେମାନେ ପ୍ୟାରେଡ୍ ଗ୍ରାଉଣ୍ଡରେ ମୁଖ୍ୟ ଅତିଥିଙ୍କ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି ସମସ୍ତ ଟ୍ରଫିଗୁଡ଼ିକୁ ପ୍ରାୟୋଜିତ କରିଥିଲେ କେନ୍ଦ୍ରାପଡ଼ା ସଦର ମହକୁମାରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବ୍ୟାଙ୍କ୍ ଅଫ୍ ବରୋଦା, ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ୍ ଏବଂ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଜିଲ୍ଲା ସର୍ବଶିକ୍ଷା ଅଭିଯାନ ବିଭାଗ ଆନୁକୂଲ୍ୟରେ ଭିନ୍ନକ୍ଷମ ପିଲାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗୀତାର କୃତୀ ୧୧ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଆନ୍ତର୍ଜାତିକ ସ୍ତରରେ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସୁନାମ ଆଣିଥିବା ଦୁଇଜଣ କ୍ରୀଡ଼ାବିତ୍ ମହମ୍ମଦ ରାଜା ଓ ସୁଶ୍ରୀ ଶିବାନୀ ପ୍ରିୟଦର୍ଶିନୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ, ସାଲ୍‌, ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ କରାଯାଇଥିଲା । ଏଥିରେ ଜିଲ୍ଲା କୃଷି ବିଭାଗ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ଦ୍ୱିତୀୟ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା ପ୍ରଜ୍ଞାପନ ମେଢ଼ର ପୁରସ୍କାରକୁ ପ୍ରାୟୋଜିତ କରିଥିଲେ । ଏହି ଉତ୍ସବରେ ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଡ଼୍‌କର୍‌, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନୀତା ପଟ୍ଟନାୟକ, ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ,କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା, କେନ୍ଦ୍ରାପଡ଼ା ତହସିଲ୍‌ଦାର୍ ଅଞ୍ଜଳୀ ତରାଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ପୂର୍ତ୍ତ ବିଭାଗର ଏସ୍‌ଡିଓ ଆଜାମୁଦ୍ଦିନ୍ ଖାଁ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ୱାଧୀନତା ସଂଗ୍ରାମୀ, ନିମନ୍ତ୍ରିତ ଅତିଥି, ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ