କେନ୍ଦ୍ରାପଡ଼ା ସହରରେ ଅଜଣା ଗାଡିକୁ ନେଇ ଆତଙ୍କ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରରେ ଏକ ଅଜଣା କାରକୁ ନେଇ କିଛି ସମୟ ଧରି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । କିନ୍ତୁ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରିବା ପରେ ଲୋକଙ୍କ ମନରୁ ସନ୍ଦେହ ଦୂର ହୋଇଥିଲା । ଏଥିସହ ସେହି କାର ଛାଡି ପଳାଉଥିବା ୨ଜଣଙ୍କୁ କାବୁ କରିନେଇ ଟାଉନ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ସଂପୃକ୍ତ କାରଟିକୁ ଜବତ କରିଥିବା ଥାନା ସୁତ୍ରରୁ ଜଣାପଡିଛି । ଖବର ଅନୁଯାୟୀ ଆଜି ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ଓଡି-୦୫-ବିଡି- ୧୦୩୦ନମ୍ବର ବିଶିଷ୍ଟ ଏକ ଇଷତ ଧଲା ରଙ୍ଗର କାର ହଠାତ କେନ୍ଦ୍ରାପଡା ପୈାର କାର୍ଯ୍ୟାଳୟ ସମ୍ମୁଖ ମଝି ରାସ୍ତାରେ ଅଟକି ଯାଇଥିଲା । ସେଥିରେ ନିଶାଶକ୍ତ ଅବସ୍ଥାରେ ବସିଥିବା ୩ଜଣ ସନ୍ଦିଗ୍ଧ ଯୁବକ କାରରୁ ଓହ୍ଲାଇ ପଳାଇ ଯାଉଥିଲେ । ପୈାରସଂସ୍ଥାର ସୁରକ୍ଷା ଦାୟୀତ୍ୱରେ ଥରବା ସୁରକ୍ଷାକର୍ମୀ ଜଣଙ୍କ ସେମାନଙ୍କୁ ଅଟକାଇ ରାସ୍ତା ମଝିରେ କାର ରଖିଦେଇ କାହିଁକି ପଳାଇଯାଉଛ ବୋଲି ପଚାରିବାରେ ସେମାନେ ହଠାତ ଦୈାଡିବାକୁ ଲାଗିଲେ । ତେଣୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଲା ଯେ ହୁଏତ ସେହି ଗାଡି ଭିତରେ କିଛି ସନ୍ଦିଗ୍ଧ ଜିନିଷ ଥାଇପାରେ । ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ସୁରକ୍ଷାକର୍ମୀ ଜଣଙ୍କ ସ୍ଥାନୀୟ ଲୋକଙ୍କ ସହାୟତାରେ କାବୁ କରିନେଇ ସ୍ଥାନୀୟ ପୋଲିସ ଫାଣ୍ଡିକୁ ଖବର ପଠାଇଥିଲେ । ଖବର ପାଇ ଫାଣ୍ଡି ଅଧିକାରୀ ସେଠାରେ ପହଞ୍ଚି ସେହି ଦୁଇଜଣଙ୍କୁ ଟାଉନ ଥାନାକୁ ନେଇଯିବା ସହିତ ସଂପୃକ୍ତ କାରକୁ ଯାଞ୍ଚ କରି ଥାନାକୁ ନେଇଯାଇଥିଲେ । ଏଭଳି ଭାବରେ ନିଶାଶକ୍ତ ଅବସ୍ଥାରେ ରାସ୍ତା ମଝିରେ ସନ୍ଦେହଜନକ ଭାବରେ ଗାଡି ରଖିଦେଇ ପଳାଇ ଯାଉଥିବା ଯୁବକମାନଙ୍କୁ ଥାନାରୁ ପୋଲିସ ଛାଡିଦେବାର ମସୁଧା ଚାଲିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି ।


