ସ୍କିମାଟିକ ଶିକ୍ଷକ ନିଯୁକ୍ତି ବାତିଲ କରି ନିୟମିତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟରେ ସରକାର ୨୦୧୦ ମସିହାରେ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ କରିଥିବା ବେଳେ ସେହି ଅନୁଯାୟୀ ଶିକ୍ଷକ ନିଯୁକ୍ତି କରୁନାହାଁନ୍ତି । କେବଳ ଠିକା ଓ ଚୁକ୍ତିରେ ଶିକ୍ଷକ ନିଯୁକ୍ତି କରି ଉଚ୍ଚଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଶୋଷଣ କରୁଛନ୍ତି । ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟରେ ୭୦ ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ସରକାର ସ୍କିମରେ ନିଯୁକ୍ତି କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି, ଏହାକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ (ପିଷ୍ଟା) ତରଫରୁ ତୀବ୍ର ବିରୋଧ କରାଯିବା ସହ ଖାଲି ପଡ଼ିଥିବା ପଦବୀରେ ନିୟମିତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରାଯାଇଛି । ଗତବର୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନରେ ଓଡ଼ିଶାରୁ ଠିକା ନିଯୁକ୍ତି ବାତିଲ କରି ସେମାନଙ୍କର ଠିକା କାର୍ଯ୍ୟକାଳକୁ ଇନ୍‌କ୍ରିମେଣ୍ଟ ଦେଇ ମୂଳ ଚାକିରିରେ ଗଣନା କରିଛନ୍ତି ଯାହାକି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଅତି ଦୁଃଖ ଓ ପରିତାପର ବିଷୟ ପ୍ରାଥମିକ ଶିକ୍ଷାରୁ ନା ହଟିଲା ଠିକା ନିଯୁକ୍ତି ନା ସେମାନଙ୍କ ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣାଗଲା । ସବୁ ବିଭାଗର କର୍ମଚାରୀମାନଙ୍କ ପାଇଁ ଅର୍ଥ ଥିବା ବେଳେ କେବଳ ପ୍ରାଥମିକ ଶିକ୍ଷା ଓ ଶିକ୍ଷକମାନଙ୍କ ପାଇଁ ଅର୍ଥ ନାହିଁ ବୋଲି ସରକାର ବାହାନା କରୁଛନ୍ତି । ଶିକ୍ଷାର ବ୍ୟୟବରାଦ ଆସ୍ତେ ଆସ୍ତେ ହ୍ରାସ କରି ଶିକ୍ଷାକୁ ଘରୋଇକରଣ ଆଡକୁ ନେଉଛନ୍ତି ବୋଲି ପିଷ୍ଟା ଅଭିଯୋଗ କରିଛି । ଭୁଲ୍ ନୀତି ନିର୍ଦ୍ଧାରଣ ଯୋଗୁ ଶିକ୍ଷା ନିମ୍ନଗାମୀ ହୋଇଛି ବୋଲି ଜାତୀୟ ସର୍ବେକ୍ଷଣରେ ପ୍ରକାଶ ପାଇଛି । ତିନିଦଫା ଦାବୀରେ ଗତବର୍ଷ ନଭେମ୍ବରରେ ସମସ୍ତ ପ୍ରାଥମିକ ଶିକ୍ଷକ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲେ । ସରକାର ପ୍ରାଥମିକ ଶିକ୍ଷାରୁ ଠିକା ଉଚ୍ଛେଦ କରିବା ପରିବର୍ତ୍ତେ ସରକାର ୨୦୧୭ ମସିହାରେ କଣ୍ଟ୍ରାକ୍‌ଚୁଆଲ ପଲିିସିକୁ ଏପ୍ରିଲ ମାସରେ ସ୍କିମାଟିକକୁ ପରିବର୍ତ୍ତନ କରିଛନ୍ତି, ଏହାକୁ ସଂଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ସରକାର ତୁରନ୍ତ ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ ନିଯୁକ୍ତି ବାତିଲ କରି ନିୟମିତ ଶିକ୍ଷକ ନିଯୁକ୍ତି କରନ୍ତୁ, ଠିକାରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକମାନଙ୍କୁ କଣ୍ଟ୍ରାକ୍‌ଚୁଆଲ ପଲିସି ଅନୁଯାୟୀ ନିୟମିତ କରାଯାଉ, ଠିକା କାର୍ଯ୍ୟକାଳକୁ ୬ ଓ ୮ଟି ଇନ୍‌କ୍ରିମେଣ୍ଟ ଦେଇ ମୂଳ ଚାକିରିରେ ଗଣନା କରାଯାଉ, ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଦିଆଯାଉ ଓ ପୁରୁଣା ପେନ୍‌ସନକୁ ପୁନଃ ପ୍ରଚଳନ କରାଯାଉ । ପ୍ରାଥମିକ ଶିକ୍ଷକମାନଙ୍କ ନ୍ୟାୟୋଚିତ ଦାବୀକୁ ତୁରନ୍ତ ପୂରଣ ନକଲେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ବାଧ୍ୟ ହୋଇ ସମସ୍ତ ଶିକ୍ଷକ ସଂଘର ସମସ୍ତ ଶିକ୍ଷକମାନଙ୍କୁ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ । ପ୍ରାଥମିକ ଶିକ୍ଷାରେ ଉପୁଜିବା ପରିସ୍ଥିତି ପାଇଁ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦାୟୀ ରହିବ ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ବିଭୂପ୍ରସାଦ ସାହୁ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ସୁଧାଂଶୁ ମଣ୍ଡଳ, ଶ୍ରୀକାନ୍ତ ବାରିକ, ଜନ୍ମେଜୟ ମାଝୀ, କେଶବ ଚନ୍ଦ୍ର କର, ଟୁଲୁ ଦେଇ, କୋଷାଧ୍ୟକ୍ଷ ଗୋପାଳ ସେନ୍‌, ସୁଧାଂଶ ଭୂଷଣ ନାୟକ, ରଶ୍ମିରଞ୍ଜନ ଧଳ, ଅମରେନ୍ଦ୍ର ବାଗ, ଜ୍ୟୋତିରଞ୍ଜନ ଷଡ଼ଙ୍ଗୀ, ଆଭାଲିନ ପରିଡ଼ା, ଅଗାଧୁ ସେଠୀ ପ୍ରମୁଖ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ